କମଳାକାନ୍ତ ପତି

ଅବଶେଷରେ ଜିଏସଟି କ୍ଷତିପୂରଣ ନେଇ ବିରୋଧୀ ଦଳ (ଅଣ-ବିଜେପି) ଶାସିତ ରାଜ୍ୟଗୁଡ଼ିକର ଦାବି ଅନେକାଂଶରେ ମାନି ନେଇଛନ୍ତି କେନ୍ଦ୍ର ସରକାର। ରାଜ୍ୟଗୁଡ଼ିକ ଋଣ କରି ଏ ବାବଦ କ୍ଷତିଭରଣା କରିବେ ନାହିଁ, କେନ୍ଦ୍ର ସରକାର ଟଙ୍କା ଧାର କରି ରାଜ୍ୟଗୁଡ଼ିକୁ ଋଣସୂତ୍ରରେ ଯୋଗାଇ ଦେବେ। ଏହି ଋଣ ଅର୍ଥ ରାଜ୍ୟଗୁଡ଼ିକୁ ଫେରସ୍ତ କରିବାକୁ ପଡ଼ିବ ନାହିଁ।

ନରମିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

କରୋନା ସଂକ୍ରମଣ କାରଣରୁ ଜିଏସଟି (ଦ୍ରବ୍ୟ ଏବଂ ସେବା ଟିକସ) ବାବଦ ରାଜସ୍ଵ ସଂଗ୍ରହକୁ ହ୍ରାସ କରିଦେଇଛି ଲମ୍ବା ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ନିଷ୍ପତ୍ତି। କେବଳ ରାଜ୍ୟଗୁଡ଼ିକର ନୁହେଁ, କେନ୍ଦ୍ର ସରକାରଙ୍କ ରାଜକୋଷ ଉପରେ ପ୍ରଚଣ୍ଡ ପ୍ରଭାବ ପଡ଼ିଛି। ତେଣୁ ଜିଏସଟି ପ୍ରତିଶ୍ରୁତି ମୁତାବକ ଜିଏସଟି କ୍ଷତିପୂରଣ ପ୍ରଦାନରେ ଅସାମର୍ଥ୍ୟ ପ୍ରକାଶ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

କରୋନା ସଂକ୍ରମଣକୁ ‘ଆକ୍ଟ ଅଫ୍ ଗଡ୍’ ବୋଲି କହି ରାଜ୍ୟଗୁଡ଼ିକ ଜିଏସଟି କ୍ଷତି ବଜାରରୁ ୠଣ ଉଠାଇ କିମ୍ବା ବ୍ୟାଙ୍କ୍‌ରୁ ଋଣ ନେଇ ଭରଣା କରନ୍ତୁ ବୋଲି ଦୁଇଟି ବିକଳ୍ପ ଦେଇଥିଲେ ନିର୍ମଳା। ତାଙ୍କର ଏହି ପ୍ରସ୍ତାବକୁ ନେଇ ୪୨ତମ ଜିଏସଟି ପରିଷଦ ବୈଠକରେ ତୁମୁଳ କାଣ୍ଡ ଘଟିଥିଲା।ବିଜେପି କିମ୍ବା ଏନଡିଏ ଶାସିତ ପ୍ରାୟ ୨୧ଟି ରାଜ୍ୟ ବଜାରରୁ ଋଣ ଉଠାଇ ଜିଏସଟି କ୍ଷତି ଭରଣା କରିବାକୁ ରାଜି ହୋଇଯାଇଥିଲେ ମଧ୍ୟ କେରଳ, ପଶ୍ଚିମବଙ୍ଗ ଭଳି ବିରୋଧୀ ଶାସିତ ରାଜ୍ୟଗୁଡ଼ିକ ନିର୍ମଳାଙ୍କ କୌଣସି ପ୍ରସ୍ତାବରେ ରାଜି ହୋଇନଥିଲେ। ସେମାନଙ୍କର ଯୁକ୍ତି ଥିଲା କେନ୍ଦ୍ର ସରକାର ଆମକୁ ଋଣ କରିବାକୁ କହିବା ପରିବର୍ତ୍ତେ ନିଜେ ଋଣ କରି କାହିଁକି କ୍ଷତି ଭରଣା କରୁନାହାନ୍ତି।

