ଦେବଦାସ ଛୋଟରାୟ

ଲେଖକ ଓ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜରେ ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତିଚାରଣ। ବର୍ତ୍ତମାନ ଓ ପରବରତ୍ତୀ ପିଢି ସହ ଗଣେଶ୍ୱରଙ୍କୁ ଯୋଡ଼ିବା ଲାଗି ଓଡ଼ିଶାଲାଇଭ୍‌ ପକ୍ଷରୁ ଏହି କ୍ଷୁଦ୍ର ପ୍ରୟାସ।

୧୯୬୫ ମସିହାରେ, କଲିକତାରୁ ପ୍ରକାଶ ପାଉଥିବା ‘କଳନା’ ପତ୍ରିକାର କୌଣସି ସଂଖ୍ୟାରେ ମୋର ‘ଶ୍ରାବଣ’ ଗପ ଛପା ହୋଇଥିଲା। ଗଳ୍ପଟିର ପୃଷ୍ଠଭୂମି ଥିଲା ରେଭେନ୍ସା କଲେଜ ଏବଂ ବିଷୟବସ୍ତୁ ଥିଲା ଏକ ବିସ୍ତୃତ ସମୟର ପୁନରୁଦ୍ଧାର। ଗଳ୍ପର ନାୟକଙ୍କ ନାଁ ହେଲା ‘ଗଣେଶ୍ୱର’। ଗଣେଶ୍ୱର କୋଡ଼ିଏ ବର୍ଷର ବ୍ୟବଧାନ ପରେ କଲେଜ ଆସି, ଇଂଲିଶ୍‌ ସେମିନାର ଭିତର କାନ୍ଥରେ ଟଙ୍ଗା ହୋଇଥିବା ଗ୍ରୁପ୍‌ ଫଟୋ ଭିତରେ ନିଜକୁ ନିରୀକ୍ଷଣ କରି ବିସ୍ମିତ ହେଉଛନ୍ତି। ‘ସେମିନାର ଫଟୋର ସେ ଶୀର୍ଣ୍ଣ, ଉଜ୍ଜଳ ଗଣେଶ୍ୱର, ତମ୍ବା ତାର ପରି ଚେହେରା, କି ଏକ ପ୍ରମୂର୍ତ୍ତି ପ୍ରତିଭାରେ ଦୀପ୍ତ।’

ଗଳ୍ପରେ ଏଇ ଲାଇନ୍‌ଟି ଲେଖିଲା ବେଳକୁ, ମୋର ଗଣେଶ୍ୱର ବାବୁଙ୍କ ସହିତ ପରିଚୟ ହୋଇସାରିଥିଲା। ରେଭେନ୍ସା କଲେଜ ବାରନ୍ଦାରେ କେବଳ ତାଙ୍କ ଦୀପ୍ତ ତାରୁଣ୍ୟର ଚେହେରା ବଳରେ ସେ ମୋ ଗଳ୍ପ ଭିତରକୁ ଅନାୟାସରେ ନାୟକ ହୋଇ ପଶି ଆସିଥିଲେ। ସେଦିନଠାରୁ ତାଙ୍କ ଶେଷଦିନ ପର୍ଯ୍ୟନ୍ତ, ସେ ଯାହା ବି କରୁଥିଲେ ଏବଂ ଯେଉଁ ପରିସ୍ଥିତିରେ ଥିଲେ, ସେ ଆନନ୍ଦର ହେଉ, ଅଥବା ବେଦନାର ମୋ ପାଇଁ ତାଙ୍କର ଅଗ୍ରଣୀପଣ ସବୁବେଳେ ଅକ୍ଷୁର୍ଣ୍ଣ ଥିଲା।

ଗଳ୍ପ ହେଉ କବିତା ହେଉ ଅଥବା ସମ୍ପାଦକୀୟ ନିବନ୍ଧ ହେଉ, ସବୁଥିରେ ତାଙ୍କର ଭାଷା ଥିଲା ପରିଚ୍ଛନ୍ନ ଆଉ ସଂଯତ। ସେ ଓଡ଼ିଆ ଏବଂ ଇଂରାଜୀ ଦୁଇଟି ଯାକ ସାବଲୀଳ ଭାବେ ଲେଖି ପାରୁଥିଲେ। ତାଙ୍କ ଅନ୍ତରଙ୍ଗ ଅଭିବ୍ୟକ୍ତିର ପ୍ରଭାବ ମୋ ମାନସିକତାକୁ କେତେ ଢ଼ଙ୍ଗରେ ସ୍ପର୍ଶ କରିଛି।

