କମଳାକାନ୍ତ ପତି

ଭାରତ ସହ ରାଫାଲ୍ ଯୁଦ୍ଧ ବିମାନ ବିକ୍ରି ଚୁକ୍ତି କରିଥିବା ଫ୍ରାନ୍ସ କମ୍ପାନି ଅଫସେଟ୍ ସର୍ତ୍ତ ଅମାନ୍ୟ କରୁଥିଲେ ମଧ୍ୟ ସରକାର ନିରବ କାହିଁକି ବୋଲି ପ୍ରଶ୍ନ କରିଥିଲେ ସିଏଜି। ଜିଏସଟି ବାବଦ ସେସ୍ ଅର୍ଥ ଅନ୍ୟତ୍ର ବିନିଯୋଗ ହୋଇଥିବା ଦର୍ଶାଇ ସରକାରଙ୍କ ମୁଖା ଖୋଲି ଦେଇଛି ଏହି କେନ୍ଦ୍ରୀୟ ଅଡିଟ୍ ସଂସ୍ଥା।

ମିଛ କହି ରାଜ୍ୟଗୁଡ଼ିକୁ ଫାଙ୍କୁଛନ୍ତି ସରକାର। କରୋନା କାଳରେ ବ୍ୟବସାୟ ଠପ୍ ହୋଇଯାଇଥିବା କାରଣରୁ ସରକାର ହରାଇଛନ୍ତି କୋଟି କୋଟି ଟଙ୍କାର ରାଜସ୍ୱ। ଅର୍ଥନୀତି ରସାତଳଗାମୀ ହୋଇଥିବା ବେଳେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଦ୍ରବ୍ୟ ସେବା କର (ଜିଏସଟି) ବାବଦ କ୍ଷତିପୂରଣ ଅର୍ଥ ପ୍ରଦାନ କରିପାରିବେ ନାହିଁ ବୋଲି ଜଣାଇ ଦେଇଛନ୍ତି। ରାଜ୍ୟଗୁଡ଼ିକ ଖୋଲା ବଜାରରୁ ଋଣ କରି କିମ୍ବା ବ୍ୟାଙ୍କ୍ରୁ ଋଣ ନେଇ କ୍ଷତି ଭରଣା କରନ୍ତୁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିକଳ୍ପ ରାସ୍ତା ଦେଖାଇଛନ୍ତି। ରାଜ୍ୟଗୁଡ଼ିକ ପ୍ରଶ୍ନ କରୁଛନ୍ତି ଏହି ଋଣ ସୁଝିବ କିଏ? ପଶ୍ଚିମବଙ୍ଗ ଓ କେରଳ ଭଳି ରାଜ୍ୟ କହିଲେଣି କେନ୍ଦ୍ର ସରକାର ନିଜ ଆଡୁ ଋଣ କରି କ୍ଷତିପୂରଣ ରାଶି ପ୍ରଦାନ କରୁନାହାନ୍ତି କାହିଁକି?

୨୦୧୭ ଜୁଲାଇ ପହିଲାରୁ ସାରା ଦେଶରେ ଏକକ ଟିକସ ବ୍ୟବସ୍ଥା ଏବଂ ଜିଏସଟି ପ୍ରଚଳନ ବେଳେ ସ୍ପଷ୍ଟ କରିଥିଲେ ଯେ, ଏ ବାବଦରେ ରାଜ୍ୟଗୁଡ଼ିକ ଯଦି କ୍ଷତିର ସମ୍ମୁଖୀନ ହୁଅନ୍ତି କେନ୍ଦ୍ର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ତାହା ଭରଣା କରିବ। ଏବେ ଅର୍ଥମନ୍ତ୍ରୀ ସୀତାରମଣ କରୋନାକୁ ଆକ୍ଟ ଅଫ୍ ଗଡ୍ବୋଲି କହି ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଫାଙ୍କୁଛନ୍ତି। ଏହାର ଅସଲ କାରଣ ଧରିଛନ୍ତି କଣ୍ଟ୍ରୋଲର ଆଣ୍ଡ ଅଡିଟର୍ ଜେନେରାଲ୍ (ସିଏଜି)।

