ନୀଳାମ୍ବର ରଥ
ଅରୁଣ ଜେଟ୍ଲିଙ୍କ ଗୁଡ୍ ଆଣ୍ଡ ସିମ୍ପଲ୍ ଟ୍ୟାକ୍ସ ପାଲଟିଛି ରାହୁଲ ଗାନ୍ଧିଙ୍କ ପାଇଁ ହୋଇଛି ଗବ୍ବର ସିଂ ଟ୍ୟାକ୍ସ! ସରକାରୀ ଭାଷାରେ ତାହା ହେଉଛି ଜିଏସଟି ବା ଗୁଡ୍ସ ଆଣ୍ଡ ସର୍ଭିସେସ ଟ୍ୟାକ୍ସ। ଅସଲରେ ଏହି ନୂଆ ଟ୍ୟାକ୍ସ ଧାରା ଲାଗୁହେବା ଦିନଠାରୁ ସାରା ଭାରତରେ ବ୍ୟବସାୟୀ, ଜନତା ଓ ନେତାଙ୍କୁ ଏମିତି ଭୂତ ଲାଗିଛି ଯେ ଯେତେ ଗୁଣିଆ ଆସିଲେ ବି ତାହା ଛାଡୁନାହିଁ।
ଥରକୁ ଥର ବସୁଛି ଜିଏସଟି ପରିଷଦ ବୈଠକ। କେତେବେଳେ ୨୮ରୁ ୧୮, ପୁଣି କେତେବେଳେ ୧୮ରୁ ୧୨କୁ କମାଇବା କଥା ତ କେବେ କେବେ କେତେକ ସାମଗ୍ରୀ ଉପରୁ ଜିଏସଟି ସମ୍ପୂର୍ଣ୍ଣ ଉଠାଇବା ଲାଗି ନିଷ୍ପତି ନିଆଯାଉଛି। ଆଜି ଯଦି ଏମିତି ସମସ୍ତଙ୍କ ମନ ମିଶିଯାଉଛି, ଏହି ଟିକସକୁ ଲାଗୁ କଲାବେଳେ ଏହି ମନ ମିଶାଇବା ପାଇଁ ଆଉ ଟିକେ ଉଦ୍ୟମ କରିଥିଲେ, ହୁଏତ ଭଲ ହୋଇଥା’ନ୍ତା!
ମୋଦି ସରକାର ଯେଉଁ ଢଙ୍ଗରେ ଜିଏସଟି ଲାଗୁ କଲେ ଏବଂ ଏବେ ଥରକୁ ଥର ସମୀକ୍ଷା କରି ବିଭିନ୍ନ ସାମଗ୍ରୀ ଉପରୁ କର ପରିମାଣ ବଦଳାଇବା ନିଷ୍ପତି ନେଉଛନ୍ତି, ଇଏ ସତରେ ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଫୁଙ୍କିବା ଭଳି କଥା। ଅବଶ୍ୟ ଏବେ ପୁଣି ସାରା ଦେଶରେ ନିର୍ବାଚନୀ ଚିନ୍ତା ଆସିଯାଇଥିବାରୁ ଗୁଣିଆମାନଙ୍କ ମନ୍ତ୍ର ଭୁଲଭାଲ୍ ହୋଇଗଲା ପରି ମନେହେଉଛି!
