ଓଡ଼ିଶାଲାଇଭ୍ ବ୍ୟୁରୋ

 ଜ୍ୟେଷ୍ଠ ଶେଷ, ଆଷାଢ଼ ଆରମ୍ଭର ସମୟ। ମିଳନ ହୁଏ ମାଟି ଓ ମେଘର। ଏହି ମିଳନ ହେଉଛି ରଜ। କୃଷି, ସଂସ୍କୃତିର ପର୍ବ ହେଉଛି ଏହି ଗଣପର୍ବ। ନାରୀ ପରି ମାଟି ଏବେ ୠତୁମତୀ। ରଜପର୍ବର ସଜବାଜଠୁ ଭୂଇଁନଅଣ ବା ଭୂମିଦହନ ପର୍ଯ୍ୟନ୍ତ ନୂଆ ପୀଢ଼ା, ନୂଆ ଲୁଗା, ହଳଦୀ, ଶିଳପୁଆ, ଲଙ୍ଗଳ ଲୁହା, ଚନ୍ଦନ, ସିନ୍ଦୁର ଏମିତିକି ଯେତେ ଯେତେ ଉପଯୋଗୀ ଉପଚାର ଭୂମିପୂଜା ପାଇଁ ଲୋଡ଼ା

ତେଣୁ ରଜପର୍ବକୁ କୁହାଯାଏ ‘ବସୁମତୀଙ୍କ ଶୁଦ୍ଧସ୍ନାନ’। ବର୍ଷର ଏହି ସନ୍ଧିକାଳରେ ମାଟି ମାଆକୁ ସୁଖଦେବାଲାଗି ରଜପର୍ବର ପରିକଳ୍ପନା ହୋଇଥାଏ। ସଜବାଜରୁ ଶେଷ ରଜ ପର୍ଯ୍ୟନ୍ତ ଚାରି ଦିନ କାଳ ମାଟିକୁ ମା’ର ମାନ୍ୟତା ଦିଆଯାଏ।

ମିଥୁନ ସଂକ୍ରାନ୍ତିକୁ ରଜ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ। କେବଳ ଓଡ଼ିଶା ନୁହେଁ, ପୃଥିବୀର ବହୁ ଭୂମିରେ ଗ୍ରୀଷ୍ମଋତୁର ଶେଷ ଓ ବର୍ଷାଋତୁର ଆରମ୍ଭରେ ଭୂମିପୂଜାର ପରମ୍ପରା ରହିଛି। ଓଡ଼ିଶାରେ ରଜ ଖୁବ୍ ଆଡମ୍ବରେ ପାଳନ କରାଯାଏ। ନାରୀମାନେ ପାଦରେ ଅଳତା, ହାତରେ ମେହେନ୍ଦୀ, ଦେହରେ ହଳଦୀ, ଆଖିରେ କଳା, ନୂଆ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ଦୋଳି ଖେଳୁଥାନ୍ତି। ଦୋଳିରେ ଝୁଲି ଗାଉଥାନ୍ତି, ‘‘ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ସୁନାମୁକୁଟ ଲୋ ଦିଶୁଥାଏ ଝଟଝଟ।’’

ଗାଁମାନଙ୍କରେ ବଡ଼ ବଡ଼ ଆମ୍ବ ଗଛ, ବର ଗଛ, ଚାକୁଣ୍ଡା ଗଛମାନଙ୍କରେ ବନ୍ଧା ହୋଇଥାଏ ବାଉଁଶ ଦୋଳି। ପୁରୁଷମାନେ ରଜରେ ତାସ, ଲୁଡ଼ୁ, କବାଡ଼ି ଆଦି ଖେଳନ୍ତି।

ରଜ ଚାରିଦିନ ଯାକ ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ପିଠାପଣା ସାଙ୍ଗକୁ, ପାନ ରଜର ମଜାକୁ ଦ୍ୱିଗୁଣିତ କରିଦିଏ। ପୋଡ଼ପିଠା, ଚକୁଳି ପିଠା, ମଣ୍ଡା, ଆରିସା, କାକରାର ମହ ମହ ବାସ୍ନାରେ ମହକି ଉଠେ ଚତୁର୍ଦିଗ। କ୍ଷୀରିର ବାସ୍ନାରେ ମହକି ଉଠେ ରଜ।

LEAVE A REPLY

Please enter your comment!
Please enter your name here