ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଏସ୍‌ଟି ଠକେଇ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ୍। 

  • ନୂଆ ପ୍ରତିଷ୍ଠାନ ମାଧ୍ୟମରେ ଚାଲୁଥିଲା ଠକେଇ
  • ରାଉରକେଲାରୁ ଦୁଇ ଓ ଚୌଦ୍ୱାରରୁ ଜଣେ ଗିରଫ
  • ୪୦ କୋଟି ଢୋକିଛନ୍ତି ତିନି ଅଭିଯୁକ୍ତ

ଜାଲ୍ ବିଲ୍ ମାଧ୍ୟମରେ କୋଟି କୋଟି ଟଙ୍କା ଟିକସ ହଡ଼ପ କରୁଥିବା ଏକ ବଡ଼ ରାକେଟ୍‌ର ପର୍ଦ୍ଦାଫାସ କରିଛି ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ୍। ଜାଲ୍ ବିଲ୍ ବିରୋଧରେ ରାଜ୍ୟବ୍ୟାପୀ ଚାଲିଥିବା ଚଢ଼ାଉରେ ଏନ୍‌ଫୋର୍ସମେଣ୍ଟ ଟିମ୍ ୨୦୦ କୋଟି ଟଙ୍କାର ଜାଲିଆତି ଠାବ କରିଥିବା ବେଳେ ଏଥିରେ ସମ୍ପୃକ୍ତ ୩ ଜଣ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ରାଉରକେଲାରୁ ଥିବା ବେଳେ ଅନ୍ୟ ଜଣକ ଚୌଦ୍ୱାରର ବୋଲି ଜଣାପଡ଼ିଛି।

ଜିଏସ୍‌ଟି ଠକେଇରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଲେ ସ୍ମୃତିରଞ୍ଜନ ମହାନ୍ତି, ରାଜୀବ ମିଶ୍ର ଓ ସୌମ୍ୟରଞ୍ଜନ ମହାନ୍ତି। ଜାଲ୍ ବ୍ୟବସାୟିକ ପ୍ରତିଷ୍ଠାନ ମାଧ୍ୟମରେ ଏହି ଅଭିଯୁକ୍ତମାନେ ପ୍ରାୟ ୨୦୦ କୋଟିର ଜାଲିଆତି କରି ପ୍ରାୟ ୪୦ କୋଟି ୩୬ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରୁ ସୌମ୍ୟ ମହାନ୍ତି ଏଚ୍‌ଡିଏଫ୍‌ସି ଲାଇଫ୍ ଇନ୍ସ୍ୟୁରାନ୍ସରେ ସିନିୟର ବ୍ରାଞ୍ଚ୍ ସର୍ଭିସ୍ ମ୍ୟାନେଜର ଅଛନ୍ତି। ତେବେ ଏହି ରାକେଟ୍‌ର ଅନ୍ୟ ଦୁଇ ମାଷ୍ଟରମାଇଣ୍ଡ୍ ଥିବା ରାଉରକେଲା ସାମ୍ବାଦିକ ସଂଘର ସମ୍ପାଦକ ଶିବରାମ ପାତ୍ର ଓ ଅଙ୍କିତ ଅଗ୍ରଓ୍ୱାଲ ଫେରାର ଥିବା ଜିଏସ୍‌ଟି କମିସନର ସୁଶୀଲ କୁମାର ଲୋହାନି ପ୍ରକାଶ କରିଛନ୍ତି।ଜିଏସ୍‌ଟି କମିସନର ଶ୍ରୀ ଲୋହାନିଙ୍କ କହିବାନୁସାରେ, ୧୨ଟି ଜାଲ୍ ବ୍ୟବସାୟିକ ପ୍ରତିଷ୍ଠାନ ଜରିଆରେ ୮୪.୦୧ କୋଟି ଟଙ୍କାର ଜାଲ୍ କିଣା ବିଲ୍ ମାଧ୍ୟମରେ ଏହି ପାଞ୍ଚ ଅଭିଯୁକ୍ତ ୨୦.୪୫ କୋଟିର ଇନ୍‌ପୁଟ୍ ଟାକ୍ସ କ୍ରେଡିଟ୍ ଆତ୍ମସାତ୍ କରିଛନ୍ତି। ଏହି କାରବାରରେ ଜିନିଷପତ୍ରର ପ୍ରକୃତ କିଣାବିକା ହୋଇନି। କେବଳ କାଗଜପତ୍ରରେ ମାଲ୍ କିଣାଯାଇଥିବା ଦର୍ଶାଇ ୧୧୫.୧୯ କୋଟିର ଜାଲ୍ ବିଲ୍ ବଳରେ ୨୧.୯୧ କୋଟି ଟଙ୍କାର ଜାଲ୍ ଇନ୍‌ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ରାଜ୍ୟ ଓ ରାଜ୍ୟ ବାହାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଏହି ୨୦୦ କୋଟିର ଘୋଟାଲା ମାତ୍ର ୪ରୁ ୫ ମାସ ଭିତରେ ହୋଇଛି। ଏହି ଅଭିଯୁକ୍ତମାନେ ଆଉ କିଛି ଜାଲ୍ ପ୍ରତିଷ୍ଠାନ କରି ଅଧିକ ଟଙ୍କା ଆତ୍ମସାତ୍ କରିବା ପାଇଁ ଯୋଜନା କରିଥିଲେ। ସେଗୁଡ଼ିକର ପଞ୍ଜୀକରଣ ତୁରନ୍ତ ରଦ୍ଦ ପାଇଁ ବିଭାଗୀୟ ନିର୍ଦ୍ଦେଶ ଦିଆଯାଇଛି।

