-କପିଳାସ ଭୂୟାଁ

ଅସୀମ ବସୁ । ସମସ୍ତଙ୍କର ଅତି ପ୍ରିୟ ଅସୀମ ଦା’!

ଅସୀମ ବସୁଙ୍କୁ ମୁଁ ଜାଣିଲି ୧୯୭୫ରେ ଓ ଅସୀମ ଦା’ଙ୍କୁ ମୁଁ ଚିହ୍ନିଲି ୧୯୮୧ରେ !

ପ୍ରଖ୍ୟାତ ଗାଳ୍ପିକ ଅଖିଳ ମୋହନ ପଟ୍ଟନାୟକଙ୍କ ସମ୍ପାଦନାରେ ପ୍ରକାଶ ପାଉଥିଲା ମାସିକ ସାହିତ୍ୟ ପତ୍ରିକା ‘ସମାବେଶ’ । କ୍ୱାଲିଟି ପ୍ରେସ୍‌ର ମାଲିକ ଜଗଦୀଶ ପାଣି ଥିଲେ ଏହି ପତ୍ରିକାର ପ୍ରକାଶକ। ‘ସମାବେଶ’ର ପ୍ରଚ୍ଛଦ ଚିତ୍ର ଆଙ୍କିବା ସହ ଅଳଙ୍କରଣ ଦାୟିତ୍ୱ ଥିଲା ଅସୀମ ବସୁଙ୍କର।

ସ୍କୁଲ ଛାତ୍ର ଥିବା ସମୟରେ ୧୯୭୫ର ପୂଜା ସଂଖ୍ୟା ‘ସମାବେଶ’ ପ୍ରଥମେ ମୁଁ ଦେଖିଲି। ତତ୍କାଳୀନ ପ୍ରବୀଣଙ୍କଠାରୁ ଆରମ୍ଭ କରି ନବୀନ ପର୍ଯ୍ୟନ୍ତ ଓଡ଼ିଶାର ପ୍ରାୟ ସମସ୍ତ କବି, ଲେଖକ, ପ୍ରାବନ୍ଧିକ ଓ ସାହିତ୍ୟକାରଙ୍କ  ଲେଖା ଦ୍ୱାରା ସମୃଦ୍ଧ ହୋ‌ଇଥିବାରୁ ‘ସମାବେଶ’ର ସେହି ସଂଖ୍ୟାଟି ବେଶ୍ ପୃଥୁଳ ଥିଲା; ଓ ତେଣୁ ସହଜରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ପାରୁଥିଲା। ଏହା ବ୍ୟତୀତ ସେହି ସଂଖ୍ୟା ‘ସମାବେଶ’ ପ୍ରତି ଯାହା ସମସ୍ତଙ୍କୁ ଆକର୍ଷିତ କରୁଥିଲା, ତାହା ଥିଲା ଅସୀମ ବସୁଙ୍କ ଦ୍ୱାରା ଅଙ୍କିତ ପତ୍ରିକାଟିର ପ୍ରଚ୍ଛଦ ଚିତ୍ର।

ପ୍ରାୟ ଚାଳିଶି ବର୍ଷ ତଳର ସେହି ପତ୍ରିକାର କଳେବରକୁ ଏବେ ମନେପକାଇଲେ ତାହା ଝାପ୍‌ସା ଦିଶେ। କିନ୍ତୁ ସ୍ପଷ୍ଟ ମନେପଡେ ଆପାତଃ ଶିଉଳି ରଙ୍ଗରେ ବେଶ୍ ବଡ଼ ହରଫରେ ମୋଟା ମୋଟା ଅକ୍ଷରରେ ଲିଖିତ ‘ସମାବେଶ’- ପତ୍ରିକାର ନାଁ।

ମୁଁ ସାଇତି ରଖିଥିବା ପୁରୁଣା ପତ୍ରପତ୍ରିକାଗୁଡ଼ିକ ମଧ୍ୟରେ ‘ସମାବେଶ’ର ସେହି ସଂଖ୍ୟାଟି ବେଶ୍‍ କିଛି ବର୍ଷ ମୋ ପାଖରେ ରହିଥିଲା। ପ୍ରଚ୍ଛଦ ଚିତ୍ରର ଆକର୍ଷଣ ଏତେ ଅଧିକ ଥିଲା ଯେ ପରବର୍ତ୍ତୀ ସମୟରେ ‘ସମାବେଶ’ର ପ୍ରତିଟି ସଂଖ୍ୟାର ପ୍ରଚ୍ଛଦ ଚିତ୍ର, ବିଶେଷକରି ପୂଜା ସଂଖ୍ୟାର ପ୍ରଚ୍ଛଦ ଚିତ୍ରକୁ ଦେଖିବା ପାଇଁ ମୁଁ ଚାତକ ପରି ଚାହିଁ ରହୁଥିଲି।