ଶେଷରେ ଅର୍ଥମନ୍ତ୍ରୀ ନରମିଛନ୍ତି। ରାଜ୍ୟଗୁଡ଼ିକର ଦାବି ମାନି ନେଇଛନ୍ତି। ତେବେ କେନ୍ଦ୍ର ସରକାର ଋଣ କରି ରାଜ୍ୟଗୁଡ଼ିକୁ ଋଣସୂତ୍ରରେ ଅର୍ଥଦେବେ। ଯେଉଁ ଋଣ ଅର୍ଥ ରାଜ୍ୟଗୁଡ଼ିକୁ ପୈଠ କରିବାକୁ ପଡ଼ିବ ନାହିଁ। ୨୦୨୨ ଜୁଲାଇ ପରେ କେତୋଟି ବିଳାସବହୁଳ ସାମଗ୍ରୀ ଉପରେ ଜିଏସଟି ସେସ୍ ଲାଗୁ କରାଯାଇ ତାହା ଭରଣା କରାଯିବ।

ସେହି କଥା କଲ, ସମୟ ଗଡ଼ାଇଲ କାହିଁକି?

କେନ୍ଦ୍ର ସରକାର ନିଜେ ଋଣ କରି ରାଜ୍ୟଗୁଡ଼ିକୁ ଜିଏସଟି କ୍ଷତିପୂରଣ ରାଶି ପ୍ରଦାନ କରନ୍ତୁ ବୋଲି ପ୍ରଥମରୁ ଦାବି କରାଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମଧ୍ୟ ସମାନ ମତ ଦେଇଥିଲେ। କେନ୍ଦ୍ର ସରକାର ଋଣ କଲେ ଅପେକ୍ଷାକୃତ କମ୍ ସୁଧ ଦେବାକୁ ପଡ଼ିବ। ରାଜ୍ୟଗୁଡ଼ିକ ମଧ୍ୟ ଏକ ସମାନ ସୁଧ ହାରରେ ଅର୍ଥ ପାଇପାରିବେ।

ଯଦି ରାଜ୍ୟଗୁଡ଼ିକ ନିଜ ଆଡ଼ୁ ଖୋଲା ବଜାରରୁ କିମ୍ବା ବ୍ୟାଙ୍କ୍‌ରୁ ଋଣ ନିଅନ୍ତି ତେବେ ସୁଧ ହାରରେ (ସାରା ଦେଶରେ) ତାରତମ୍ୟ ରହିବ ନାହିଁ। ଏହି କଥା ଆର୍‌ବିଆଇ କହୁଥିଲେ ମଧ୍ୟ ଅର୍ଥମନ୍ତ୍ରୀ ସେଥିପ୍ରତି କର୍ଣ୍ଣପାତ କରୁନଥିଲେ।କିନ୍ତୁ ପରିସ୍ଥିତି ଏବେ ତାଙ୍କୁ ବାଧ୍ୟ କରିଛି। ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ଜିଏସଟି କ୍ଷତିପୂରଣ ନେଇ କେନ୍ଦ୍ର ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେବେ ବୋଲି ସଜବାଜ ହେଉଥିବା ଜାଣିବା ପରେ ନିର୍ମଳା ବାଧ୍ୟ ହୋଇଛନ୍ତି। ସେହି ବାଧ୍ୟବାଧକତା ଓ ଚାପ କାରଣରୁ ଅର୍ଥମନ୍ତ୍ରୀ ୨୪ ଘଣ୍ଟା ମଧ୍ୟରେ ଦୁଇଥର ରାଜ୍ୟଗୁଡ଼ିକୁ ଆଶ୍ଵାସନା ଦେଇଛନ୍ତି।