ଏନ୍‌ଫୋର୍ସମେଣ୍ଟ୍ ୱିଙ୍ଗ ଦ୍ୱାରା ତଥ୍ୟ ବିଶ୍ଲେଷଣ ଓ ଗୁଇନ୍ଦା ସୂତ୍ରକୁ ଆଧାର କରି ନଭେମ୍ବର ମାସରେ ରାଜ୍ୟବ୍ୟାପୀ ଚଢ଼ାଉ ବେଳେ ଏହି ନକଲି ଫାର୍ମଗୁଡ଼ିକର ଠକାମି ସାମ୍ନାକୁ ଆସିଥିଲା। ଏଯାବତ୍ ପ୍ରାୟ ୧୦୦ରୁ ଅଧିକ ଭୂତ ଫାର୍ମ ବିଷୟ ପଦାକୁ ଆସିଲାଣି। ବିଭିନ୍ନ ଲୋକଙ୍କ ପରିଚୟପତ୍ର ଓ ଠିକଣା କାଗଜପତ୍ର ନେଇ ସେଥିରେ ନକଲି ଫାର୍ମ କରି ଏଭଳି ଠକେଇ କରାଯାଇଛି। ଏବେ ଏଭଳି ଅନେକ ଜାଲ୍ ଫାର୍ମ ନେଇ ତଦନ୍ତ ହେଉଛି। ଆଗକୁ ଆଉ କିଛି ଅଭିଯୁକ୍ତ ମଧ୍ୟ ସାମ୍ନାକୁ ଆସିବେ ବୋଲି କୁହାଯାଉଛି।ଜିଏସ୍‌ଟି ଠକେଇ ଘଟଣାରେ ବିଭିନ୍ନ ସମୟରେ ଚଢ଼ାଉ ଚାଲିଛି। ଏହି ଅଭିଯାନରେ ରାଜ୍ୟରେ ଜାଲ୍ ବିଲ୍ ଜାରି କରି ପ୍ରାୟ ୪୭୦୦ କୋଟି ଟଙ୍କାର କିଣାବିକା କରିଥିବା ୧୬ ଜଣ ଠକ ବ୍ୟବସାୟୀଙ୍କୁ ରାଜ୍ୟ ଏନ୍‌ଫୋର୍ସମେଣ୍ଟ୍ ୱିଙ୍ଗ୍ ଗିରଫ କରିସାରିଲାଣି। ଏହି କିଣାବିକା ମାଧ୍ୟମରେ ସେମାନେ ପ୍ରାୟ ୮୮୧ କୋଟିର ଜାଲ୍ ଇନ୍‌ପୁଟ୍ ଟ୍ୟାକ୍ସ ଆତ୍ମସାତ୍ କରିବା ସହିତ ଅନ୍ୟକୁ ହସ୍ତାନ୍ତର କରିଛନ୍ତି। ସେହିପରି ରାଜ୍ୟ ଜିଏସ୍‌ଟି ବିଭାଗ ଦ୍ୱାରା ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ୧୯ ହଜାର ୫୩୯ ଜଣ ବ୍ୟବସାୟୀଙ୍କ ପଞ୍ଜୀକରଣକୁ ରଦ୍ଦ କରାଯାଇଛି। ରିଟର୍ଣ୍ଣ ଦାଖଲ କରିନଥିବା ହେତୁ ବା କ୍ଷେତ୍ରୀୟ ଅନୁସନ୍ଧାନରେ ଏଗୁଡ଼ିକ ନକଲି ପ୍ରତିଷ୍ଠାନ ବୋଲି ଜଣାପଡ଼ିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ଏହି ଜାଲିଆତି ରୋକିବା ପାଇଁ ରାଜ୍ୟ ଜିଏସ୍‌ଟି କମିସନରଙ୍କ ପକ୍ଷରୁ ସର୍ବସାଧାରଣଙ୍କୁ ଏକ ନିବେଦନ କରାଯାଇଛି। ଯଦି କେହି ଲୋକ ନିଜର ପରିଚୟପତ୍ର ଅନ୍ୟ କାହାକୁ ପ୍ରଦାନ କରିଛନ୍ତି ତେବେ ତୁରନ୍ତ ସେନେଇ ଜିଏସ୍‌ଟି ବିଭାଗକୁ ଜଣାଇବାକୁ ଅନୁରୋଧ କରାଯାଇଛି ବୋଲି କମିସନର ଶ୍ରୀ ଲୋହାନି ପ୍ରକାଶ କରିଛନ୍ତି।

Comment