ମୁଁ ଏକା ନୁହେଁ, ସେ ସମୟରେ ସାହିତ୍ୟରେ ରୁଚି ରଖୁଥିବା ପ୍ରାୟ ସମସ୍ତେ ଅସୀମ ବସୁଙ୍କ ପ୍ରଚ୍ଛଦ ଚିତ୍ର ଦେଖିବା ପାଇଁ  ଅପେକ୍ଷା କରୁଥିଲେ। ତାଙ୍କ ଚିତ୍ରର ତ ବିଶେଷ ଆବେଦନ ରହୁଥିଲା, ତା’ ସହିତ ସେ ଯେଉଁ ଢ଼ଙ୍ଗରେ ଓଡ଼ିଆ ଅକ୍ଷରକୁ ନୂଆ ରୂପ ଦେଇ ପାରୁଥିଲେ ତାହା ଆଉ କେହି କରି ପାରୁନଥିଲେ।

ଅସୀମ ବସୁ ଥିଲେ ଏକ ବ୍ୟତିକ୍ରମ – କହିବାକୁ ଗଲେ ଅତି ଉଗ୍ର-ଆଧୁନିକ।

ଏମିତି ଦେଖିବାକୁ ଗଲେ ମୁଁ ଓ ମୋର ପ୍ରାୟ ସମସ୍ତ ସମସମାୟିକମାନେ ବଡ଼ ହେଉଥିବା ବୟସରେ ପଢ଼ାପଢ଼ି କରୁଥିବା ‘ମୋ ଦେଶ’ ଓ ‘ମନ ପବନ’ ଏହି ପତ୍ରିକାର ପ୍ରଚ୍ଛଦ ଚିତ୍ରରେ ପ୍ରାୟତଃ ଦୁଇଟି ନାଁ ଦେଖିବାକୁ ମିଳୁଥିଲା। ସେଥିରୁ ଜଣେ ହେଲେ ଅସୀତ୍ ମୁଖାର୍ଜୀ ଓ ଅନ୍ୟ ଜଣକ ହେଲେ ଶିବ ପାଣିଗ୍ରାହୀ। ତେବେ ଅଧିକାଂଶତଃ ପତ୍ରପତ୍ରିକାଗୁଡ଼ିକର ପ୍ରଚ୍ଛଦ ଚିତ୍ର ଶିବ ପାଣିଗ୍ରାହୀ ହିଁ ଆଙ୍କୁଥିଲେ। ଅନ୍ୟପକ୍ଷରେ ପୁସ୍ତକଗୁଡ଼ିକର ପ୍ରଚ୍ଛଦ ଚିତ୍ର ଆଙ୍କୁଥିଲେ ଅସୀତ ମୁଖାର୍ଜୀ। କିନ୍ତୁ ଉଭୟଙ୍କ ଚିତ୍ର ଓ ଅକ୍ଷର ସଜ୍ଜା ଥିଲା ଅତି ପାରମ୍ପରିକ। ଅସୀମ ବସୁ ଥିଲେ ତାହାର ବ୍ୟତିକ୍ରମ – କହିବାକୁ ଗଲେ ଅତି ଉଗ୍ର-ଆଧୁନିକ।

କିନ୍ତୁ ପରିମାଣ ଦୃଷ୍ଟିରୁ ଅସୀତ ମୁଖାର୍ଜୀ ଓ ଶିବ ପାଣିଗ୍ରାହୀ ଆଙ୍କୁଥିବା ପ୍ରଚ୍ଛଦ ଚିତ୍ରର ସଂଖ୍ୟା ତୁଳନାରେ ଅସୀମ ବସୁଙ୍କ ପ୍ରଚ୍ଛଦ ଚିତ୍ର ସଂଖ୍ୟା ଥିଲା ଅତି କମ୍।