ଆମେ ପଢ଼ୁଥିଲା ବେଳେ, ‘ଦି ରାଭେନ୍ସାଭିଆନ୍’ରେ ତାଙ୍କର ‘ସମୟ’ ବୋଲି ଗୋଟିଏ କବିତା ବାହାରିଥିଲା। ସେଥିରେ ଗୋଟିଏ ଉକ୍ତି ଥିଲା, ତାତିଲା ଖରାଦିନେ ଶୋଇଥିବା ‘କୁକୁର ପାଟିରୁ ପଡ଼ୁଥିବା ଟପ୍ ଟପ୍‌ ଲାଳ ପରି’ ପ୍ରବାହମାନ ସମୟ। କାହିଁକି କେଜାଣି ସମୟର ରୂପକଳ୍ପ କଥା ଭାବିଲେ, ଏ ଅଭିବ୍ୟକ୍ତ ମୋର ବାରମ୍ବାର ମନେପଡ଼େ।

ତାଙ୍କର ଛାତ୍ର ବୟସର କବିତା ସବୁରେ ମଧ୍ୟ ଆଧୁନିକତାର ଉଚ୍ଚାରଣ ବଡ଼ ସ୍ପଷ୍ଟ ଥିଲା। ସେଇ ମତେ ପ୍ରଥମଥର ପାଇଁ କହିଥିଲେ ଯେ W.H. Audenଙ୍କ ଭାଷାରେ କବିତାର ସବୁଠୁ ଭଲ ସଂଜ୍ଞା ହେଉଚି ‘Poetry is memorable speech’, ମୁଁ ଇଂରାଜୀ ସାହିତ୍ୟର ଛାତ୍ର ନଥିଲି। ସେ ବିଷୟର କେତେ ନିଗୁଢ଼ ତଥ୍ୟ ବଡ଼ ସ୍ୱଳ୍ପ ଓ ସମ୍ୟକ ଢ଼ଙ୍ଗରେ, କଥାବାର୍ତ୍ତା ଛଳରେ ହିଁ, ସେ ଆମମାନଙ୍କୁ କହି ଦେଉଥିଲେ। ମୋ ସହିତ Chinua Acheebeଙ୍କ ପରିଚୟ ହୋଇଥଇଲା ତାଙ୍କରି ମାଧ୍ୟମରେ।

ସେ ବାଣୀବିହାରରେ ପ୍ରଫେସର ଥିଲାବେଳେ, ମୁଁ ଭୁବନେଶ୍ୱରରେ ଅତିରିକ୍ତ ଗୃହ ସଚିବ ଥିଲି। ଏହା ଅଶି ଦଶକର ମଧ୍ୟଭାଗ। ମୋର ପୁରୁଣା ଶିକ୍ଷାନୁଷ୍ଠାନ ବାଣୀବିହାରକୁ ସମୟ ଅସମୟରେ ପଶିଯିବା ମୋର ଏକ ଉଲ୍ଲାସ ଥିଲା। ପ୍ରାୟ ପ୍ରତିଥର ମୁଁ ଇଂରାଜୀ ଡିପାର୍ଟମେଣ୍ଟରେ ଗଣେଶ୍ୱର ମିଶ୍ରଙ୍କୁ ଓ ଫିଲୋସଫି ଡିପାର୍ଟମେଣ୍ଟରେ ମୋର ସହଧ୍ୟାୟୀ ପ୍ରଫୁଲ୍ଲ ମହାପାତ୍ରଙ୍କୁ ଭେଟେ। ଏ ଦୁଇଟି ବିଭାଗ ଗୋଟିଏ ପରିସରରେ ଥିଲା। ଗଣେଶ୍ୱର ବାବୁ ମତେ ଚାହା ପିଆନ୍ତି, ଆଉ ଦୁଃଖ ପ୍ରକାଶ କରନ୍ତି ଯେ ମୁଁ ଲେଖିବା, ଆଉ ତା’ଠାରୁ ବେଶି, ମୋ ଲେଖାର ଅନୁବାଦ ଆଉ ପ୍ରକାଶନ ପ୍ରତି ଅମନଯୋଗୀ। ଏ ଚାରିତ୍ରିକ ତୃଟି ତାଙ୍କର ଶୃଙ୍ଖଳାପରାୟଣ ବ୍ୟକ୍ତିତ୍ୱ ପାଇଁ ଅମାର୍ଜନୀୟ ଥିଲା।