ସୁପ୍ରିମକୋର୍ଟର ଯିବାର ଧମକରୁ ମତ ବଦଳିଲା

ଜିଏସଟି କ୍ଷତିପୂରଣ ନେଇ ଅର୍ଥମନ୍ତ୍ରୀଙ୍କ ଦୁଇଟି ବିକଳ୍ପ ପ୍ରସ୍ତାବକୁ ଦୃଢ଼ ବିରୋଧ କରୁଥିବା କେରଳର ଅର୍ଥମନ୍ତ୍ରୀ ଟମାସ୍ ଆଇଜାକ୍ ଗୁରୁବାର ପ୍ରଥମେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେବା କଥା ଉଠାଇଥିଲେ। ସେ କେନ୍ଦ୍ରକୁ ଚେତାବନୀ ଦେଇ କହିଥିଲେ ଯେ, ଜିଏସଟି କ୍ଷତିପୂରଣ ନେଇ କେନ୍ଦ୍ରର ପକ୍ଷପାତ ଦୃଷ୍ଟି ଏବଂ ବେଆଇନ କାର୍ଯ୍ୟ ବିରୋଧରେ କେତେକ ରାଜ୍ୟ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେବେ। ଶୁକ୍ରବାର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଆଇଜାକ୍‌ଙ୍କ ଏହି ବକ୍ତବ୍ୟର ୧୨ ଘଣ୍ଟା ନ ପୂରୁଣୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଲେ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଗଲା ଯେ, ଚଳିତ ଆର୍ଥିକ ବର୍ଷରେ ଜିଏସଟିରୁ ରାଜ୍ୟଗୁଡ଼ିକ ଯେଉଁ ପ୍ରାୟ ୧.୧ ଲକ୍ଷ କୋଟି ଟଙ୍କା କମ୍ ଆୟ ହେବ ବୋଲି ଅନୁମାନ କରୁଛନ୍ତି ତାହା କେନ୍ଦ୍ର ସରକାର ଋଣ କରିବେ।

ସେହି ଅର୍ଥ ସିଧାସଳଖ ଭାବେ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ବାବଦରେ ପ୍ରଦାନ କରାନଯାଇ ଋଣ ଆକାରରେ ପ୍ରଦାନ କରାଯିବ। ଏହାଫଳରେ କେନ୍ଦ୍ରର ରାଜକୋଷୀୟ କ୍ଷତି ଘଟିବ ନାହିଁ। କାରଣ ରାଜ୍ୟଗୁଡ଼ିକର ମୂଳଧନ ଆୟ ଖାତାରେ ତାହାକୁ କେନ୍ଦ୍ରୀୟ ଋଣ ଭାବେ ପ୍ରଦର୍ଶିତ କରାଯିବ।

ରାଜ୍ୟର ଋଣ ବୋଝ ବଢ଼ିବ!

