ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଦ୍ଧିତ ଦରଦାମକୁ ନେଇ ଚାରିଆଡ଼ୁ ସମାଲୋଚିତ ହୋଇଥିଲେ କେନ୍ଦ୍ର ସରକାର। ଖାସ କରି ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧିକୁ ନେଇ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ କରିବାକୁ ଶନିବାର ନିଷ୍ପତ୍ତି ନେଇଛନ୍ତି ସରକାର। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା ଓ ଡିଜେଲ ୭ ଟଙ୍କା ଶସ୍ତା ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି।

ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ପରେ ଗତ ମାର୍ଚ୍ଚ ୨୨ରୁ ଲଗାତର ଭାବେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ହୋଇଥିଲା। ୧୫ରୁ ଅଧିକ ଥର ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ଯୋଗୁଁ ସାଧରଣ ଗ୍ରାହକଙ୍କ ପକେଟ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଥିଲା। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁଁ ବସ୍ ସହ ଅନ୍ୟାନ୍ୟ ଯାତ୍ରୀବାହୀ ଏବଂ ବ୍ୟବସାୟିକ ଗାଡ଼ି ଭଡ଼ାରେ ବୃଦ୍ଧି ମଧ୍ୟ ହୋଇଥିଲା। ଶନିବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ହେବା ଖବର ଆସିବା ପରେ ଗ୍ରାହକ ଏବଂ ସାଧାରଣ ଜନତାଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି।

ସେପଟେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ବି ଖୁସି କରିଛନ୍ତି ସରକାର। ଉଜ୍ଜ୍ୱଳା ଗ୍ୟାସ ସିଲିଣ୍ଡର ପିଛା ହିତାଧିକାରୀଙ୍କୁ ୨୦୦ ଟଙ୍କା ରିହାତି ଦେବାକୁ ଘୋଷଣା କରାଯାଇଛି। ଏହି ରିହାତି ବାର୍ଷିକ ୧୨ଟି ସିଲିଣ୍ଡର ଲାଗି ଉଦ୍ଦିଷ୍ଟ ରହିବ। କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

Tags: #Petrol #Diesel #PriceFall

Comment