ଜିଏସଟି ଅର୍ଥ ଅନ୍ୟତ୍ର ଖର୍ଚ୍ଚ କରିଛନ୍ତି ସରକାର

ସଦ୍ୟ ସମାପ୍ତ ପାର୍ଲାମେଣ୍ଟ ମୌସୁମୀ ଅଧିବେଶନରେ ସିଏଜି ଯେଉଁ ରିପୋର୍ଟ ଦାଖଲ କରିଛନ୍ତି, ସେଥିରେ ସରକାରଙ୍କ ଅସଲ ମୁଖା ଖୋଲି ଯାଇଛି। ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ୨୦୧୭-୧୮ ଏବଂ ୨୦୧୮-୧୯ ଆର୍ଥିକ ବର୍ଷର ଜିଏସଟି ସେସ୍ ବାବଦରେ ଆଦାୟ ହୋଇଛି ୪୭,୨୭୨ କୋଟି ଟଙ୍କା। ଏହି ଅର୍ଥକୁ ସରକାର ଆଇନ୍ ଭାଙ୍ଗି ନିଜସ୍ୱ କୋଷାଗାର ବା କନ୍ସଲିଡେଟେଡ୍ ଫଣ୍ଡକୁ ନେଇଯାଇଛନ୍ତି।  ତାହାକୁ ମୋଦୀ ସରକାର କେନ୍ଦ୍ରର ରାଜସ୍ୱ ଆୟ ଭାବେ ଦେଖାଇ ଅନ୍ୟତ୍ର ଖର୍ଚ୍ଚ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଜିଏସଟିରୁ କୌଣସି ରାଜ୍ୟର ଆୟ କମ୍ ହେଲେ ଉକ୍ତ ଅର୍ଥ କ୍ଷତିପୂରଣ ବାବଦରେ ଦିଆଯାଇଥାଏ। ଏଥିପାଇଁ ସରକାର କେତେକ ବିଳାସବହୁଳ ସାମଗ୍ରୀ ଓ କ୍ଷତିକାରକ ଦ୍ରବ୍ୟ ଉପରେ ଜିଏସଟି ସହ ସେସ୍ ଆଦାୟ କରୁଛନ୍ତି। ଏହି ସେସ୍ ବାବଦ ଆଦାୟ ଅର୍ଥ କେବଳ ମାତ୍ର କ୍ଷତିପୂରଣ ପ୍ରଦାନରେ ବ୍ୟୟ ହୋଇଥାଏ। ଏଭଳି ନିୟମ ରହିଥିଲେ ମଧ୍ୟ ସରକାର ସେହି ଅର୍ଥକୁ କିପରି ଅନ୍ୟତ୍ର ଖର୍ଚ୍ଚ କରିଦେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ସିଏଜି।