ପରବର୍ତ୍ତୀ ସମୟରେ ମୁଁ ଅସୀମ ଦା’ଙ୍କୁ ଜାଣିଲା ପରେ ଏହାର କାରଣ ସମ୍ପର୍କରେ ଜାଣିବାକୁ ପ୍ରଶ୍ନ କରିଥିଲି। ଅସୀମ ଦା’ ଦୀର୍ଘ ସମୟ ଚୁପ୍ ରହି ଉତ୍ତରରେ କହିଥିଲେ ଯେ ଅସିତ୍‍ ଓ ମୁଁ ଅତି ଘନିଷ୍ଠ ବନ୍ଧୁ ଥିଲୁ। ସେହି ଘନିଷ୍ଠତା ଆଧାରରେ ଅସୀତ ମୁଖାର୍ଜୀ ଏକଦା ଅସୀମ ଦା’ଙ୍କୁ ଶପଥ କରାଇଥିଲେ ଯେ ପୁସ୍ତକ ଓ ପତ୍ରପତ୍ରିକାର ପ୍ରଚ୍ଛଦ ଚିତ୍ର ଆଙ୍କି ସେ ଯେମିତି ଅସୀତ ମୁଖାର୍ଜୀଙ୍କ ସହ ପ୍ରତିଯୋଗିତା କରନ୍ତୁ ନାହିଁ। ନିଜ ଅଜାଣତରେ ଏପରି ଏକ ଶପଥ କରିସାରିଥିବାରୁ ଅସୀମ ଦା’ଙ୍କ ପାଖରେ ଆଉ କୌଣସି ଉପାୟ ନଥିଲା। କିନ୍ତୁ ତାଙ୍କ ଶପଥ ଅସୀମ ଦା’ ଗୋଟିଏ ସର୍ତ୍ତ ରଖିଥିଲେ ଓ କହିଥିଲେ ଯେ କୌଣସି ପୁସ୍ତକ ବା ପତ୍ରପତ୍ରିକାର ପ୍ରଚ୍ଛଦ ଚିତ୍ର ଆଙ୍କିବେ ନାହିଁ। କିନ୍ତୁ କେହି ଯଦି ପ୍ରଚ୍ଛଦ ଚିତ୍ର ଆଙ୍କିବାକୁ ତାଙ୍କ ନିକଟକୁ ଆସେ ତେବେ ସେ ମନା କରିବେ ନାହିଁ।

ଅସୀମ ଦା’ ଆଙ୍କିଥିବା ପ୍ରଚ୍ଛଦ ଚିତ୍ରଗୁଡ଼ିକର ସଂଖ୍ୟା କମ୍ ରହିବାର କାରଣ ଏହା ହୋଇପାରେ ଯେ ସେ ସମୟରେ କଟକ ଥିଲା ପୁସ୍ତକ ଓ ପତ୍ରପତ୍ରିକା ପ୍ରକାଶନର ରାଜଧାନୀ! ଉଭୟ ଅସୀତ ମୁଖାର୍ଜୀ ଓ ଶିବ ପାଣିଗ୍ରାହୀ କଟକରେ ରହୁଥିଲା ବେଳେ ଅସୀମ ଦା’ ରହୁଥିଲେ ଭୁବନେଶ୍ୱରରେ ।

ସତୁରୀ ଦଶକ ଥିଲା ଓଡ଼ିଆ ନାଟକ ମଞ୍ଚସ୍ଥ ହେବାର ‘ସୁବର୍ଣ୍ଣ ଯୁଗ’: ସେହି ସମୟରେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଉଥିବା ସବୁ ନାଟକର ମଞ୍ଚ ପରିକଳ୍ପନା ଓ ଉପସ୍ଥାପନାର ଦାୟିତ୍ୱ ରହିଥିଲା ଅସୀମ ବସୁଙ୍କ ହାତରେ।

ପରବର୍ତ୍ତୀ ସମୟରେ ମୁଁ ନାଟକ ରଚନା ଓ ନିର୍ଦ୍ଦେଶନା ପ୍ରତି ରୁଚି ରଖିବାରୁ ରବୀନ୍ଦ୍ର ମଣ୍ଡପ ସହ ମୋର ସଂପର୍କ ହେଲା। ସତୁରୀ ଦଶକ ଥିଲା ଓଡ଼ିଆ ନାଟକ ମଞ୍ଚସ୍ଥ ହେବାର ‘ସୁବର୍ଣ୍ଣ ଯୁଗ’: ସେହି ସମୟରେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଉଥିବା ସବୁ ନାଟକର ମଞ୍ଚ ପରିକଳ୍ପନା ଓ ଉପସ୍ଥାପନାର ଦାୟିତ୍ୱ ରହିଥିଲା ଅସୀମ ବସୁଙ୍କ ହାତରେ। ଯୁବ ବୟସରେ ନାଟକ ପ୍ରତି ଆଗ୍ରହ ରଖୁଥିବା ମୋ ଭଳି ପ୍ରାୟ ଅନ୍ୟ ସମସ୍ତଙ୍କୁ ଅସୀମ ବସୁଙ୍କ ମଞ୍ଚ ପରିପାଟୀ ବେଶ୍ ଉତ୍ସାହିତ କରି ପାରିଥିଲା। ତାଙ୍କୁ ଦୂରରୁ ଦେଖିଲେ ଏକ ସମୀହ ଓ ସମ୍ମାନ ଦ୍ୱାରା ଆମ ମୁଣ୍ଡ ଆପେ ଆପେ ନଇଁ ଯାଉଥିଲା।

