ଓଡ଼ିଶାଲାଇଭ୍‌ ବ୍ୟୁରୋ

ତନ୍ଦୁରି ଚା’ କହିଲେ ଲୋକେ ପୁନେ କଥା ଭାବୁଥିଲେ। କିନ୍ତୁ ଏବେ ଏହି ଚା’ ସ୍ମାର୍ଟସିଟି ଭୁବନେଶ୍ୱରରେ ମିଳୁଛି। ସକାଳେ, ସନ୍ଧ୍ୟାରେ ତନ୍ଦୁରି ଚା’ ପିଇବା ପାଇଁ ଲୋକଙ୍କ ଭିଡ଼ ଜମୁଛି।

ତନ୍ଦୁରି ରୁଟି, ତନ୍ଦୁରି ଚିକେନର ମଜା ସମସ୍ତେ ନେଇଥିବେ। ହେଲେ ‘ତନ୍ଦୁରି ଚା’ର ମଜା ଅଧିକାଂଶ ଲୋକେ ପାଇ ନଥିବେ। ଯଦି ତନ୍ଦୁରି ଚା’ର ମଜା ନେବାକୁ ଚାହୁଁଛନ୍ତି ତାହାଲେ ଆସନ୍ତୁ ଭୁବନେଶ୍ଵରର ବମିଖାଲ କେନାଲ ରୋଡ ନିକଟସ୍ଥ ସାଇବିହାର ଛକକୁ। ଏହି ଛକରେ ହିଁ ନିକଟରେ ଖୋଲିଛି ‘ତନ୍ଦୁରି ଚା’ ଆଉଟଲେଟ୍। ବର୍ଷା ଦିନେ ଏହି ତନ୍ଦୁରି ଚା’ର ମଜା ନେବା ପାଇଁ ସକାଳେ ଏବଂ ସନ୍ଧ୍ୟାରେ ଲାଗୁଛି ଗ୍ରାହକଙ୍କ ଭିଡ଼। ଏହି ଚା’ ଯିଏ ପିଉଛି ସେ କହୁଛି ବାଃ!

ଭଦ୍ରକ ଭଣ୍ଡାରିପୋଖରୀର ଦେବାଶିଷ ନାୟକ। ୨୦୦୮ରେ ମାଟ୍ରିକ ପାସ୍ କରିବା ପରେ ଭୁବନେଶ୍ଵରର ଏସ୍‌ଆଇଏଚଏମରେ ଦୁଇବର୍ଷିଆ ହୋଟେଲ୍ ମ୍ୟାନେଜମେଣ୍ଟରେ ଡିପ୍ଲୋମା କୋର୍ସରେ ନାମ ଲେଖାଇଥିଲେ। ୨୦୧୦ରେ  ହୋଟେଲ୍ ମ୍ୟାନେଜମେଣ୍ଟ ଶେଷ କରିବା ପରେ ଦେବାଶିଷ ଟ୍ରେନି ଭାବରେ ମେଘାଳୟରେ ଏକ ହୋଟେଲରେ କାମ ଆରମ୍ଭ କରିଥିଲେ। ୨୦୧୮ ଯାଏଁ ସେ ରାଜସ୍ଥାନର ସିଭିଲାସ୍, ଲଗ୍‌ଜୁରିଅସ୍ ରିସର୍ଟ, କେରଳର ବିକ୍ ଆଣ୍ଡ ବିଚ୍ ରିସର୍ଟ ଓ ଲେଜଲ୍ ଗ୍ରୁପର ଉଦୟ ସମୁଦ୍ରରେ ଚାକିରୀ କରିବା ପରେ ଓଡ଼ିଶା ଫେରି ଆସି ଭୁବନେଶ୍ୱରରେ ଖୋଲିଛନ୍ତି ତନ୍ଦୁରି ଚା’ ଆଉଟ୍‌ଲେଟ୍।

“ମୁଁ ଯେତେବେଳେ ସିଭିଲାସ୍ ଲଗ୍‌ଜୁରିଅସ୍ ହୋଟେଲରେ ଥିଲି ସେତେବେଳେ କମ୍ପାନି ମୋତେ ଅନ୍ୟ ପିଲାଙ୍କ ସହ ଟ୍ରେନିଂରେ ପୁନେ ପଠାଇଥିଲା। ପୁନେରେ ଆମେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍ (ଏସଓପି) ବିଷୟରେ ଶିଖିବାକୁ ଯାଇଥିଲୁ। ନୂଆ ରକମର ଖାଦ୍ୟ  ତିଆରି ଉପରେ ଆମକୁ ଶିଖାଯାଉଥିଲା। ପୁନେରେ ଥିଲାବେଳେ ମୁଁ ଦେଖିଲି ଗୋଟେ ଷ୍ଟଲରେ ବହୁତ ଭିଡ଼ ଜମିଛି। ସେଠାରେ ମୁଁ ଯାଇ ଦେଖେତ ତନ୍ଦୁରି ଚା’ କୁ ଲୋକମାନେ ପିଉଥିଲେ। ଏହା ମୋ’ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା। ମୁଁ ମଧ୍ୟ ଚା’କୁ ଟେଷ୍ଟ କଲି। ଯାହାର ସ୍ଵାଦ ଥିଲା ନିଆରା। ସେହି ଟି ଷ୍ଟଲ୍‌ରୁ ହିଁ ମୁଁ ତନ୍ଦୁରି ଚା’ ତିଆରି ଶିଖିଥିଲି”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଦେବାଶିଷ ନାୟକ।

