ଶୁଭଶ୍ରୀ ନାୟକ

ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ ମୀରା ପରିଡ଼ାଙ୍କ ଜୀବନ କାହାଣୀ।

ମାୟାଧର ପରିଡ଼ାରୁ ମୀରା ପରିଡ଼ା। ଜୀବନ ଯାତ୍ରାରେ ଅନେକ ଘାତ ପ୍ରତିଘାତକୁ ସେ ସାମ୍ନା କରିଛନ୍ତି, କେତେ ନିନ୍ଦା, ଅପବାଦ ସହିଛନ୍ତି। ଅନେକ ସଂଘର୍ଷ ପରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏବେ ତାଙ୍କୁ ଲୋକ ମୀରା ମା’ ବୋଲି କହୁଛନ୍ତି।

‘‘ମୋ ଟାଇଟଲରେ ଯୋଡ଼ି ହୋଇଯାଇଥିଲା ମାଇଚିଆ’’

 ‘‘ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ଗଡ଼ତରା ଗାଁରେ ମୋର ଜନ୍ମ। ବାପା, ମାଙ୍କର ବଡ଼ ପୁଅ ଥିଲି। ଗେଲ ବସରରେ ବଢ଼ିଥିଲି। ସବୁକିଛି ଠିକ ଚାଲିଥିଲା। ବୟସ ବଢ଼ିବା ସହିତ ମୋ ଭିତରେ ପରିବର୍ତ୍ତନ ଆସିଥିଲା। ଚାଲି ଚଳନ, କଥାବାର୍ତ୍ତା ସବୁଥିରେ ପରିବର୍ତ୍ତନ ଦେଖାଯାଇଥିଲା। ସ୍କୁଲରେ ସାଙ୍ଗମାନେ ଚିଡ଼ଉଥିଲେ। ମତେ ମାଇଚିଆ ମାୟା ବୋଲି ଡାକୁଥିଲେ। ମୋ ଟାଇଟଲରେ ଯେମିତି ମାଇଚିଆ ଯୋଡ଼ି ହୋଇଯାଇଥିଲା’’, ଓଡ଼ିଶାଲାଇଭକୁ ସାକ୍ଷାତକାର ଦେବା ଅବସରରେ ପିଲାବେଳର ସ୍ମୃତିକୁ ମନେ ପକାଇ ଭାବବିହ୍ୱଳ ହୋଇପଡ଼ିଥିଲେ ମୀରା ପରିଡ଼ା।

ଦିନେ ନିଜର ପରିଚୟ, ନିଜର ଅସ୍ତିତ୍ୱ ଖୋଜୁଥିଲେ ମୀରା। କିନ୍ତୁ ଆଜିର ଦିନରେ ସେ ଜଣେ ଉଦ୍ୟୋଗୀ, ସାମାଜିକ କର୍ମୀ ଏବଂ ନେତ୍ରୀ ଭାବେ ପରିଚୟ ହାସଲ କରିଛନ୍ତି। ଓଡ଼ିଶାର କିନ୍ନର ସମୁଦାୟଙ୍କ ଅଧିକାର ପାଇଁ ସଂଘର୍ଷ କରି ସେ ଆଜି ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କିନ୍ତୁ ପିଲାବେଳ ତାଙ୍କର ବେଶ୍‌ ସଂଘର୍ଷମୟ ରହିଥିଲା।

ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ଘରୁ ବାହାରି ଯାଇଥିଲେ ଏବଂ ଗୁଜୁରାଣ ମେଣ୍ଟାଇବା ପାଇଁ ଭିନ୍ନ ଭିନ୍ନ କାମ କରିଥିଲେ । ଏମିତିକି ଭୁବନେଶ୍ୱରରେ କିଛି ଦିନ ପାଇଁ ରାଜମିସ୍ତ୍ରୀ ଏବଂ ଫଳ ବ୍ୟବସାୟ କରିଥିଲେ ମୀରା। ଏମିତି କିଛି ଦିନ କଟିବା ପରେ ପୁଣିଥରେ ଘରକୁ ଫେରିଥିଲେ ସେ। କିଛି ଦିନ ଘରେ ରହିବା ପରେ ତାଙ୍କୁ ବାହା କରିଦିଆଯାଇଥିଲା।