ସିଏଜି ରିପୋର୍ଟକୁ ଖଣ୍ଡନ କରୁଛି କେନ୍ଦ୍ର

ସିଏଜିଙ୍କର ଏହି ରିପୋର୍ଟକୁ କିନ୍ତୁ ଯୁକ୍ତି ଦର୍ଶାଇ ଖଣ୍ଡନ କରିଛି ଅର୍ଥ ମନ୍ତ୍ରଣାଳୟ। ବର୍ଷୱାରୀ ହିସାବ ଦେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୧୭-୧୮ ଆର୍ଥିକ ବର୍ଷରେ ଜିଏସଟି ସେସ୍ର ଆୟ ହୋଇଥିଲା  ୬୨,୬୧୧ କୋଟି। ସେହି ବର୍ଷରେ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ବାବଦ ଦିଆଯାଇଛି ୪୧,୧୪୬ କୋଟି। ୨୦୧୮-୧୯ରେ ଜିଏସଟି ସେସ୍ ଆଦାୟ ହୋଇଥିଲା ୯୫,୦୮୧ କୋଟି ଟଙ୍କା। କିନ୍ତୁ ପ୍ରୟୋଜନ ମୁତାବକ କ୍ଷତିପୂରଣ ବାବଦରେ ବଣ୍ଟନ ହୋଇଥିଲା ୬୯,୨୭୫ କୋଟି ଟଙ୍କା। ଏହି ଦୁଇ ଆର୍ଥିକ ବର୍ଷରେ ବଳକା ଥିବା ୪୭,୨୭୨ କୋଟି ଟଙ୍କା। ୨୦୧୯-୨୦ ବର୍ଷରେ କ୍ଷତିପୂରଣ ବାବଦ ପ୍ରଦାନ କରାଯାଇ ସାରିଛି।

ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ଯେ ସରକାରଙ୍କର ଯେ କୌଣସି ଆୟ ପ୍ରଥମେ କୋଷାଗାରକୁ ଆସିଥାଏ। ତାପରେ ଅନ୍ୟ ତହବିଲ୍କୁ ଯାଇଥାଏ। ସେସ୍ ତହବିଲ୍କୁ ଟଙ୍କା ପଠାଇବା ବକେୟା ରହିଯାଇଥିଲା। କିନ୍ତୁ ତାହାକୁ ରାଜ୍ୟର ଅର୍ଥ କେନ୍ଦ୍ର ଅନ୍ୟତ୍ର ଖର୍ଚ୍ଚ କରିଦେଇଛି କୁହାଯିବା ଠିକ୍ ନୁହେଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସଫେଇ ଦିଆଯାଇଛି। ପ୍ରଶ୍ନ ଉଠୁଛି ମନ୍ତ୍ରଣାଳୟ ଯେଉଁ ହିସାବ ଦେଇଛି ତାହା କଣ ସିଏଜି ଅଡିଟ୍ ବେଳେ ବୁଝିପାରିଲେ ନାହିଁ? ଦେଶର ସମସ୍ତ ଆୟବ୍ୟୟର ଅଡିଟ୍ କରୁଥିବା ସିଏଜି ତାଙ୍କ ରିପୋର୍ଟ ଖାମଖିଆଲି ଭାବେ ପ୍ରସ୍ତୁତ କରିଥିବେ ବୋଲି ବିଶ୍ୱାସ କରାଯାଇପାରୁନାହିଁ।

ବିଭିନ୍ନ ରାଜ୍ୟରୁ ଉଠଲାଣି ସରକାର ବିରୋଧୀ ସ୍ୱର

ସିଏଜି କ୍ଷତିପୂରଣ ମିଳିବ ନାହିଁ ବୋଲି କେନ୍ଦ୍ରରୁ ନାସ୍ତିବାଣୀ ଶୁଣି ହତାଶ ହୋଇଥିବା ରାଜ୍ୟଗୁଡ଼ିକ ସିଏଜି ରିପୋର୍ଟ ସାମ୍ନାକୁ ଆସିବା ପରେ କେନ୍ଦ୍ର ବିରୋଧରେ କ୍ଷୁବ୍ଧ ହୋଇଛନ୍ତି। ସରକାର ପ୍ରତାରଣା କରି ରାଜ୍ୟଗୁଡ଼ିକୁ କ୍ଷତିପୂରଣରୁ ବଞ୍ଚିତ କରୁଛି ବୋଲି ଅଭିଯୋଗ ଉଠିଛି। ସେମାନେ କେନ୍ଦ୍ର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। କେରଳର ଅର୍ଥମନ୍ତ୍ରୀ ଟମାସଙ୍କ କହିବା କଥା ଏଥିରୁ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତି ସ୍ପଷ୍ଟ ହେଉଛି। ଯେପର୍ଯ୍ୟନ୍ତ ସବୁ ଠିକ୍ଠାକ୍ ଚାଲିଛି, ସେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଜିଏସଟି ସେସ୍ରୁ ପ୍ରାପ୍ତ ବର୍ଦ୍ଧିତ ଆୟକୁ ନିଜ କାମରେ ଲଗାଇଦେବେ। କିନ୍ତୁ ଆୟ କମିଗଲେ କେନ୍ଦ୍ର ନିଜର ଦାୟିତ୍ୱ ମୁଣ୍ଡରୁ ଓହ୍ଲାଇଦେବେ।

