ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାର ଜଣେ ଅଟୋ ଡ୍ରାଇଭର ରାଜେନ୍ଦ୍ର ପଲେଇଙ୍କ ନାମରେ ୪ କୋଟି ଟଙ୍କାର ଜିଏସ୍‌ଟି ଦାଖଲ ନୋଟିସ୍ ଆସିଥିଲା। ଏହା‌କୁ ଚାଲେଞ୍ଜ କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ହାଇକୋର୍ଟ ମଙ୍ଗଳବାର ଜିଏସ୍‌ଟି କମିସନରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଡକ୍ଟର ଜଷ୍ଟିସ୍ ବି.ଆର୍‌.ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେବା ସହ ଆସନ୍ତା ଜାନୁଆରି ୯ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି।

ରାଜେନ୍ଦ୍ର ଅଭିଯୋଗ କରିଛନ୍ତି ଯେ, ସେ ରାଉରକେଲାରେ ଅଟୋ ଚଲାନ୍ତି। ତାଙ୍କ ନାମରେ ଜିଏସ୍‌ଟି ପକ୍ଷରୁ ଏକ ନୋଟିସ୍ ଆସିଥିଲା। କିନ୍ତୁ ସେ ଏ ସମ୍ପର୍କରେ କିଛି ଜାଣିନଥିଲେ। ତେଣୁ ସେ ଏହି ଜିଏସ୍‌ଟି ଦାଖଲ ନ କରିବାରୁ ତାଙ୍କ ନାମରେ ଜରିମାନା କରାଯାଇ ୪ କୋଟି ଟଙ୍କାର ନୋଟିସ୍ ଆସିଛି। ଯେଉଁଥିରେ କଟକ ବକ୍ସିବଜାରରେ ଥିବା ଏକ ଫାର୍ମ ହାଉସ୍ ନାମରେ ତାଙ୍କ ନାଁ ସହ ଯୋଡ଼ାଯାଇ ଏହି ନୋଟିସ୍ କରାଯାଇଛି। ସେହିପରି ରାଉରକେଲାରେ ପାଣି ପାଇପ୍ କାମ କରୁଥିବା ସମୀର ଜୋଜୋଙ୍କ ନାମରେ ମଧ୍ୟ କୋଟି କୋଟି ଟଙ୍କାର ଏକ ଜିଏସ୍‌ଟି ନୋଟିସ୍ ଆସିଛି। ଏଥିପାଇଁ ଧାର୍ଯ୍ୟ ସମୟ ଦିଆଯାଇଛି। ଯଦି ଏହି ସମୟ ମଧ୍ୟରେ ସେମାନେ ଜିଏସ୍‌ଟି ଦାଖଲ ନ କରନ୍ତି ତାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି।ଆବେଦନକାରୀଙ୍କ ଯୁକ୍ତି ହେଲା ଯେ, ସେମାନଙ୍କ ନାଁରେ ଫାର୍ମ ହାଉସ୍ ଖୋଲାଯିବା ସହ ଟିନ୍ ନମ୍ବର ମଧ୍ୟ ବାହାର କରିବା ଏବଂ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯିବା ନେଇ ସେମାନେ କିଛି ଜାଣିନାହାନ୍ତି। ତେବେ ଏସବୁ ତାଙ୍କ ନାମରେ କରାଯାଇ ବର୍ଷବର୍ଷ ଧରି ଟଙ୍କା କାରବାର ହେଉଛି। ଏହା କିପରି ହେଲା? ଏହା ପଛରେ କେଉଁମାନେ ଅଛନ୍ତି? ଏଥିପାଇଁ ଦାୟୀ କିଏ? ଜିଏସ୍‌ଟି ଅଧିକାରୀମାନଙ୍କ ଅଜାଣତରେ କ’ଣ ଏଭଳି ହୋଇପାରିବ ବୋଲି ଆବେଦନକାରୀମାନେ ପ୍ରଶ୍ନ କରିଛନ୍ତି। ତେଣୁ ଏହି ଘଟଣାର ତଦନ୍ତ ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ହାଇକୋର୍ଟ ଗତକାଲି ଏହି ମାମଲାର ପ୍ରାଥମିକ ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

LEAVE A REPLY

Please enter your comment!
Please enter your name here