ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭାରେ ଗୃହୀତ ହୋଇଛି ‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍ ୨୦୨୩’। ସୋମବାର ବିରୋଧୀଙ୍କ ହଙ୍ଗମା ଭିତରେ ଏହି ବିଲ ପାରିତ ହୋଇଛି। ଏହି ବିଲ୍ ଜରିଆରେ ଏବେ ବ୍ୟକ୍ତିଗତ ଡାଟାକୁ ଗଚ୍ଛିତ ରଖୁଥିବା କମ୍ପାନିଗୁଡ଼ିକ ଉପରେ କେତେକ ସ୍ୱତନ୍ତ୍ର ନିୟମ ଲାଗୁ ହେବ। କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହି ବିଲ୍ ଉପସ୍ଥାପନ କରିଥିଲେ।

“ଏହି ବିଲ୍ ଦେଶର ୧୪୦ କୋଟି ଲୋକଙ୍କ ବ୍ୟକ୍ତିଗତ ଡିଜିଟାଲ୍ ତଥ୍ୟର ସୁରକ୍ଷା ସହ ଜଡ଼ିତ। ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମ କିମ୍ବା ଆପରେ ଆସୁଥିବା ଡାଟା ଏବେ ଆଇନ ଅଧୀନରେ ଆସିବ। ଯଦି ଲୋକଙ୍କ ବ୍ୟକ୍ତିଗତ ଡାଟାକୁ ଗଚ୍ଛିତ ରଖୁଥିବା କମ୍ପାନି ଏହାର ଅପବ୍ୟବହାର କରିବେ, ତେବେ ବିଲରେ ସେମାନଙ୍କ ପାଇଁ କଡ଼ା ଦଣ୍ଡବିଧାନ ଓ ଜୋରିମାନାର ବ୍ୟବସ୍ଥା ରହିଛି”, କହିଛନ୍ତି ଅଶ୍ଵିନୀ ବୈଷ୍ଣବ।

ସେ ଆହୁରି ମଧ୍ୟ କହିଛନ୍ତି, “ସମଗ୍ର ବିଶ୍ୱରେ ଡିଜିଟାଲ ଇଣ୍ଡିଆକୁ ନେଇ ଚର୍ଚ୍ଚା ହେଉଛି। ଅନେକ ଦେଶ ଭାରତର ଆଧାର, ୟୁପିଆଇ ଓ ଡିଜି ଲକର ଭଳି ବ୍ୟବସ୍ଥାକୁ ଆପଣେଇବାକୁ ଚାହୁଁଛନ୍ତି। ଏଥିପାଇଁ ଏହିସବୁ ସିଷ୍ଟମରେ ବ୍ୟବହାର ହେଉଥିବା ବ୍ୟକ୍ତିଗତ ଡାଟାର ସୁରକ୍ଷା କରିବା ଜରୁରୀ। ଡାଟାର ଅପବ୍ୟବହାର ହେଲେ ବିଶ୍ଵରେ ଭାରତର ଛବି ଖରାପ ହେବ। ସାଧାରଣ ଲୋକମାନେ ଯେପରି ସହଜରେ ବୁଝିପାରିବେ ସେଥିପାଇଁ ଏହି ବିଲର ଭାଷାକୁ ଅତି ସରଳ ରଖାଯାଇଛି।”

ଅନ୍ୟପଟେ ଏହି ଡାଟା ପ୍ରୋଟେକ୍ସନ ବିଲକୁ ସୋମବାର ଲୋକସଭାରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ସାଂସଦମାନେ ବିରୋଧ କରିଥିଲେ। ସେମାନେ ଏହି ବିଲକୁ ବିଚାର ପାଇଁ ସଂସଦୀୟ କମିଟି ନିକଟକୁ ପଠାଇବାକୁ ଦାବି କରିଥିଲେ।

‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍ ୨୦୨୩’ ଅନୁଯାୟୀ ଲୋକଙ୍କ ବ୍ୟକ୍ତିଗତ ଡାଟା ଅପବ୍ୟବହାର କିମ୍ବା ସୁରକ୍ଷା କରିବାରେ ବିଫଳ ହେଲେ ଡାଟା ଗଚ୍ଛିତ ରଖୁଥିବା କମ୍ପାନିଗୁଡ଼ିକୁ ସର୍ବାଧିକ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ନିୟମ ଉଲଂଘନ କରୁଥିବା ସଂସ୍ଥାକୁ ସର୍ବନିମ୍ନ ୫୦ କୋଟି ଟଙ୍କା ଜୋରିମାନା କରାଯିବାର ବ୍ୟବସ୍ଥା ଏହି ବିଲରେ ରହିଛି।

 

ନୂଆ ବିଲ୍ ଅନୁଯାୟୀ ଡାଟା କମ୍ପାନିମାନେ ଗ୍ରାହକଙ୍କ ଅଧିକାର ଏବଂ ସେମାନଙ୍କ ତଥ୍ୟର ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ବାଧ୍ୟ ହେବେ। ବିଲରେ ଡାଟା ସୁରକ୍ଷାର ମାନ ମଧ୍ୟ ନିର୍ଦ୍ଧାରଣ କରାଯାଇଛି।

Tags: #DataProtectionBill #DPDP2023 #PersonalData #DigitalInfrastructure #India

Comment