କେନ୍ଦ୍ର ସରକାର ଜିଏସଟି କ୍ଷତିପୂରଣ ବାବଦ ଅର୍ଥକୁ ଋଣ ଆକାରରେ ଦେବାକୁ ସ୍ଥିର କରିଥିବାରୁ ରାଜ୍ୟଗୁଡ଼ିକର ଋଣ ଭାର ଅଧିକ ହେବ। କିନ୍ତୁ ଆଶ୍ଵାସନାର କଥା ହେଉଛି ଏହା ଦ୍ଵାରା ରାଜ୍ୟଗୁଡ଼ିକର ରାଜକୋଷ କ୍ଷତି ବା ଋଣ ବୋଝ ବୃଦ୍ଧି ସତ୍ତ୍ଵେ ଏହି ଋଣ ବାବଦ ମୂଳଧନ ଏବଂ ସୁଧ ରାଜ୍ୟଗୁଡ଼ିକୁ ପରିଶୋଧ କରିବାକୁ ପଡ଼ିବ ନାହିଁ। ତାହା ଜିଏସଟି ସେସ୍‌ରୁ ଭରଣା କରାଯିବ।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବିବୃତ୍ତି ଦେବାର ୨୪ ଘଣ୍ଟା ନ ପୂରୁଣୁ ନିର୍ମଳା ସବୁ ରାଜ୍ୟକୁ ଚିଠି ଲେଖି ଆଉ ଏକ ବାଟ ଦେଖାଇଛନ୍ତି। ଅର୍ଥମନ୍ତ୍ରୀ ଶୁକ୍ରବାର ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ରାଜ୍ୟଗୁଡ଼ିକ ସେମାନଙ୍କ ଜିଡିପିର ଆଉ ୦.୫ ପ୍ରତିଶତ ଋଣ ସଂଗ୍ରହ କରିପାରିବେ। ଏହାଫଳରେ ରାଜ୍ୟଗୁଡ଼ିକ ଆହୁରି ୧.୦୬ ଲକ୍ଷ କୋଟି ଟଙ୍କା ନିଃସର୍ତ୍ତ ଋଣ ନେଇପାରିବେ। ଫଳରେ ଏହାକୁ ମିଶାଇ ରାଜ୍ୟଗୁଡ଼ିକ ସକାଶେ ୧.୧୬ ଲକ୍ଷ କୋଟି ଟଙ୍କା ଯୋଗାଡ଼ର ରାସ୍ତା ଖୋଲିଗଲା। କିନ୍ତୁ ଏହାଫଳରେ ରାଜ୍ୟଗୁଡ଼ିକୁ ସାମୟିକ ଆଶ୍ଵସ୍ତି ମିଳିଥିଲେ ମଧ୍ୟ ଋଣ ବୋଝ ବଢ଼ିବା ନିଃସନ୍ଦେହ।ବିବାଦ ବଢ଼ାଇବାକୁ ଚାହିଁଲାନି କେନ୍ଦ୍ର

କରୋନା ଯୋଗୁଁ ଶୋଇପଡ଼ିଛି ଦେଶର ଅର୍ଥନୀତି। ବେକାରୀ ହାର କ୍ରମେ ବଢ଼ି ବଢ଼ି ଚାଲିଛି। ସରକାର ଖର୍ଚ୍ଚ ବଢ଼ାଉନଥିବା କାରଣରୁ ଲୋକଙ୍କ ହାତକୁ ଅର୍ଥ ଆସୁ ନାହିଁ। ଫଳରେ ଅର୍ଥନୀତି ଚକର ବେଗ ବଢ଼ୁନାହିଁ। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ଓ ଶ୍ରମ ଆଇନକୁ ନେଇ ଅସନ୍ତୋଷ ବଢ଼ୁଛି। ଏସବୁ ପ୍ରସଙ୍ଗକୁ ନେଇ କେବଳ ବିରୋଧୀ ରାଜନୈତିକ ଦଳଗୁଡ଼ିକ ନୁହଁନ୍ତି, ସାଧାରଣ ଲୋକଙ୍କ ମନରେ ମଧ୍ୟ ମୋଦୀ ସରକାର ବିରୋଧରେ ତୀବ୍ର ଅସନ୍ତୋଷ ଦେଖାଦେଲାଣି।

ତେଣୁ ସରକାର ଜିଏସଟି କ୍ଷତିପୂରଣକୁ ନେଇ ରାଜ୍ୟଗୁଡ଼ିକ ସହ ବିବାଦ ବଢ଼ାଇବାକୁ ଚାହିଁଲେ ନାହିଁ। ନିର୍ମଳାଙ୍କ ପ୍ରସ୍ତାବକୁ ବିରୋଧ କରୁଥିବା ରାଜ୍ୟଗୁଡ଼ିକ ମେଳି ବାନ୍ଧି ସରକାରଙ୍କୁ ସୁପ୍ରିମକୋର୍ଟକୁ ଟାଣିବାକୁ ଧମକ ଦେଲେ। ତାହାକୁ ଟାଳିବା ସକାଶେ ନିର୍ମଳା ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରି ରାଜ୍ୟଗୁଡ଼ିକୁ ଶାନ୍ତିର ବାର୍ତ୍ତା ଦେଇଥିବା ରାଜନୈତିକ ଓ ଅର୍ଥନୈତିକ ମହଲ ବିବେଚନା କରୁଛନ୍ତି।