ଯଦିଓ ଅକ୍ଷୟ ମହାନ୍ତି ମତେ Book of Sand ବହି ବିଷୟରେ କହିଥିଲେ, ତେବେ ଗଣେଶ୍ୱର ମିଶ୍ର ହିଁ ମତେ ବିସ୍ତାରରେ jorge Luis Borgessଙ୍କ ରଚନା ସହିତ ପରିଚିତ କରାଇଥିଲେ। ସେ ମତେ ବୁଝାଇ ଦେଇଥିଲେ ଯେ ପ୍ରବଳ ଆବେଗର ବିଷୟବସ୍ତୁକୁ ସମ୍ପୂର୍ଣ୍ଣ ଆବେଗହୀନ ଭାବରେ, ଧଳାକାନ୍ଥ ପରି ରଙ୍ଗହୀନ ଭାଷାରେ ଅଭିବ୍ୟକ୍ତ କରିବା ହେଉଛି Borgessଙ୍କ ବିଶେଷତ୍ୱ। ମୁଁ ଯେମିତି Borgess ପଢ଼ିପାରେ, ସେଥିପାଇଁ ସେ ମତେ ତାଙ୍କ ନାଁରେ ଲାଇବ୍ରେରୀରୁ ଆଣି ଆମେରିକାରେ ଛପା ‘The Aleph and Other Stories’ ବହିଟି ଦେଇଥିଲେ।

ବହିଟି ଦିଲ୍ଲୀରେ ମୋ ସରକାରୀ ଗାଡ଼ି ଭିତରୁ ବ୍ରିଫ୍‌କେସ୍‌ ସହିତ ଚୋରି ହୋଇଗଲା। ମୋ ରଓଜରେ ମୂଲ୍ୟବାନ ବସ୍ତୁ ହିସାବରେ ଉଲ୍ଲେଖକରା ଏକମାତ୍ର ସାମଗ୍ରୀ ଭାବରେ, ଏ ବହି ଓ ଲେଖକର ନାଁକୁ ଦେଖି ହାଉସ୍‌ଖାସ୍‌ ଥାନା ଅଫିସର ଯେତିକି ବିସ୍ମିତ ହେଇଥିଲା,ତାକୁ ଠିକ୍‌ ଭାବେ ପଢ଼ି ନପାରି ସେତିକି ବିରକ୍ତ ହେଇଥିଲା। ବହିଟିର କ୍ଷତିପୂରଣ ଗଣେଶ୍ୱର ବାବୁ କେମିତି କଲେ ମୁଁ ଜାଣିନି, କିନ୍ତୁ କେବେ ବି ସେ ବହି ମତେ ଫେରସ୍ତ ମାଗିନାହାନ୍ତି କି ମୋର ଅସାବଧାନତାର ଆଲୋଚନା କରିନାହାନ୍ତି।

ମୁଁ ରେଭେନ୍ସାରେ କୁଳପତି ହୋଇଆସିଲା ପରେ, ଯେଉଁ କେତୋଟି ସାହାଯ୍ୟର ସ୍ତମ୍ଭ ଉପରେ ମୁଁ ଭରା ଦେଇ ଛିଡ଼ା ହୋଇଥିଲି, ତା’ ଭିତରେ ଗଣେଶ୍ୱର ମିଶ୍ର ଥିଲେ ପ୍ରମୁଖ। ସେ ମୋର ଅଗ୍ରଜତୁଲ୍ୟ କିନ୍ତୁ ଯେଉଁଠି ଦେଖିବେ, ସେଠି “ଏଇ ଠୁ ଆସିଲେ ବୋଲି କହି” କହି କିଛିଟା କପଟ ପରିହାସରେ ଛିଡ଼ା ହୋଇ ପଡ଼ୁଥିଲେ। ତା’ପରେ ସ୍ନେହରେ ପାଖରେ ବସାଇ ମୋ କାନରେ କହୁଥିଲେ ‘ତୁମେ ତ କଣ୍ଟାର ମୁକୁଟ ପିନ୍ଧି, ସେ ଚେୟାରରେ ବସିଚ, ଅଶାନ୍ତ ନଈରେ ନାଆ ଚଲଉଚ। ତୁମକୁ ଏଠି କେହି ଠିକ୍‌କରି ବୁଝିପାରୁନାହାନ୍ତି।’ ମୁଁ Ravenshwavianର ନୂତନପ୍ରସ୍ତ ବାହାର କଲାବେଳେ, ସେଥିରେ ଗଣେଶ୍ୱର ବାବୁଙ୍କର ଏକ ଉଚ୍ଚକୋଟୀର ପ୍ରବନ୍ଧ ‘ପ୍ରଥମେ ଗୋପୀନାଥ ମହାନ୍ତି, ତା’ପରେ ଚିନୁଆ ଆଚିବେ’ ପ୍ରକାଶ ପାଇଥିଲା। ଗଣେଶ୍ୱର ମିଶ୍ରଙ୍କର ସବୁ ଲେଖା ଯେମିତି ହୁଏ, ଏ ମଧ୍ୟ ଥିଲା ଦର୍ପଣ ପରି ପରିଚ୍ଛନ୍ନ ଆଉ ସଚେତନ।

