ଓଡ଼ିଶାଲାଇଭ୍‍ ବ୍ୟୁରୋ

ଗୀତିକାର ଦେବଦାସ ଛୋଟରାୟ, ସଙ୍ଗୀତକାର ଓମ୍‌ପ୍ରକାଶ ମହାନ୍ତି ଏବଂ ଗାୟିକା ସୁସ୍ମିତା ଦାସ ଟ୍ରାୟୋଙ୍କ ରଜଭେଟି

ଲାଜ ଲାଜ ହୋଇ ଆସିଲା ରଜଲୋ ଏପଟେ ଖରା, ସେପଟେ ଛାଇ… ଦାଣ୍ଡ ପାହାଚରେ କିଏ ସେ ଠିଆଲୋ, ଭାଇଙ୍କ ସାଙ୍ଗ ନା ସାଙ୍ଗର ଭାଇ… ।

ଗୀତିକାର ଦେବଦାସ ଛୋଟରାୟଙ୍କ ଶବ୍ଦ ସଂଯୋଜନାକୁ ନିଜ ସ୍ୱରର ଯାଦୁକରି ସ୍ପର୍ଶ ଦେଇ ପରିବେଷଣ କରିଛନ୍ତି ଓଡ଼ିଶାର ଅନନ୍ୟ କଣ୍ଠଶିଳ୍ପୀ ସୁସ୍ମିତା ଦାସ।

ରଜ ଉପଲକ୍ଷେ ରିଲିଜ୍ ହେବାକୁ ଥିବା ଏହି ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଜଣାଶୁଣା ସୁରକାର ଓମ୍ ପ୍ରକାଶ ମହାନ୍ତି। ଗୀତରେ ବନସ୍ତେ ଡାକିଲା ଗଜ… ପରି ରଜ ଗୀତର ଲୋକପ୍ରିୟ ବିଭିନ୍ନ ଶଦ୍ଦକୁ ବ୍ୟବହାର କରାଯାଇଛି, ଯାହାକି ବର୍ଷ ବର୍ଷ ଧରି ଏହି ଗଣପର୍ବ ସହ ଜଡ଼ିତ।

“ରଜ ସାଧାରଣତଃ ଆମ ରାଜ୍ୟର ଝିଅବୋହୂମାନେ ପାଳନ କରିଥାନ୍ତି। ଘରେ ଘରେ ରଜ ପିଠା, ରଜ ପାନ, ଏବଂ ରଜ ଦୋଳିର ମଜା। ଆମର କୃଷିଭିତ୍ତିକ ସମାଜରେ ଧରଣୀ ରଜସ୍ୱାଳା ହେବା ପରମ୍ପରା ସହିତ ଜଡ଼ିତ। ଏହି ପର୍ବ ଯେମିତି ଅନନ୍ୟ, ସେଭଳି ଅଭୁଲା ମଧ୍ୟ”, କହିଛନ୍ତି କଣ୍ଠଶିଳ୍ପୀ ସୁସ୍ମିତା ଦାସ।

ଆକାଶବାଣୀ କଟକ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ କଳାକାର ସୁସ୍ମିତା ନିରୁତା ଓଡ଼ିଆ ସାହିତ୍ୟକୁ ସଂଗୀତ ମାଧ୍ୟମରେ ପରିବେଷଣ କରି ଅନନ୍ୟ ରୁଚି ତଥା ପ୍ରତିଭାର ପରିଚୟ ଦେଇଛନ୍ତି। ମାୟାଧର ମାନସିଂହଙ୍କ ଲୋକପ୍ରିୟ କବିତାଗୁଡ଼ିକୁ ନେଇ ପ୍ରସ୍ତୁତ ମ୍ୟୁଜିକ୍ ଆଲବମ୍ ‘ମାୟା ଦର୍ପଣ’ ତାଙ୍କୁ ଓଡ଼ିଶାର ସଂଗୀତ କ୍ଷେତ୍ରରେ ଏକ ବିଶେଷ ପ୍ରତିଷ୍ଠା ଆଣିଦେଇଥିଲା।

ପରବର୍ତ୍ତୀ ସମୟରେ ‘ହାତୀ ସଜ କର’, ‘ରେଡିଓ ଡେଜ୍‍’, ‘ନୂଆ ଲୁହ ପୁରୁଣା ଲୁହ’ ଏବଂ ‘ଗୋଟିଏ ଶାରୀ’ ଆଦି ଓଡ଼ିଆ ଆଲ୍‌ବମ୍‌ରେ ସୁସ୍ମିତାଙ୍କ ଉଚ୍ଚାରଣ ଖାଣ୍ଟି ଓଡ଼ିଆ ଗୀତକୁ ଭଲ ପାଉଥିବା ଶ୍ରୋତାମାନଙ୍କୁ ଆକର୍ଷିତ କରିଥିଲା। ସୁସ୍ମିତାଙ୍କ ସହ ଏହି ଟିମ୍‌ର ଅନ୍ୟ ଯେଉଁ ଦୁଇ ପ୍ରମୁଖ ବ୍ୟକ୍ତି ଏହିସବୁ ପରିକଳ୍ପନାରେ ଯୋଡ଼ି ହୋ‍ଇଥିଲେ, ସେମାନେ ହେଲେ ଗୀତିକାର ଦେବଦାସ ଏବଂ ସଙ୍ଗୀତକାର ଓମ୍‌ପ୍ରକାଶ।