କାହିଁକି ବଢ଼ୁନି ସରକାରୀ ଖର୍ଚ୍ଚ

ଲକ୍‌ଡାଉନ୍ ଯୋଗୁଁ ସ୍ଥାଣୁ ହୋଇଯାଇଥିବା ଆର୍ଥିକ କାର୍ଯ୍ୟକଳାପକୁ ଗତିଶୀଳ କରିବା ସକାଶେ ମୋଦୀ ସରକାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ (ଆତ୍ମନିର୍ଭର ପ୍ୟାକେଜ୍) ଘୋଷଣା କରିଛନ୍ତି। ଏହା ମୁଖ୍ୟତଃ ଋଣ ସର୍ବସ୍ଵ। ଅର୍ଥାତ୍ ଯେଉଁସବୁ କ୍ଷୁଦ୍ର-ମଧ୍ୟମ ଶିଳ୍ପ, ବ୍ୟବସାୟ ପ୍ରତିଷ୍ଠାନ ଲକ୍‌ଡାଉନ୍ କାରଣରୁ ହାତବାନ୍ଧି ବସିଥିଲେ ସେମାନେ ସବୁ ଋଣ ନେଇ ବ୍ୟବସାୟକୁ ବଢ଼ାଇପାରିବେ। ଅନ୍ୟ ଅନେକ କ୍ଷେତ୍ର ମଧ୍ୟ ଏହି ପ୍ୟାକେଜରୁ ସୁବିଧା ପାଇବେ।

ଏବେ ଜିଏସଟି କ୍ଷତିପୂରଣ ରାଶି ପ୍ରଦାନ ପାଇଁ ସରକାର ଋଣ କରି ରାଜ୍ୟଗୁଡ଼ିକୁ ଋଣ ଦେବେ। ଏହାଦ୍ଵାରା ସାଧାରଣ ଲୋକଙ୍କ ହାତକୁ ଅର୍ଥ ଯିବ କିପରି? ସରକାର ଖର୍ଚ୍ଚ ବଢ଼ାଉନଥିବାରୁ ଲୋକଙ୍କ ହାତକୁ ଅର୍ଥ ଯାଉ ନାହିଁ। ଅର୍ଥନୀତିବିତ୍‌ମାନେ ବାରମ୍ବାର ସରକାରୀ ଖର୍ଚ୍ଚ ବୃଦ୍ଧି କଥା କହୁଛନ୍ତି। ମାତ୍ର ସରକାର ଶୁଣୁନାହାନ୍ତି।ନିକଟରେ ସରକାର ଉତ୍ସବ ଋତୁ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସକାଶେ ୧୦ ହଜାର ଟଙ୍କା ଅଗ୍ରୀମ ବା ନଗଦ ଏଲଟିସି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହାଦ୍ଵାରା ବଜାରରେ ସାମୟିକ ଭାବେ କିଣାବିକା କିଛିଟା ବଢ଼ିପାରେ। କିନ୍ତୁ ଏହାଫଳରେ ଅର୍ଥନୀତି ବିଶେଷ ସଶକ୍ତ ହେବ ନାହିଁ। ଅର୍ଥନୀତିକୁ ସବଳ କରିବା ସକାଶେ ମୋଦୀ ସରକାରଙ୍କୁ ସାହସ କରି ତହବିଲରୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ଏହା କହୁଛନ୍ତି ପୃଥିବୀର ଅନେକ ନାମକରା ଅର୍ଥନୀତିବିତ୍।

ଅର୍ଥନୀତି ମୂଲ୍ୟାୟନକାରୀ ସଂସ୍ଥାଗୁଡ଼ିକ ମଧ୍ୟ ସମାନ ମତ ଦେଉଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେମାନଙ୍କ ପରାମର୍ଶ ଓ ସର୍ଭେ ପରିସଂଖ୍ୟାନକୁ ଦୃଷ୍ଟିରେ ରଖି ଆଗକୁ ବଢ଼ିଲେ କରୋନାଜନିତ ଆର୍ଥିକ ମାନ୍ଦାବସ୍ଥା ଦୂର ହୋଇପାରିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment