ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନର ପ୍ରତୀକ୍ଷା ପରେ ମଙ୍ଗଳବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ପାସ୍ ହାର ୯୯.୦୪ ପ୍ରତିଶତ ରହିଛି। ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ। ପରୀକ୍ଷାରେ ଛାତ୍ରୀମାନଙ୍କର ପାସ୍ ହାର ୯୯.୨୪ ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସ୍ ହାର ୯୮.୮୯ ପ୍ରତିଶତ ରହିଛି।

୨୦୨୧ବର୍ଷ ୨୦ଲକ୍ଷ ୯୭ହଜାର ୧୨୮ ପିଲା ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ୨୦ଲକ୍ଷ ୭୬ହଜାର ୯୯୭ ଜଣ ପିଲା ପାସ୍ କରିଛନ୍ତି। ୫୭ହଜାର ୮୨୪ଜଣ ଛାତ୍ରଛାତ୍ରୀ ୯୫ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।ଏବର୍ଷ କେନ୍ଦ୍ରୀୟ ବିଦ୍ୟାଳୟର ପାସ୍ ହାର ଶତ ପ୍ରତିଶତ ରହିଛି। ନବୋଦୟ ବିଦ୍ୟାଳୟର ପାସ୍ ହାର ୯୯. ୯୯ ପ୍ରତିଶତ ରହିଥିବାବେଳେ ତ୍ରିଭେନ୍ଦମ ରିଜିୟନର ପାସ୍ ହାର ସର୍ବାଧିକ ୯୯.୯୯ ପ୍ରତିଶତ ରହିଛି। ସେହିପରି ଭୁବନେଶ୍ଵର ରିଜିଅନର ପାସ୍ ହାର ୯୯.୬୨ ପ୍ରତିଶତ ରହିଛି।

କରୋନା କାରଣରୁ ଚଳିତ ବର୍ଷ ସିବିଏସଇ ଦଶମ ପରୀକ୍ଷାକୁ ବାତିଲ କରାଯାଇଥିଲା। ତେବେ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଅର୍ଥାତ୍ ୪୦-୩୦-୨୦କୁ ଆଧାର କରି ଫଳ ପ୍ରକାଶ ପାଇଛି। ଆଶାଠାରୁ ଅଧିକ ଫଳ ପାଇ ଛାତ୍ରଛାତ୍ରୀମାନେ ଖୁସିବ୍ୟକ୍ତ କରିଛନ୍ତି।

Comment