“ଭଲ ଗୀତ ଗାଇବା ତଥା ଲୋକଙ୍କୁ ଭଲ ସଂଗୀତରେ ରୁଚି ରଖିବା ପାଇଁ ପ୍ରବର୍ତ୍ତାଇବାକୁ ମୁଁ ନିଜର ଦାୟିତ୍ୱ ବୋଲି ମନେକରେ। ତେଣୁ ସବୁବେଳେ ନୂଆ ନୂଆ ଭାବ ତଥା ଅର୍ଥପୂର୍ଣ୍ଣ ଶବ୍ଦ ସଂଯୋଜନା ନେଇ ସଂଗୀତ କରିବାକୁ ଆଗ୍ରହୀ ହୋଇଥାଏ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ସୁସ୍ମିତା।

ଏଇ କିଛି ଦିନ ତଳେ ଉତ୍କଳ ଦିବସ ଉପଲକ୍ଷେ ରିଲିଜ୍ ହୋଇଥିବା ତାଙ୍କ ମ୍ୟୁଜିକ୍ ଆଲବମ୍ ‘ଆଉ ନକର କାହା ଆଗେ ଗୁହାରି’ ବେଶ୍‌ ଆଦୃତି ଲାଭ କରିଥିଲା।

ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ଯେପରିକି ଦିଲ୍ଲୀ, ଚେନ୍ନାଇ, କୋଲକାତା, ଅହମ୍ମଦାବାଦ ଏବଂ ବିଦେଶରେ ମଧ୍ୟ ସଂଗୀତ ପରିବେଷଣ କରି ସେ ବିଶେଷ ଖ୍ୟାତି ଲାଭ କରିଛନ୍ତି। ବିଭିନ୍ନ ମଞ୍ଚରେ ସେ ପରିବେଷଣ କରିଆସୁଥିବା ତାଙ୍କର ବିଭିନ୍ନ ଲୋକପ୍ରିୟ ଗୀତ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ରହିଛି। ଏହା ଡିଜିଟାଲ୍‍ ଜଗତରେ ଓଡ଼ିଆ ସଙ୍ଗୀତର ଲୋକପ୍ରିୟ କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରିବାରେ କେତେକାଂଶରେ ସହାୟକ ହୋ‍ଇପାରିଛି।

“ବର୍ତ୍ତମାନ ସମୟର ଗୀତଗୁଡ଼ିକର ଡିଜିଟାଲ୍ ରିଲିଜ୍ ନେଇ ସେ କହନ୍ତି ଯେ ଏହାଦ୍ୱାରା ଗୀତଗୁଡ଼ିକ ସ୍ୱଳ୍ପ ସମୟ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚିପାରୁଛି। ଯଦିଓ ଏହାଦ୍ୱାରା କୌଣସି ଅର୍ଥ ଆୟର ଆଶା ରହୁନି, ତେବେ ବି ପ୍ରଚାର ଓ ପ୍ରସାର ପାଇଁ ନିଶ୍ଚିତ ଭାବେ ସହାୟକ ହେଉଛି। ବିଶେଷକରି ପୃଥିବୀର ଯେ କୌଣସି କଣରେ ତାଙ୍କ ହାତମୁଠାରେ ଅର୍ଥାତ୍‌ ମୋବାଇଲ୍‌ ଫୋନ୍‌ ଜରିଆରେ ଆମ ପାଖରେ ପହଞ୍ଚିପାରୁଛନ୍ତି ଏବଂ ଆମ ସ୍ୱରକୁ ଆହୁରି ହଜାର ହଜାର ଶ୍ରୋତାମାନଙ୍କ ସହିତ ସେୟାର୍‌ କରିପାରୁଛନ୍ତି, ଏହାଠାରୁ ବଳି ଆଉ ବଡ଼ କଥା କ’ଣ ଅଛି”, କହିଛନ୍ତି ସୁସ୍ମିତା।

ରିଲିଜ୍ ହେବାକୁ ଥିବା ‘ରଜ ଗୀତ’ ଜୁନ୍ ୧୧ ତାରିଖରେ ସେ ଭୁବନେଶ୍ୱର ପଥ ଉତ୍ସବରେ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ସେଭଳି ଏହାକୁ ବିଧିବଦ୍ଧ ଭାବେ ଜୁନ୍‌ ୧୪ ତାରିଖ ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥାପନ କରାଯିବ ବୋଲି ସେ ଓଡ଼ିଶାଲାଇଭ୍‌କୁ ସୂଚନା ଦେଇଛନ୍ତି।

ସୁସ୍ମିତା ଦାସଙ୍କ କଣ୍ଠରେ ‘ଗୋଟିଏ ଶାରୀ’ ଆଲ୍‌ବମ୍‌ର ବିଭିନ୍ନ ଗୀତ

Comment