ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହୋଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା। ସିବିଏସଇ ଅଧୀନରେ ଥିବା ଦେଶର ସବୁ ସ୍କୁଲର ପ୍ରାୟ ୪୨ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ସେଥିମଧ୍ୟରୁ ଓଡ଼ିଶାରୁ ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି।
ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହୋଇଛି। ତେବେ ଏହାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା।
ପ୍ରଥମ ଦିନରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଇଂରାଜୀ ପରୀକ୍ଷା ଦେଇଛନ୍ତି। ସେହିପରି ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ୟୋଗ ଓ ଏଣ୍ଟରପ୍ରିନ୍ୟୁରସିପ୍ ଆଦି ଧନ୍ଦାମୂଳକ ବିଷୟରେ ପରୀକ୍ଷା ରହିଛି।
ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ, ସେ ନେଇ ସିବିଏସଇ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ସେହିପରି ପରୀକ୍ଷାରେ କପି ରୋକିବା ପାଇଁ ସ୍ଵତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ଏହାସହ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି।

ଦଶମ ଓ ଦ୍ୱାଦଶରେ ଆର୍ଟ ଓ ଅନ୍ୟାନ୍ୟ ଧନ୍ଦାମୂଳକ ବିଷୟ ପରୀକ୍ଷା ପାଇଁ ୨ ଘଣ୍ଟା ୩୦ ମିନିଟ୍ ସମୟ ମିଳିବ। ତେବେ ମୁଖ୍ୟ ବିଷୟଗୁଡ଼ିକର ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ୩ ଘଣ୍ଟା ସମୟ ମିଳିବ।
୨୦୨୫ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫେବ୍ରୁଆରି ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ ତାରିଖ ଯାଏଁ ଚାଲିବ। ଅନ୍ୟପଟେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫେବ୍ରୁଆରି ୧୫ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖରେ ସରିବ।
Tags: #CBSEBoardExams #SecondaryEducation #CBSE #India