ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ମାସ ୧୨ ତାରିଖରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଦକ୍ଷତା ପରୀକ୍ଷା(ଓଏସଏସଟିଇଟି) ଏବଂ କେନ୍ଦ୍ରୀୟ ଶିକ୍ଷକ ଦକ୍ଷତା ପରୀକ୍ଷା(ସିଟିଇଟି) ଅନୁଷ୍ଠିତ ହେବ। ଗୋଟିଏ ଦିନରେ ଦୁଇଟି ପରୀକ୍ଷା ପଡ଼ୁଥିବାରୁ ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବା ପିଲାଙ୍କ ଚିନ୍ତା ବଢ଼଼ିଛି। ସେମାନେ ଏହି ଦୁଇଟି ପରୀକ୍ଷା କିପରି ଦେବେ ତାହା ଦ୍ଵନ୍ଦ୍ଵ ବଢ଼଼ାଇଛି। ତେଣୁ କୌଣସି ଗୋଟିଏ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ଵାରା ପରିଚାଳିତ ସିଟିଇଟି ପରୀକ୍ଷା ଡିସେମ୍ବର ୨୮ ତାରିଖରୁ  ଆରମ୍ଭ ହୋଇଛି। ଅନ୍‌ଲାଇନ୍‌ ବା କମ୍ପ୍ୟୁଟର ବେସ୍‌ଡ ମୋଡ୍‌ରେ ହେଉଥିବା ଏହି ପରୀକ୍ଷା ୪୦ ଦିନ ଧରି ଚାଲି ଫେବ୍ରୁଆରି ୭ ତାରିଖରେ ଶେଷ ହେବ। ଜାନୁଆରି ୧୨ ତାରିଖରେ ଏହାର ପରୀକ୍ଷା ମଧ୍ୟ ରହିଛି।

ଅନ୍ୟପକ୍ଷରେ ଜାନୁଆରୀ ୧୨ ତାରିଖରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଟିଇଟି) ଅନୁଷ୍ଠିତ ହେବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଏହି ପରୀକ୍ଷାର ପ୍ରଥମ ଏବଂ ଦ୍ୱିତୀୟ ପେପର ସେହିଦିନ ଦିନ ପୂର୍ବାହ୍ନ ୧୦ଟା ଓ ୧୨ଟା ୩୦ରେ ଆରମ୍ଭ ହେବ। ପରୀକ୍ଷା ପାଇଁ ଜାନୁଆରି ୫ ତାରିଖରୁ ବୋର୍ଡ ୱେବସାଇଟରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ପରୀକ୍ଷାର୍ଥୀ ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ ନାହିଁ ବୋଲି ନଭେମ୍ବର ୧୬ ତାରିଖରେ ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଥିଲା।

ସିଟିଇଟି ପରୀକ୍ଷା ସାରା ଦେଶରେ ଅନୁଷ୍ଠିତ ହେଉଥିବାରୁ କୌଣସି ବି ପରିସ୍ଥିତିରେ ଏହାର ତାରିଖ ପରିବର୍ତ୍ତନ ହୋଇପାରି ନାହିଁ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି। ତେଣୁ ଏବେ କେବଳ ଓଏସ୍‌ଏସ୍‌ଟିଇଟି ପରୀକ୍ଷାର ତାରିଖ ପରିବର୍ତ୍ତନ ହିଁ ଏକମାତ୍ର ବିକଳ୍ପ। ଏହା ନ’ କରାଗଲେ  ଓଡ଼ିଶାର ହଜାର ହଜାର ପରୀକ୍ଷାର୍ଥୀ କୌଣସି ଏକ ପରୀକ୍ଷା ଦେବାରୁ ବଞ୍ଚିତ ହେବେ। ସେମାନଙ୍କ ଭବିଷ୍ୟତକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେବାକୁ ପରୀକ୍ଷାର୍ଥୀ ଟୁଇଟ୍‌ ମାଧ୍ୟମରେ ନିବେଦନ କରିଛନ୍ତି।

Tags: #CTETExam #OSSTETExam #Students #Odisha #CBSE #BSE

Comment