ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ୟାଙ୍ଗଷ୍ଟର ଟିଟୋ ସାମ୍ରାଜ୍ୟର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ୍ ଏସ୍‌ଟିଏଫ୍। ଟିଟୋ ଲିଙ୍କ୍‌ରେ ୨୮ ତାରିଖରେ ପାରାଦୀପରୁ ଗିରଫ ହୋଇଥିବା ବାପୁ ପରିଡ଼ାର ଆଉ ଦୁଇ ଜଣ ସହଯୋଗୀଙ୍କୁ ଏସ୍‌ଟିଏଫ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଜଣ ହେଲେ ଦୀପକ ସ୍ୱାଇଁ ଓରଫ୍ ଚଗଲା ଏବଂ ଆଲୋକ ମଲ୍ଲିକ।

ରବିବାର ରାତିରେ ଉଭୟଙ୍କୁ ଗିରଫ କରିବା ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଇପିସି ଧାରା ୩୮୭, ୫୦୬, ୩୪ ଓ ୧୨୦ ବିରେ ମାମଲା ରୁଜୁ କରାଯାଇଛି। ଏମାନେ ପାରାଦୀପ ଅଞ୍ଚଳରେ ବିଭିନ୍ନ ଅପରାଧ ମାମଲାରେ ସଂପୃକ୍ତ ଥିଲେ। ହତ୍ୟା ଉଦ୍ୟମ, ଗୁଳିକାଣ୍ଡ, ଚୋରି, ଅପରାଧିକ ଷଡ଼ଯନ୍ତ୍ର, ଅପହରଣ ଭଳି ସଙ୍ଗୀନ ଅଭିଯୋଗ ଏମାନଙ୍କ ନାଁରେ ରହିଛି।

ଗତ ୨୮ ତାରିଖରେ ବାପୁ ପାରାଦୀପରୁ ଗିରଫ ହୋଇଥିଲା। ବାପୁ ନାଁରେ ବିଭିନ୍ନ ଥାନାରେ ୨୮ଟି ମାମଲା ରହିଛି। ଟିଟୋର ପାରାଦୀପ ଏମ୍ପାୟାରକୁ ଜଗୁଥିଲା ବାପୁ। ବାପୁ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଗୁଳିମାଡ଼, ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା, ଡକାୟତି, ଦାଦାବଟି ଆଦାୟ, ଅପହରଣ ଭଳି ସଙ୍ଗୀନ ଅଭିଯୋଗ ରହିଥିବା ଏସ୍‌ଟିଏଫ୍ ସ୍ପଷ୍ଟ କରିଛି।

କୁଜଙ୍ଗ ଥାନାରେ ୨ଟି, ଚାଉଳିଆଗଞ୍ଜରେ ଗୋଟିଏ, ପାରାଦୀପରେ ବିଭିନ୍ନ ମାମଲା ରହିଛି। ୩୮୭, ୫୦୬, ୧୨୦(ବି), ୩୪, ୨୫ ଓ ୨୭ ଦଫା ରୁଜୁ ହୋଇଛି। ବାପୁ ମଧ୍ୟ ପାରାଦୀପ ଡମ୍ପର ଆସୋସିଏସନର ସଭାପତି ଥିଲା। ଏକ ହତ୍ୟା ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ବାପୁ ପୂର୍ବରୁ ଜେଲ୍ ଯାଇଥିଲା। ପରେ ଜାମିନରେ ଆସିଥିଲା।

LEAVE A REPLY

Please enter your comment!
Please enter your name here