ସାହିତ୍ୟରେ ରଖିଥିବା ରୁଚି ଯୋଗୁଁ ୧୯୮୧ରେ ମୁଁ ଗୋଟିଏ ମାସିକ ପତ୍ରିକା ସଂପାଦନା କରି ପ୍ରକାଶ କରିବାକୁ ମନସ୍ଥ କଲି। ପତ୍ରିକାର ନାଁ ଥିଲା ‘ଯନ୍ତ୍ରଣା’। ପତ୍ରିକାଟିର ପ୍ରଚ୍ଛଦ ଚିତ୍ର କରିବ କିଏ? ପ୍ରଚ୍ଛଦ ଚିତ୍ର କରିବାକୁ ଅସୀମ ବସୁଙ୍କ ନିକଟକୁ ଯାଇ କହିବାକୁ ସାହସ ଜୁଟୁନଥିଲା। କିନ୍ତୁ ନିଜର ସବୁ ସାହସକୁ ଏକାଠି କରି ନିଜେ ଯାଇ ଅସୀମ ବସୁଙ୍କ ନିକଟରେ ପହଞ୍ଚିଲି। ନମସ୍କାର କରି ମୋ ଉଦ୍ଦେଶ୍ୟ ଜଣେଇଲି। ମୋ କଥା ଓ ପତ୍ରିକା ନାଁ ଶୁଣି ସାରି ସେ କିଛି ସମୟ ଚୁପ୍ ବସିଲେ। ବରାଦ ହୋଇଥିବା ଚା’ ପିଉ ପିଉ ଓ ଆଙ୍ଗୁଠି ମଝିରେ ରଖିଥିବା ଜଳନ୍ତା ସିଗାରେଟ୍‌କୁ ହାତ ମୁଠା ଉପରୁ ଟାଣି ଦମ୍ ଜୋର ଟାଣିଲେ। ଏହିଭଳି କେତୋଟି ନୀରବ ମୁହୂର୍ତ୍ତ କଟିଗଲା ପରେ ସାମ୍ନାରେ ପଡ଼ିଥିବା ଫାଳେ ଡ୍ରଇଁ ସିଟ୍ ଉପରେ ତୁଳୀ ଧରି ଆଙ୍କିଲେ। ପ୍ରାୟ ପାଞ୍ଚ ସାତ ମିନିଟ୍ ଭିତରେ ପ୍ରଚ୍ଛଦ ଚିତ୍ର ଓ ଅକ୍ଷର ସଜ୍ଜା କାମଟି ସାରି ଦେଲେ। ଚିତ୍ରଟି ଚତୁସ୍କୋଣରେ ପ୍ରଲମ୍ବିତ ଦୁଇଟି ହାତ ବର୍ଚ୍ଛା ଦ୍ୱାରା ନିଜକୁ ଆଘାତ କରୁଥିବା ଅବସ୍ଥାର ଥିଲା; ଚିତ୍ରଟି ମୋ ମନକୁ ମଧ୍ୟ ବେଶ ପାଇଲା। ଜୀବନ ବଞ୍ଚିବା ଯଦି ଯନ୍ତ୍ରଣା ଜର୍ଜ୍ଜରିତ ହୁଏ, ତେବେ ପ୍ରତିଟି ମୁହୂର୍ତ୍ତରେ ନିଜେ ନିଜକୁ ବର୍ଚ୍ଛାଘାତ କରିବା ଭଳି କଥାଟିଏ ନୁହେଁ କି?

ଅଧଘଣ୍ଟାର ସେହି ସାକ୍ଷାତ ଭିତରେ ସେ ବୋଧେ ମୋର ଆର୍ଥିକ ସ୍ଥିତିର ଆକଳନ କରି ନେଇଥିଲେ। ପ୍ରଚ୍ଛଦ ଚିତ୍ର ଆଙ୍କିବା ବାବଦରେ ମୋଠାରୁ କୌଣସି ପାରିତୋଷିକ ନେବା ତ ଦୂରର କଥା, ବରଂ ମୋତେ କହିଲେ ଯେ ଏହି ଚିତ୍ରଟିକୁ କେବଳ ରଙ୍ଗ ବଦଳାଇ ପ୍ରତି ସଂଖ୍ୟାରେ ଛାପି ଦେଇ ହେବ।

ମୁଁ ଜାଣିଥିବା ଅସୀମ ବସୁଙ୍କୁ ମୁଁ ସେଦିନ ଅସୀମ ଦା’ ରୂପେ ଚିହ୍ନିବାର ସୁଯୋଗ ପାଇଲି ଓ ତାଙ୍କ ସହ ସଂପର୍କ ସେବେଠାରୁ ଶେଷ ପର୍ଯ୍ୟନ୍ତ ଅତୁଟ ରହିଥିଲା।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)

Comment