‘‘ମୁଁ ଦୁଇଥର ବାହା ହୋଇଥିଲି’’

‘‘ମୁଁ ଘରର ବଡ଼ ପୁଅ ଥିଲି। କିଶୋର ଅବସ୍ଥାରେ ମୋ ଭିତରେ ପରିବର୍ତ୍ତନ ଆସିଲା। ମୁଁ ଅନୁଭବ କଲି ଯେ ମୁଁ ପୁଅ ନୁହେଁ। କିନ୍ତୁ ଘର ଲୋକ ବୁଝିବାକୁ ବହୁତ ସମୟ ଲାଗିଥିଲା। ତେଣୁ ୨୩ ବର୍ଷ ବୟସରେ ମୁଁ ମାୟାଧର ପରିଡ଼ା ଭାବେ ବିବାହ କରିଥିଲି। ପ୍ରଥମ ବିବାହ ଅସଫଳ ହେବାରୁ ମତେ ଦ୍ୱିତୀୟ ଥର ପାଇଁ ବାହା କରିବାକୁ ପଡ଼ିଥିଲା’’, ନିଜର ଅତୀତକୁ ମନେ ପକାଇ ଏଭଳି କହିଛନ୍ତି ମୀରା ପରିଡ଼ା।

ଏ ବିବାହରେ ସେ ସହଜ ଅନୁଭବ କରୁନଥିବାରୁ ମୀରାଙ୍କର ୨ ଥର ଛାଡ଼ପତ୍ର ହୋଇଥିଲା। ‘‘ଜୀବନରେ କେବଳ ଅସଫଳତା ହିଁ ଦେଖିଥିଲି। ଯାହା ବି କରିବାକୁ ଚାହୁଁଥିଲି ସେଥିରେ ବିଫଳ। ଘରେ, ପରିବାରରେ ସବୁଠି କେବଳ ନିନ୍ଦା, ଅପବାଦ। ଏ ସବୁ ସହି ନପାରି ମୁଁ ଦିନେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲି’’, ଜୀବନର ଏମିତି ଏକ ମୁହୂର୍ତ୍ତକୁ ମନେ ପକାଇ ଏଭଳି କହିଛନ୍ତି ମୀରା ପରିଡ଼ା।

ପରବର୍ତ୍ତୀ ସମୟରେ ମୁମ୍ବାଇ ଚାଲିଯାଇଥିଲେ ମୀରା। ଅଜଣା ସହରରେ ଅସହାୟ ହୋଇ ବୁଲୁଥିବା ବେଳେ ସେଠାକାର କିଛି କିନ୍ନର ତାଙ୍କ ସହଯୋଗର ହାତ ବଢ଼ାଇଥିଲେ। ସେଇମାନଙ୍କ ମାଧ୍ୟମରେ ସେ କିନ୍ନର ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ମୀରାଙ୍କ କହିବା ଅନୁସାରେ ତା’ ପରେ ତାଙ୍କ ଜୀବନରେ ଆସିଥିଲା ବଡ଼ ପରିବର୍ତ୍ତନ। ସେଠାରେ କିଛି ଦିନ ରହିବା ପରେ ନିଜ ପାଠପଢ଼ା ପୂରଣ କରିଥିଲେ ମୀରା।

ମୁମ୍ବାଇରୁ ଫେରିବା ପରେ ସେ ସାଧନା ମିଶ୍ର ସହିତ ପରିଚିତ ହୋଇଥିଲେ। ସେ ଦୁଇ ଜଣ ମିଶି ‘ସଖା’ ନାଁରେ ଏକ ସଂସ୍ଥା କରିଥିଲେ। ଏହି ସଂସ୍ଥା କିନ୍ନରମାନଙ୍କ ଅଧିକାର ଓ ସଚେତନତା ପାଇଁ କାମ କରେ।

