ଓଡ଼ିଶାଲାଇଭ୍ ବ୍ୟୁରୋ
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଜୋର୍ ଧରିଛି ରାଜନୀତି। ବିଜେପି ନେତା ୨୦୧୯ ପୂର୍ବରୁ ରାମ ମନ୍ଦିର ନିର୍ମାଣ ହେବା ନିଶ୍ଚିତ ବୋଲି କହିଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ରାମ ମନ୍ଦିର ନିକଟରେ ମସଜିଦ ନିର୍ମାଣକୁ କଦାପି ଅନୁମତି ପ୍ରଦାନ କରାଯିବ ନାହିଁ।
ବିଶ୍ୱ ହିନ୍ଦୁ ପରିଷଦ କହିଛି ଯେ ଯଦି ରାମ ମନ୍ଦିର ମାମଲାରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବାରେ ଢିଲା କରୁଛନ୍ତି ତେବେ ତାହାର ବହୁ ବିକଳ୍ପ ପନ୍ଥା ରହିଛି। ଏହାସହ ପ୍ରବୀଣ ତୋଗାଡିଆଙ୍କ ନୂଆ ସଂଗଠନ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦକୁ ନକଲି ବୋଲି ଚିତ୍ରଣ କରିଛି ବିଶ୍ୱ ହିନ୍ଦୁ ପରିଷଦ।
ସୋମବାର ଦିନ ଦିଲ୍ଲୀରେ ପରିଷଦର କେନ୍ଦ୍ରୀୟ ପ୍ରବନ୍ଧ ସମିତିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାମ ମନ୍ଦିର,ଗୋରକ୍ଷା ଓ ରୋହିଜ୍ଞା ମୁସଲିମଙ୍କ ଅନୁପ୍ରବେଶ ଆଦି ପ୍ରସଙ୍ଗରେ ଘମାଘୋଟ ଆଲୋଚନା ହୋଇଥିଲା।
ପରିଷଦ ବୈଠକରେ ଆଲୋଚନା ସମୟରେ ମତ ପ୍ରକାଶ ପାଇଛି ଯେ ଗୋହତ୍ୟା ଓ ଗୋଚାଲାଣ କ୍ଷେତ୍ରରେ ଯେଉଁ ଆଇନ ଅଛି ତାହାକୁ କଡ଼ାକଡ଼ି କରିବା ଦରକାର। ବୈଠକରେ ଗୃହୀତ ପ୍ରସ୍ତାବ ଅନୁସାରେ ଦେଶରେ ‘ଗୋରକ୍ଷକ ସମ୍ବର୍ଦ୍ଧନ ମନ୍ତ୍ରାଳୟ’ ନାମରେ ନୂଆ ମନ୍ତ୍ରାଳୟ ଖୋଲାଯିବା ଦରକାର।
ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି ଯେ ତାଙ୍କର ପୁରୁଣା ବନ୍ଧୁ ପ୍ରବୀଣ ତୋଗାଡ଼ିଆ ଯେଉଁ ନୂଆ ସଂଗଠନ କରିଛନ୍ତି ତାହା ନକଲି ଓ ଏହା ପଛରେ ବିଦ୍ୱେଷଭାବ ରହିଛି। ଯେଉଁ ସଂଗଠନ ସ୍ୱାର୍ଥ ହାସଲ ପାଇଁ ଉଦ୍ଦିଷ୍ଟ ତାହା ବେଶି ଦିନ ତିଷ୍ଠି ପାରିବ ନାହିଁ। ତୋଗାଡ଼ିଆଙ୍କ ଘର ବାହୁଡ଼ା ପ୍ରସଙ୍ଗରେ ସେ କହିଲେ ଯେ ପରିଷଦର ଦୁଆର ସବୁବେଳେ ଖୋଲା, ଘରକୁ ବାହୁଡ଼ିବେ କି ନା ସେ ନିଷ୍ପତ୍ତି ତୋଗାଡ଼ିଆଙ୍କର।