ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ଏମିତି ଜଣେ ମହିଳା ଅଛନ୍ତି ଯିଏ ଏବେ ରକେଟ ଓମ୍ୟାନ ଭାବେ ଘରେ ଘରେ ପରିଚିତ। ଯାହାଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିଲା ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ। ସେ ହେଉଛନ୍ତି ଇସ୍ରୋ ବୈଜ୍ଞାନିକ ଋତୁ କରିଧାଲ ଶ୍ରୀବାସ୍ତବ।

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ରେ ବରିଷ୍ଠ ବୈଜ୍ଞାନିକ ଥିବା ଋତୁ କରିଧାଲ ଶ୍ରୀବାସ୍ତବ ‘ମାର୍ସ ଅର୍ବିଟର ମିଶନ’ (ମଙ୍ଗଳଯାନ) କୁ ସଫଳ କରାଇବାରେ ପ୍ରଭୁଖ ଭୂମିକା ଗ୍ରହଣ କରିଥିଲେ। ୧୯୯୭ ମସିହା ନଭେମ୍ବର ମାସରେ ଇସ୍ରୋର ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ ଋତୁ କରିଧାଲ। ଇସ୍ରୋର ଅନେକ ଗୁରୁତ୍ଵପୂର୍ଣ୍ଣ ମିଶନରେ କାର୍ଯ୍ୟ କରିବା ସହ ବିଭିନ୍ନ ଅଭିଯାନର ନିର୍ଦେଶକ ପଦରେ ରହି ସଫଳତାର ସହ ନିଜ ଦାୟିତ୍ଵ ସମ୍ପାଦନ କରିଛନ୍ତି ସେ।

ନିକଟରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଋତୁ କରିଧାଲ ଶ୍ରୀବସ୍ତବ ନେତୃତ୍ଵକୁ ନେଇ ଖୁବ ଚର୍ଚ୍ଚା ହେଉଛି। ପିଲାଟି ଦିନରୁ ହିଁ ଋତୁଙ୍କଠାରେ ସ୍ପେସ ସାଇନ୍ସ ପ୍ରତି ଆଗ୍ରହ ଦେଖିବାକୁ ମିଳିଥିଲା। ନିଜ ସ୍କୁଲ ଜୀବନରେ ସେ ନାସା ଏବଂ ଇସ୍ରୋର ଅଭିଯାନ ସମ୍ପର୍କୀତ ଖବର ସହ ଜୋଡ଼ି ହୋଇ ରହୁଥିଲେ। ତାଙ୍କ ସବୁ ପ୍ରିୟ କାମ ମଧ୍ୟରୁ ଏହା ଅନ୍ୟତମ ଥିଲା।

ଲକ୍ଷ୍ନୌ ୟୁନିଭର୍ସିଟିରୁ ୧୯୯୬ ମସିହାରେ ଫିଜିକ୍ସରେ ଏମଏସି କରିଛନ୍ତି ଋତୁ କରିଧାଲ। ଭାରତରେ ହିଁ ସେ ନିଜର ସମସ୍ତ ଶିକ୍ଷା ସମାପ୍ତ କରିଛନ୍ତି। ଲକ୍ଷ୍ନୌ ୟୁନିଭର୍ସିଟିରୁ ଏମଏସି କରିବା ପରେ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସରୁ ଏମଟେକ୍ ଡିଗ୍ରୀ ହାସଲ କରିଥିଲେ।

ଇସ୍ରୋରେ ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ଋତୁ କରିଧାଲ ଶ୍ରୀବାସ୍ତବ ୧୯୯୭ ମସିହାରେ ଯୋଗ ଦେଇଥିଲେ। ସ୍ପେସ ବୈଜ୍ଞାନିକ ହେବା ବ୍ୟତୀତ ସେ ରିସର୍ଚ ପେପର ମଧ୍ୟ ଲେଖିଛନ୍ତି। ଜାତୀୟ ଏବଂ ଅନ୍ତର୍ଜତୀୟ ସ୍ତରରେ ଋତୁ କରିଧାଲ ଶ୍ରୀବାସ୍ତବଙ୍କର ୨୦ରୁ ଅଧିକ ରିସର୍ଚ ପେପର ପ୍ରକାଶିତ ହୋଇଛି।

ଋତୁ କରିଧାଲ ଶ୍ରୀବାସ୍ତବ ‘ମଙ୍ଗଳଯାନ’ ମିଶନର ମଧ୍ୟ ସହ ନିର୍ଦେଶକ ଥିଲେ। ତାଙ୍କର ଦକ୍ଷତା ଏବଂ ଅଭିଜ୍ଞତା ଯୋଗୁଁ ସେ ଚନ୍ଦ୍ରଯାନ-୩ର ନେତୃତ୍ଵ ନେବାର ସୁଯୋଗ ପାଇଥିଲେ। ଚନ୍ଦ୍ରଯାନ-୨ର ନେତୃତ୍ଵ ମଧ୍ୟ ନେଇଥିଲେ ଋତୁ କରିଧାଲ ଶ୍ରୀବାସ୍ତବ। ଏହି ସମୟରେ ସଫ୍ଟ ଲ୍ୟାଣ୍ଡିଂରେ ତ୍ରୁଟି ଯୋଗୁଁ ଏହି ମିଶନ ବିଫଳ ହୋଇଥିଲା। ଏହା ପରେ ସପ୍ଟ ଲ୍ୟାଣ୍ଡିଂ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥିଲା। ଚନ୍ଦ୍ରଯାନ-୩ ମିଶନ ସମୟରେ ସଫ୍ଟ ଲ୍ୟାଣ୍ଡିଂର ଦାୟିତ୍ଵ ଦିଆଯାଇଥିଲା ୠତୁ କରିଧାଲଙ୍କୁ।

ପୂର୍ବରୁ ଇସ୍ରୋର ଅନେକ ଗୁରୁତ୍ଵପୂର୍ଣ୍ଣ ଅଭିଯାନର ଅଂଶ ରହିସାରିଛନ୍ତି ଋତୁ। ସେ ଅନେକ ଅଭିଯାନରେ ନିର୍ଦେଶକ ଭାବେ ମଧ୍ୟ ନିଜର ପରାକାଷ୍ଠା ଦେଖାଇଛନ୍ତି।

ଋତୁ କରିଧାଲ ଶ୍ରୀବାସ୍ତବ ଇସ୍ରୋରେ ଯୁବ ବୈଜ୍ଞାନିକ ପୁରସ୍କାର ଦ୍ଵାରା ସମ୍ମାନିତ ହୋଇଛନ୍ତି। ସେ ଏଏସଆଇ ଟିମ ପୁରସ୍କାର ମଧ୍ୟ ପ୍ରାପ୍ତ କରିଛନ୍ତି। ଋତୁ କରିଧାଲ ଭାରତର ବିଶିଷ୍ଟ ବୈଜ୍ଞାନିକମାନଙ୍କ ମଧ୍ୟରୁ ଜଣେ। ସେ ସବୁବେଳେ ନାରୀ ସଶକ୍ତିକରଣ ଏବଂ ଲିଙ୍ଗଗତ ସମାନତା ଉପରେ ଗୁରୁତ୍ଵ ଦେଇଆସୁଛନ୍ତି। ଆଜିର ଦିନରେ ତାଙ୍କୁ ଭାରତର ‘ରକେଟ ଓମ୍ୟାନ’ ଭାବେ ସମସ୍ତେ ଜାଣନ୍ତି।

Tags: #Chandrayaan3 #MoonMission #RituKaridhalSrivastav #LifeStory #India #ISROScientist

Comment