ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଇବ୍ରେରି ସାଇନ୍ସରେ ସ୍ନାତକ କରିଥିବା କିନ୍ନର ସୁମି ଦାସ ଏବେ ଲୋକ ଅଦାଲତର ଜଜ୍ ନିଯୁକ୍ତ ହୋଇଛନ୍ତି। ଜଲପାଇଗୁଡିର ଏହି ସୁମି ମାଉସୀଙ୍କର ସଂଘର୍ଷର କାହାଣୀ ଶୁଣିଲେ ଲୋମଟାଙ୍କୁରି ଉଠିବ। ତାଙ୍କ ସଫଳତାର କାହାଣୀ ପାଇଁ ଜଲପାଇଗୁଡିରେ ସେ ବେଶ ଚର୍ଚ୍ଚିତା। ଜଜ୍‌ ହେଲା ପରେ ନିଜ ଭଳି କଷ୍ଟ ଭୋଗୁଥିବା ଲୋକଙ୍କୁ ସେ ସମ୍ମାନ ଓ ରୋଜଗାର ଦେବାରେ ସାହାଯ୍ୟ କରୁଛନ୍ତି।

୧୪ ବର୍ଷ ବୟସରେ ଛାଡ଼ିଥିଲେ ଘର :

ପିଲା ବେଳୁ ସୁମିଙ୍କ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ ସୁମି ଦାସ ପୁଅ ଭାବେ ଜନ୍ମ ହୋଇଥିଲେ, କିନ୍ତୁ ପରେ ତାଙ୍କ ଚାଲିଚଳନ ଓ ହାବ-ଭାବ ଅନ୍ଦାଜରୁ  ଜଣେ ଝିଅ ବୋଲି ସେ ଅନୁଭବ କରିଥିଲେ। ଏହା ସହ ଧିରେ ଧିରେ ତାଙ୍କର ଶାରିରୀକ ପରିବର୍ତ୍ତନ ହୋଇଥିଲା। ସୁମି ତାଙ୍କ ମା’ ବାପାଙ୍କର ଏକ ମାତ୍ର ସନ୍ତାନ, ସେଥିପାଇଁ ସେ ଛୋଟ ବେଳୁ ବହୁତ ଗେହ୍ଲାରେ ବଢ଼ିଥିଲେ। ଅନ୍ୟ ଲୋକଙ୍କଠୁ ଅଲଗା ବୋଲି ଯେତେବେଳେ ମା’ ବାପା ଜାଣିଲେ ସେତେବେଳେ ସେମାନେ ମଧ୍ୟ ଦୁରେଇ ଗଲେ। ସ୍କୁଲରେ ସମସ୍ତେ ତାଙ୍କୁ ଥଟ୍ଟା କରୁଥିଲେ ଏବଂ ହସୁଥିଲେ। ତାଙ୍କ ସହ ଭେଦଭାବ ଆରମ୍ଭ ହୋଇଥିଲା। ଏହି ସବୁ କାରଣରୁ ୧୪ ବର୍ଷ ବୟସରେ ସେ ଘର ଛାଡ଼ି ଦେଇଥିଲେ।

୫୦ ଟଙ୍କାରେ କରୁଥିଲେ ଦେହ ବେପାର:

ତେବେ ଏତେ କମ ବୟସରେ କେମିତି ପେଟ ପୋଷିବେ ଚିନ୍ତାରେ ପଡ଼ିଯାଇଥିଲେ ସୁମି। ଏଥି ପାଇଁ ବହୁତ କଷ୍ଟ ପାଇଥିଲେ। ପେଟ ପୋଷିବା ପାଇଁ ନିଜ ସୌନ୍ଦର୍ଯ୍ୟକୁ ବ୍ୟବହାର କରିବାକୁ ବାଧ୍ୟ ହୋଇଥିଲେ ସେ। ତାଙ୍କ ପ୍ରତି ଅନେକ ଲୋକ ଆକର୍ଷିତ ହେଉଥିଲେ।

ସେ ମଧ୍ୟ ତାଙ୍କ ଲୋକଙ୍କ ସହ ଜଲପାଇଗୁଡି ଷ୍ଟେସନ ଯାଉଥିଲେ। ପ୍ରତି ରାତି ସେଠାରେ ନିଜ ଶରୀରକୁ ୫୦ ଟଙ୍କାର ବିକୁଥିଲେ। ଦେହ ବିକ୍ରିରେ ପେଟର ଭୋକ ମେଣ୍ଟୁଥିଲା ସତ,  କିନ୍ତୁ ସମ୍ମାନ ମିଳୁନଥିଲା। ଅବଶ୍ୟ ଏହି ପଇସାରେ ସେ ଚଳିବା ସହ ପାଠ ମଧ୍ୟ ପଢୁଥିଲେ। ତେବେ ସମ୍ମାନ ପାଇବା ପାଇଁ ସେ ଗୋଟେ ଏନଜିଓରେ ଚାକିରି କରିଲେ। ଏନଜିଓ ପ୍ରୋଜେକ୍ଟ ମାଧ୍ୟମରେ ସେ କଣ୍ଡୋମ ବାଣ୍ଟୁଥିଲେ। କିଛି ଦିନ ମଧ୍ୟରେ ଲୋକେ ତାଙ୍କୁ କଣ୍ଡୋମ ମାଉସୀ ନାଁରେ ଡାକିବା ଆରମ୍ଭ କରିଥିଲେ। ବର୍ତ୍ତମାନ ଲୋକ ଅଦାଲତର ଜଜ୍ ନିଯୁକ୍ତ ହେବା ପରେ ୧୨ରୁ ଅଧିକ କିନ୍ନରଙ୍କୁ ଥଇଥାନ କରିଛନ୍ତି ସୁମି।

LEAVE A REPLY

Please enter your comment!
Please enter your name here