ଏହା ପୂର୍ବରୁ ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଅମିତା ମିତ୍ର କହିଥିଲେ ଯେ, କେନ୍ଦ୍ର ସରକାର ତାଙ୍କର ଆୟକୁ ନ୍ୟୁନତମ ଦର୍ଶାଇ ରାଜକୋଷ କ୍ଷତି କମ୍ ଦେଖାଇବା ଉଦ୍ଦେଶ୍ୟ ରଖିଥିଲେ। ପଞ୍ଜାବର ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲଙ୍କ ଅଭିଯୋଗ, ଆନ୍ତଃରାଜ୍ୟ ବା ଆଇଜିଏସଟିର ଟଙ୍କାକୁ ସମାନ ଢଙ୍ଗରେ କେନ୍ଦ୍ର ସରକାର ନିଜସ୍ୱ କୋଷାଗାରକୁ ନେଇଯାଇଥିଲେ। ଏହାକୁ ନେଇ ମଧ୍ୟ ସିଏଜି ପ୍ରଶ୍ନ ଉଠାଇଥିଲେ।

ଘୁଞ୍ଚିଲା ଜିଏସଟି ପରିଷଦ ବୈଠକ

ପାର୍ଲାମେଣ୍ଟ ମଧ୍ୟରେ  ଜିଏସଟିକୁ ନେଇ ରାଜ୍ୟଗୁଡ଼ିକ ସହ ସଂଘର୍ଷ ଚାହୁଁନଥିଲେ କେନ୍ଦ୍ର ସରକାର। ତେଣୁ ସିଏଜି ରିପୋର୍ଟ ଦାଖଲ ହେବା ଦିନ ହିଁ ସଂସଦକୁ ଆଗୁଆ ମୁଲତବୀ କରିଦିଆଗଲା। ପ୍ରକୃତରେ ସଂସଦର ମୌସୁମୀ ଅଧିବେଶନ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ ବୋଲି ଧାର୍ଯ୍ୟ  ହୋଇଥିଲା। ଏପରିକି ସରକାର ସଂସଦ ଚାଲିଥିବା ଅବସରରେ ଜିଏସଟି ପରିଷଦ ବୈଠକ ମଧ୍ୟ କରିବାକୁ ଚାହୁଁନଥିଲେ। ତେଣୁ ପ୍ରସ୍ତାବିତ ତାରିଖ ୨୯ ସେପ୍ଟେମ୍ବରରୁ ପରିଷଦର ବୈଠକ ଅକ୍ଟୋବର ୫କୁ ଘୁଞ୍ଚାଇ ଦିଆଯାଇଛି। ଏହି ବୈଠକ ପୂର୍ବରୁ ଜିଏସଟି ନେଇ ସିଏଜିଙ୍କ ରିପୋର୍ଟ ବିରୁଡି ବସାରେ ହାତ ଗେଞ୍ଜିଲା ଭଳି ପରିସ୍ଥିତି ସୃଷ୍ଟି କରିଛି। କେନ୍ଦ୍ର ସରକାର କ୍ଷତିପୂରଣ ନ ଦେଇ ଜିଏସଟି ଟଙ୍କା ଖାଇଗଲେ ବୋଲି ବିଭିନ୍ନ ରାଜ୍ୟରୁ ଅଭିଯୋଗ ଉଠିଲାଣି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ)

Comment