ପରବର୍ତ୍ତୀ ସମୟରେ ସେ ୨୦୧୬ରେ ୟୁନାଇଟେଡ଼ ନେସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ (ୟୁଏନଡିପି), ନ୍ୟାସନାଲ ଏଡସ୍ କଣ୍ଟ୍ରୋଲ ଅର୍ଗାନାଇଜେସନ (ନାକୋ) ଏବଂ ଏଚଆଇଭି ଆଲାଏନ୍ସ ଦ୍ୱାରା ଭାରତର ‘ବେଷ୍ଟ ଟ୍ରାନ୍ସଜେଣ୍ଡର ଲିଡର’ ପୁରସ୍କାର ସମେତ ସମଗ୍ର ଦେଶରେ ଏଚଆଇଭି ଏବଂ ଏଡସ୍ କବଳରୁ ଅସୁରକ୍ଷିତ ଅବହେଳିତ ଗୋଷ୍ଠୀର ଅଧିକାରର ସୁରକ୍ଷା ପାଇଁ ଅନେକ ପୁରସ୍କାର ଜିତିଛନ୍ତି ।

ଉଦ୍ୟାଗୀ ଭାବେ ମୀରାଙ୍କର ସ୍ୱତନ୍ତ୍ର ପରିଚୟ

ମୀରାଙ୍କୁ ଭାରତର ପ୍ରଥମ କିନ୍ନର ଉଦ୍ୟୋଗୀ ବୋଲି କୁହାଯାଏ। ୨୦୧୭ରେ ସେ ତାଙ୍କ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଓଡ଼ିଶା ଖଦି ଏବଂ ଗ୍ରାମ ଶିଳ୍ପ ବୋର୍ଡ ଦ୍ୱାରା ୧୦ ଲକ୍ଷ ଟଙ୍କା ପାଇଥିଲେ । ଏକ ବ୍ୟାଙ୍କଦ୍ୱାରା ଋଣ ପାଇଁ ଅନୁମୋଦନ ପାଇଥିବା ସେ ପ୍ରଥମ କିନ୍ନର।

କେବଳ ସେତିକି ନୁହେଁ, ୨୦୧୯ ମସିହାରେ ବିଜୁ ଜନତା ଦଳର ମହିଳା ଶାଖା ବିଜୁ ମହିଳା ଜନତା ଦଳ (ବିଏମଜେଡି) ଦଳର ଉପସଭାପତି ଭାବେ ନିଯୁକ୍ତ ହୋଇଥିଲେ ମୀରା। ଏବେ ସ ରାଜନୀତିରେ ବେଶ୍‌ ସକ୍ରୀୟ ଅଛନ୍ତି। ୨୦୨୪ ନିର୍ବାଚନରେ ସେ କେଉଁ ଏକ ଆସନରୁ ଲଢ଼ିବେ ବୋଲି ଆଶା କରାଯାଉଛି।

ଏବେ ସମାଜର ଜଣେ ପ୍ରତିଷ୍ଠିତ ଚେହେରା ମୀରା ପରିଡ଼ା। କିନ୍ତୁ ଏବେ ବି ତାଙ୍କ ପରିବାର ଲୋକ ତାଙ୍କୁ ଗ୍ରହଣ କରିପାରିନାହାନ୍ତି। ତେଣୁ ମୀରା କହନ୍ତି, ‘‘ଯେଉଁଠି ମନରୁ କେହି ଭଲ ପାଆନ୍ତିନି, ସେଠି ଯେତେ ଲଢ଼ିଲେ ବି ଭଲ ପାଇବା ମିଳିବନି। ତେଣୁ ଆଜି ମୁଁ ଯେତେ ସଫଳ ହେଲେ ବି ମତେ ଯଦି ପରିବାରରେ କେହି ଆପଣେଇବାକୁ ଚାହୁଁନାହାନ୍ତି, ତା’ ହେଲେ ମୋର ଦୁଃଖ ନାହିଁ‘‘, କହିଛନ୍ତି ମୀରା ପରିଡ଼ା।

Comment