ରେଭେନ୍ସାରେ ଆମେ ଯେଉଁ ବିଭିନ୍ନ ଉଦ୍ୟମ ଆରମ୍ଭ କରିଥିଲୁ, ସେସବୁ ଗଣେଶ୍ୱର ବାବୁଙ୍କର ପସନ୍ଦ ଥିଲା। ଛାତ୍ର ଆନ୍ଦୋଳନ ଓ ଗଣମାଧ୍ୟମରେ ତିରଷ୍କାର ଭିତରେ, ତାଙ୍କର ପକ୍ଷ ସମର୍ଥନ ମତେ ଓୟେସିସ୍‌ର ଆଶ୍ରୟ ପରି ଲାଗୁଥିଲା। ଆମର ପ୍ରତିଟି ଅନୁଷ୍ଠାନରେ ସେ ଆସି ଆଗଧାଡ଼ିରେ ବସୁଥିଲେ ଆଉ ତାରିଫ୍‌ କରୁଥିଲେ। ଆମେ ଡକ୍ଟରେଟ୍ ଦେଲାବେଳେ ବହୁଯତ୍ନରେ ଯେଉଁ ପ୍ରଶସ୍ତି ପତ୍ର (Citation) ତିଆରି କରିଥିଲୁ, ତା’ର ଇଂରାଜୀକୁ ଉଜ୍ବଳ ଓ ନିର୍ଭୁଲ୍ କରିବାର ଦାୟିତ୍ୱ ଗଣେଶ୍ବର ବାବୁ ନିଜେ ବହନ କରିଥିଲେ।

ମରିବାଟା କ’ଣ? ଏଟା କ’ଣ ସମୟର ଜାମାପ୍ୟାଣ୍ଟ୍ ବଦଳାଇବାର ଏକ ଢ଼ଙ୍ଗ! ଭାଷା, ଲେଖା ଆଉ ଆଚରଣରେ ସବୁବେଳେ ସଂଯତ ଆଉ ପରିଛନ୍ନ ଗଣେଶ୍ୱର, ମୁଁ କଲେଜ ଜୀବନରୁ ଦେଖିଚି, ତାଙ୍କ ପୋଷାକ ଲୌକିକ ମର୍ଯ୍ୟାଦା ସମ୍ପର୍କରେ ଯତ୍ନଶୀଳ।

ମୁଁ ଭାବେ ଏଥର ଏଇ ପୋଷାକ ବଦଳେଇବା ସମୟରେ ଗଣେଶ୍ୱର ବାବୁ କ’ଣ ପିନ୍ଧିବେ। ଶୁଭ୍ରବସ୍ତ୍ର, ଶୁଭ୍ର ଉପବୀତ ତାଙ୍କୁ ଅବଶ୍ୟ ମାନିବ, ଯେମିତି ଝଲମଲ ମୁକୁଟ, ସେ ସତରେ ହେଉ ବା ଜରିକାଗଜର ହଉ, ତାଙ୍କୁ ମୋଟେ ମାନିବନି। ତାଙ୍କ ବେଶପୋଷାକର ପରିଚୟ ଆଉ କୌଳିନ୍ୟ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ଗଣେଶ୍ୱର ବାବୁ ସ୍ୱୟଂ ସମର୍ଥ। ତେଣୁ ପୁଣି ଜାମା ପ୍ୟାଣ୍ଟ୍ ବଦଳେଇବା ବେଳେ ସେ ଯାହା ପିନ୍ଧିବେ, ଠିକ୍ ପିନ୍ଧିବେ।

ସୌଜନ୍ୟ-‘ଗଣେଶ୍ୱର ଗରିମା’

LEAVE A REPLY

Please enter your comment!
Please enter your name here