ଜଣେ ବନ୍ଧୁ ନିକଟରେ ତାଙ୍କ ସ୍ତ୍ରୀଙ୍କୁ ଧରି ବୟନିକା ଯାଇଥିଲେ ଶାଢିପଟା କିଣିବା ପାଇଁ। ଓଡ଼ିଶୀ ହସ୍ତଶିଳ୍ପରେ ତାଙ୍କର ଭାରି ମନ। କିଣାକିଣି ସାରି କାଉଣ୍ଟରରେ କାର୍ଡ ସ୍ୱାଇପ୍ କଲାବେଳେ ବନ୍ଧୁଙ୍କ ପତ୍ନୀ ଷ୍ଟୋର ମ୍ୟାନେଜରଙ୍କୁ ପଚାରିଲେ, “କ’ଣ ସବୁ ରେଟ୍ ବଢିଯାଇଛି କି?” ଷ୍ଟୋର ମ୍ୟାନେଜର ଅତି ସରଳ ଭାଷାରେ ଉତ୍ତର ଦେଲେ, “ଆଜ୍ଞା, ଜିଏସଟି ପରା ଲାଗୁ ହୋଇଗଲା! ଆମେ କ’ଣ କରିବୁ?” ବୟନ ଶିଳ୍ପ ସାମଗ୍ରୀ ଉପରେ ଆଗରୁ ଟିକସ ନଥିଲା। ଜିଏସଟି ଆସିବା ପରେ ଗ୍ରାହକ ମୁଣ୍ଡରେ ପ୍ରତି ୧୦୦ ଟଙ୍କାରେ ୫ ଟଙ୍କାର ବୋଝ ପଡ଼ିଛି।
କୌଣସି ସାମଗ୍ରୀର କାରବାର ବେଳେ ଠିକଣା ଭାବେ ଟିକସ ଲାଗୁହେବା ଓ ତାହା ସରକାରଙ୍କ ରାଜକୋଷକୁ ଯିବା ଯେ କୌଣସି ଗଣତନ୍ତ୍ର ପାଇଁ ଏକ ସୁସ୍ଥ ପରମ୍ପରା। କିନ୍ତୁ କେଉଁ ସାମଗ୍ରୀ ଉପରେ କେତେ ପରିମାଣର ଟିକସ ଲାଗୁହେବା ଦରକାର ଏବଂ କେଉଁସବୁ ଜିନିଷକୁ ଟିକସ ଜାଲରୁ ମୁକ୍ତ ରଖିବା, ତାହା ଏକ ବଡ଼ ନିଷ୍ପତି। ଏହି ନିଷ୍ପତି ନେବା ବେଳେ ସାଧାରଣ ଲୋକ ଏବଂ ସମାଜର ବିଶେଷ ବର୍ଗର ସ୍ୱାର୍ଥ ପ୍ରତି ଧ୍ୟାନ ନଦେଲେ ‘ଭଲ’ ଯେ ‘ଭେଲ’ ହୋଇଯାଏ, ତାହା ଆଜିର ଜିଏସଟି ମାମଲାରୁ ପ୍ରମାଣିତ ହୋଇଯାଇଛି।
ସରକାର ଏବେ ଆଉ ୧୫୦ରୁ ୨୦୦ ସାମଗ୍ରୀ ଉପରୁ ଜିଏସଟି ବା କର ପରିମାଣ କମାଇବା ପାଇଁ ଚିନ୍ତା କରୁଛନ୍ତି। ଏ ବାବଦରେ ଆସାମର ଗୌହାଟୀଠାରେ ଜିଏସଟି ପରିଷଦ ବୈଠକରେ ଜୋରଦାର ଆଲୋଚନା ଚାଲିଛି। ଆଜି ତାହାର ଫଳ ବାହାରିବ। କେବଳ ଟିକସ ପରିମାଣ ନୁହେଁ, ଟ୍ୟାକ୍ସ ରିଟର୍ଣ୍ଣ ଫାଇଲକୁ ଆହୁରି ସରଳ କରିବା ପାଇଁ ମଧ୍ୟ ଏବେ ଚିନ୍ତା କରାଯାଉଛି। ଏହି ଚିନ୍ତା ଆରମ୍ଭରୁ କରିଥିଲେ ଆଜି ଦେଶବ୍ୟାପି ମୋଦି ସରକାର ଯେଉଁ ବିରୋଧର ସମ୍ମୁଖୀନ ହେଉଛନ୍ତି, ତାହା ତାଙ୍କୁ ବୋଧହୁଏ ଭୋଗିବାକୁ ପଡ଼ିନଥା’ନ୍ତା।