ଦେବାଶିଷ ଆହୁରି କହିଛନ୍ତି ଯେ ଓଡ଼ିଶାରେ କୌଣସି ଜାଗାରେ ତନ୍ଦୁରି ଚା’ ମିଳୁନାହିଁ। ଭାରତରେ ଅନ୍ୟ କୌଣସି ସହର ବା ହୋଟେଲରେ ତନ୍ଦୁରି ଚା ଖୁବ୍ କମ୍ ମିଳେ। କେବଳ ପୁନେରେ ଏହାର ଅଳ୍ପ କିଛି ଷ୍ଟଲ୍ ଅଛି। ପ୍ରଥମଥର ପାଇଁ ସେ ରାଜଧାନୀରେ ଆରମ୍ଭ କରିଛନ୍ତି ଏହି ବ୍ୟବସାୟ। ଆଗାମୀ ଦିନରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ  ଆଉଟଲେଟ୍ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ସେ।

ତନ୍ଦୁରି ଚା’ ତିଆରି ପାଇଁ କ’ଣ ଆବଶ୍ୟକ?

  •  କ୍ଷୀର, ଚିନି, ଆସାମରୁ ଆସୁଥିବା ଭିନ୍ନ ପ୍ରକାର ଚା’ ପତି, ଜାୟତ୍ରୀ, ସୁଣ୍ଠି, ଡାଲଚିନି, ଲବଙ୍ଗ, ଗୁଜୁରାତି ଓ କାଜୁ ପାଉଡର
  • ଛୋଟ ମାଟି କଳସୀ
  • ତନ୍ଦୁରି ଭାଟି, ଗ୍ୟାସ କିମ୍ବା କୋଇଲା ଚୁଲା
  • ଭାଟିରୁ ଠେକିକୁ ଉପରକୁ ଆଣିବା ପାଇଁ ଏକ ଲମ୍ବା ଲୁହା ସିକ୍
  • ମଧ୍ୟମ ଧରଣର ଏକ ପିତ୍ତଳ ତସଲା

 କେମିତି ତିଆରି ହେଉଛି ତନ୍ଦୁରି ଚା’?

ଦେବାଶିଷ କୁହନ୍ତି ଯେ ପ୍ରଥମେ ଗ୍ୟାସ୍‌ରେ କ୍ଷୀର ଫୁଟିବା ପରେ ସେଥିରେ ଚିନି ଏବଂ ଚା’ପତି ପଡ଼ିଥାଏ। ଚା’ ଫୁଟିବା ପରେ ଜାଳେଣି କମ୍ କରାଯାଏ। ତନ୍ଦୁରି ଭାଟିରେ  ଛୋଟ ଠେକିକୁ ଗରମ କରାଯାଇଥାଏ। ଠେକି ଗରମ ହେବା ପରେ ଏକ ଲମ୍ବା ଲୁହା ସିକ୍ ମାଧ୍ୟମରେ ଗରମ ଠେକିକୁ ଆଣି ଏକ ପିତ୍ତଳ ତସଲାରେ ରଖିଥାନ୍ତି। ଠେକିରେ କିପରି ଧୂଳି ବା ବାଲି ନଲାଗିବ ସେଥିପ୍ରତି ଧ୍ୟାନ ଦେବା ଦରକାର।

ଏପଟେ ଗ୍ୟାସରେ ଗରମ ହେଉଥିବା ଚା’ ଗରମ ଠେକିରେ ଢଳାଯାଇଥାଏ। ଏହାପରେ ଚା’ର ପ୍ରକୃତ ରୂପ ଓ ରଙ୍ଗକୁ ଦେଖିହୁଏ। ଚା’ ଏହି ଗରମ ଠେକିରେ ଢଳା ହେଲା ପରେ ପୁଣି ପିତ୍ତଳ ତସଲାକୁ ବାହାର କରାଯାଏ। ଏହାପରେ କପ୍‌ରେ ଗରମ୍‌ ଗରମ୍‌ ତନ୍ଦୁରି ଚା’କୁ ଗ୍ରାହକଙ୍କୁ ପରଷି ଦେଇଥାନ୍ତି ଦେବାଶିଷ। ଚା’ କପ୍‌ର ମୂଲ୍ୟ ୨୦ ଟଙ୍କା ଟଙ୍କା ରଖିଛନ୍ତି ଦେବାଶିଷ।

ଦେବାଶିଷ କହିଛନ୍ତି, “ବର୍ତ୍ତମାନ ଦିନକୁ ୧୦୦ରୁ ୧୫୦ କପ୍ ଚା ବିକ୍ରି ହେଉଛି। ଏହାସହ ବର୍ଗର, ସ୍ୟାଣ୍ଡୱିଚ୍ ବିଭିନ୍ନ ବିସ୍କୁଟ୍ ମଧ୍ୟ ତାଙ୍କ ଆଉଟ୍‌ଲେଟ୍‌ରେ ମିଳୁଛି। ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ପାଇଁ ସୁଗାର୍ ଫ୍ରି ତନ୍ଦୁରି ଚା’ ମଧ୍ୟ ତିଆରି କରାଯାଉଛି। ଗ୍ରୀନ୍ ଟି ବା ବ୍ଲାକ୍ ଟି ତନ୍ଦୁରି ମାଧ୍ୟମରେ ହୋଇପାରିବ ନାହିଁ। ଆଗାମୀ ଦିନରେ ତନ୍ଦୁରି କଫି କରିବାକୁ ଆଶା ରହିଛି।”

ରିପୋର୍ଟ: ସତ୍ୟବ୍ରତ ପାଢ଼ୀ

LEAVE A REPLY

Please enter your comment!
Please enter your name here