ଜିଏସଟି ଲାଗୁହେବା ପୂର୍ବରୁ ସାମଗ୍ରୀ ଏବଂ ସେବା କ୍ଷେତ୍ର ପାଇଁ ଅଲଗା ଅଲଗା ଭାବେ ସେଲ୍ସ ଟ୍ୟାକ୍ସ ଏବଂ ସର୍ଭିସ ଟ୍ୟାକ୍ସ ବ୍ୟବସ୍ଥା ଥିଲା। ତେବେ ଜିଏସଟି ଆସିବା ପରେ ଏହି ଉଭୟ ବ୍ୟବସ୍ଥାକୁ ମିଶାଇ ଦେଶରେ ଟିକସ କାରବାରକୁ ଏକମୁଖୀ ତଥା ସରଳ କରିବା ପାଇଁ ଉଦ୍ୟମ କରାଗଲା। କିନ୍ତୁ ଜିଏସଟିରେ ଯେଉଁଭଳି ଭାବେ ବିଭିନ୍ନ ବର୍ଗ ପାଇଁ ଅଲଗା ଅଲଗା ଟିକସ ବ୍ୟବସ୍ଥା ରହିଲା, ତାହା ଅନେକଙ୍କୁ ଆରମ୍ଭରୁ ଦ୍ୱନ୍ଦ୍ୱରେ ପକାଇଲା। ତା’ ସାଙ୍ଗକୁ ଟିକସ ଫାଇଲ କରିବା ପାଇଁ ଯେଉଁ ନୂଆ ନୂଆ ଢାଞ୍ଚା ଓ ନିୟମ ଲାଗୁ କରାଗଲା, ତାହା ସାଧାରଣ ବ୍ୟବସାୟୀ ବା ଉଦ୍ୟୋଗୀ ତ ଦୂରର କଥା, ବଡ଼ ବଡ଼ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଟ୍ୟାକ୍ସ କନସଲଟାଣ୍ଟଙ୍କ ମୁଣ୍ଡ ଉପରଦେଇ ଚାଲିଗଲା।
ଜିଏସଟି ସତରେ ଅନେକଙ୍କ ପାଇଁ ହୋଇଗଲା ରକେଟ୍ ସାଇନ୍ସ! ଏଇଠି ଦୁଇଟି ଛୋଟ ଉଦାହରଣ ଦେବାକୁ ଚାହିଁବି।
ପୂର୍ବ ନିୟମରେ ଥିଲା ଯଦି କୌଣସି ବ୍ୟକ୍ତି ବା ଅନୁଷ୍ଠାନର ବାର୍ଷିକ କାରବାର ୧୦ ଲକ୍ଷ ବା ତା’ଠାରୁ ଅଧିକ ହୋଇଥାଏ, ତେବେ ସେ କ୍ଷେତ୍ରରେ ସର୍ଭିସ ଟ୍ୟାକ୍ସ ପଞ୍ଜୀକରଣ ବାଧ୍ୟତାମୂଳକ। ଏବେ ଜିଏସଟି ନିୟମ ଘୋଷଣା କଲାବେଳେ ସରକାର ଛାତି ବାଡ଼େଇ କହିଲେ ଯେ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର ଥିଲେ, କାହାକୁ ଜିଏସଟି ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ନାହିଁ। କିନ୍ତୁ କଥାଟି ଯେମିତି ଶୁଣିବାକୁ ଭଲ ଲାଗୁଛି, କାମରେ ସେତିକି ସରଳ ନୁହଁ। ଧରନ୍ତୁ ମଧୁସୂଦନ ବାବୁ ଜଣେ ଆର୍ଟିଷ୍ଟ। ସେ ବିଭିନ୍ନ ପ୍ରକାର ଟେବୁଲ କ୍ୟାଲେଣ୍ଡର ଡିଜାଇନ କରନ୍ତି। ଗତ କିଛି ବର୍ଷ ହେଲା ସେ ଓଡ଼ିଶା ଏବଂ ରାଜ୍ୟ ବାହାରର ବିଭିନ୍ନ ସଂସ୍ଥା ପାଇଁ କ୍ୟାଲେଣ୍ଡର ଡିଜାଇନ କରିଆସୁଛନ୍ତି। ତାଙ୍କର ସର୍ଭିସ ଟ୍ୟାକ୍ସ ରେଜିଷ୍ଟ୍ରେସନ ନଥିଲା ଏବଂ ନୂଆ ନିୟମ ଅନୁଯାୟୀ ସେ ମଧ୍ୟ ଜିଏସଟି ପଞ୍ଜୀକରଣ ପାଇଁ ବାଧ୍ୟ ନୁହନ୍ତି। କିନ୍ତୁ ମଧୁସୂଦନ ବାବୁଙ୍କ ପାଇଁ ଏବେ ଅଡୁଆଟି ହେଲା ଯେ ନୂଆ ଜିଏସଟି ନିୟମ ଅନୁଯାୟୀ ଯଦି କାହାର ପଞ୍ଜୀକରଣ ନଥାଏ, ତେବେ ତାଙ୍କଠାରୁ ରାଜ୍ୟ ବାହାରର କୌଣସି ସଂସ୍ଥା ସେବା ନେଇପାରିବେ ନାହିଁ। ମଧୁବାବୁ ଏବେ ଅଡୁଆ ସୂତାରୁ ଖିଅ ଖୋଜୁଛନ୍ତି।
ଦୁଇ ନମ୍ବର ଉଦାହରଣଟି ହେଲା ସରକାରଙ୍କ ରିଭର୍ସ ଚାର୍ଜ ମେକାନିଜିମ୍। ଏହି ନିୟମର ପରିଧି ହେଲା ଯେ ଗୋଟିଏ ସଂସ୍ଥା ହିସାବରେ ଆପଣ କାହାଠାରୁ ସେବା ନେବା ବେଳେ ଯଦି ସମ୍ପୃକ୍ତ ବ୍ୟକ୍ତି ବା ସଂସ୍ଥାର ଜିଏସଟି ପଞ୍ଜୀକରଣ ହୋଇନଥାଏ, ତେବେ ଆପଣ ନିଜେ ସେ ଦେଇଥିବା ବିନା ଜିଏସଟି ବିଲ୍ ଉପରେ ନିଜ ଆଡୁ ଜିଏସଟି ପରିମାଣ ହିସାବକରି ପ୍ରତି ମାସରେ ଜମା କରିବେ। ଅତ୍ୟନ୍ତ ଦୟାବନ୍ତ ସରକାର ବାହାଦୂର ଅବଶ୍ୟ ଏହି ଟିକସ ଟଙ୍କାକୁ ପରେ ଆପଣଙ୍କୁ ଫେରାଇଦେବେ। ହୃଦାନନ୍ଦ ବାବୁ ଜଣେ ଛୋଟ ଉଦ୍ୟୋଗୀ। ତାଙ୍କର ବାପା ଜେଜେବାପା ଅମଳରେ କେହି ବେପାର କରିନଥିଲେ। ହୃଦାନନ୍ଦ ବାବୁଙ୍କୁ ଏହି ରିଭର୍ସ ଚାର୍ଜ ମେକାନିଜିମ୍ ବୁଝିବାକୁ ବେଶ୍ କିଛିଦିନ ଲାଗିଗଲା। ସେ ମନକୁ ମନ ପ୍ରଶ୍ନ କଲେ: ମୁଁ ଯାହାଠୁ ସେବା ନେଉଛି, ତା’ର ଯଦି ଜିଏସଟି ରେଜିଷ୍ଟ୍ରେସନ ନମ୍ବର ନାହିଁ, ତେବେ ତା’ ଉପରେ ମୁଁ (ହୃଦାନନ୍ଦ ବାବୁ) ଟିକସ ଦେବି କିଆଁ, ପୁଣି ତାକୁ ପରେ ସରକାର ମୋତେ ଫେରାଇବେ କିଆଁ?
ଅବଶ୍ୟ ହୃଦାନନ୍ଦ ବାବୁ ଏହି ରିଭର୍ସ ଚାର୍ଜ ମେକାନିଜିମ୍ କଥା ଭଲକରି ବୁଝିଲା ବେଳକୁ ଖୋଦ୍ ଜେଟଲି ବାବୁ ରିଭର୍ସ ଗିଅର ମାରି ଚଳିତ ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ ଏହାକୁ ଅଟକାଇ ଦେଇଛନ୍ତି। ଅର୍ଥାତ, ଯାହା ଦେଇଛ ଦେଇଛ, ଏବେ ରହିଯା’। କେବଳ ସେତିକି ନୁହେଁ, ଜିଏସଟି ଜମା କରିବା ନେଇ ବିଳମ୍ବ ହେତୁ ଲୋକେ ଯେଉଁ ଫାଇନ୍ ଦେଇଛନ୍ତି, ତାକୁ ମଧ୍ୟ ସରକାର ଏବେ ଫେରାଇ ଦେଉଛନ୍ତି। କି ବିଶାଳ ହୃଦୟ ସତରେ!
ଜିଏସଟି ଭଳି ଯେ କୌଣସି ବ୍ୟବସ୍ଥାକୁ ଏ ଦେଶର ନାଗରିକମାନେ ସ୍ୱାଗତ କରିବେ ଯଦି ଏହି ନିୟମ ପ୍ରଣୟନ କରୁଥିବା ନିର୍ବାଚିତ ଓ ଅନିର୍ବାଚିତ ବାବୁମାନେ ଚଟୁ ଆଇଁଷ, ବେଣ୍ଟ ନିରାମିଷ ଷ୍ଟାଇଲ୍ ଛାଡ଼ି ସମସ୍ତଙ୍କ ପାଇଁ ଏକ ସରଳ ମାପଦଣ୍ଡ ନିର୍ଦ୍ଧାରଣ କରିପାରିବେ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍ର ମୁଖ୍ୟ ସମ୍ପାଦକ)