ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜ୍ୟେଷ୍ଠର ଶେଷ ଆଷାଢର ଆରମ୍ଭ ଏକ ସୁନ୍ଦର ମୁହୂର୍ତ୍ତ। ବିଭୋର ହୁଏ ପ୍ରକୃତି। ମତୁଆଲା ହୁଏ ମନ-ଏକ ପ୍ରକାର ଶିହରଣ ଖେଳିଯାଏ ତନୁରେ।

ସମସ୍ତେ ଉଲ୍ଲସିତ ଉତ୍‌ଫୁଲ୍ଲିତ। ରଜ ଆସିଛି।

‘ରଜ ଆସିଛି’ ଗୋଟିଏ ପ୍ରଥମ ଗୃହଯୋଗ୍ୟ ହୋଇଥିବା ଏକ ଲାଜ‍କୁଳି ଝିଅର ମନକୁ ନେଇ ।

ପୁରାଣ ମତରେ ‘ମାଟି ମା’ ରଜସ୍ୱଳା ହୁଏ ବରଷକେ ଥରେ। ମାତୃତ୍ୱ ଧାରଣ କରିବାର ଶକ୍ତି ଯେମିତି ଝିଅଟିର ଗୃହ ଯୋଗ୍ୟା ହେଲେ ହୁଏ ଠିକ୍ ସେମିତି ‘ମାଟି ମା’ ବି ଆଷାଢର ପ୍ରଥମ ପରଶରେ ବିକଶିତ ହୁଏ ଗର୍ଭବତୀ ହେବାପାଇଁ । ଏଇଟା ଆମର ପୁରାଣ କଥା – ଏଥିରେ ନିଶ୍ଚିତ ଭାବରେ ସତ୍ୟତା ଥାଏ ।

ଆମର ପ୍ରତ୍ୟେକଟି ପର୍ବ କୃଷିଭିତ୍ତିକ। କୃଷି ଆମ ଦେଶର ମେରୁଦଣ୍ଡ।

କୃଷି ଓ କୃଷକ। ଉଭୟଙ୍କ ସମ୍ପର୍କ କାହିଁ କେତେ ଯୁଗରୁ। ‘ମାଟି ମା’ ଖାଲି ଦୋହରେଇ ଦିଏ ଏଇ ସମ୍ପର୍କକୁ ବରଷକେ ଥରେ। ପ୍ରତ୍ୟେକ ପର୍ବକୁ ଆମେ ଗୋଟେ ନୀତି ନିୟମରେ ବାନ୍ଧି ରଖିଥାଉ ।

ଝିଅଟିଏ ଯେତେବେଳେ ଗୃହଯୋଗ୍ୟ ହୁଏ ତାକୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରଖିବାପାଇଁ ପରିବାରରେ ନିୟମ କରିଥାନ୍ତି। ଠିକ୍ ସେମିତି ରଜସ୍ୱଳା ମାଟି ମା’ବି ସେଇ ତିନିଦିନ ବହୁତ ଯତ୍ନ ସହକାରେ ନିଜକୁ ସଜେଇ ରଖିଥାଏ ।

‘ମାଟି ମା’ ଉପରେ ପାଦ ଦେବା ପାଇଁ ବି ବାରଣ ଥାଏ। ଗାଁ ଗହଳିରେ ଝିଅ ବୋହୂମାନେ ନୂଆ ଲୁଗା ପିନ୍ଧି ନିଜକୁ ଚନ୍ଦନ କୁକୁମରେ ସଜେଇଥାନ୍ତି। ବୈଜ୍ଞାନିକ ଦୃଷ୍ଟିକୋଣରୁ କାଟିବା, ବାଟିବା ସବୁ କିଛି ବାରଣ ହୋଇଥାଏ। କାହିଁକିନା ରଜସ୍ୱଳା ‘ମା’କୁ କଷ୍ଟ ହେବ।

ଆଗ କାଳରେ କଦଳୀ ବାହୁଙ୍ଗାରେ ଚପଲ କରି ପାଦରେ ପିନ୍ଧୁଥିଲେ। ନରମ ରହିଲେ ‘ମାଟି ମା’କୁ ବିଶେଷ କଷ୍ଟ ହେବ ନାହିଁ। ତାକୁ ସୁହାଇଲାପରି ନିୟମ ତିଆରି ହେଇଛି ଆମର ପୂର୍ବଜଙ୍କ ଠାରୁ। ଏବେ ବି ସେଇ ପ୍ରଥା ଗାଁ ଗହଳିରେ ଚାଲିଛି। ଯଦିଓ ସହରମାନଙ୍କରେ କିଛି ପରିବର୍ତ୍ତନ ଦେଖା ଯାଉଛି।

ରଜ ପର୍ବରେ ସବୁଠୁ ବଡ଼ ଆକର୍ଷଣ ହେଇଥାଏ ‘ଦୋଳି’ ଯାହା ଆଗରୁ ଫୁଲରେ ସଜା ହେଉଥିଲା। ଏବେ ବି କେତେ କେତେ ଜାଗାରେ  ସେମିତି ଫୁଲରେ ସଜେଇ ପ୍ରକୃତିକୁ ଆହୁରି ଲାସ୍ୟମୟୀ ହାସ୍ୟମୟୀ କରୁଛନ୍ତି।

ଆଉ ସବୁଠୁ ବଡ଼ କଥା ଆମର ‘ପୋଡ ପିଠା’ ଆଉ ତା ସାଙ୍ଗରେ ଦେଶି ମାଂସ ତରକାରୀର ସ୍ୱାଦ ।

ଭାରତୀୟ ସଂସ୍କୃତି ଓ ପରମ୍ପରର ବେଢା ପରିକ୍ରମା କଲେ ଜାଣି ହୁଏ ଯେ ଏଇ ପରମ୍ପରା ଓ ସଂସ୍କୃତିର ପ୍ରତ୍ୟେକ ମଣିଷର ମନକଥା କହେ। କହିବାକୁ ଗଲେ ତିନିଦିନ କାଳ ରଜ ପାଳନ ହୋଇଥାଏ। ପ୍ରଥମ ଦିନକୁ ‘ସଜବାଜ’ କୁହାଯାଏ। ତା’ପରେ ପହିଲି ରଜ, ରଜସଂକ୍ରାନ୍ତି, ଶେଷରଜ, ବାସୁମତି ସ୍ନାନ….। ଏଇ ଭଳି ଭାବରେ ଆମେ ରଜକୁ ପାଳିଥାଉ।

ଏହି ସମୟରେ ଚାଷୀଭାଇର ଖୁସି କହିଲେ ନସରେ। ଫସଲ ଆରମ୍ଭ କରିବାର ଉପଯୁକ୍ତ ସମୟ। ଆଷାଢର ପ୍ରଥମ ସ୍ପର୍ଶ ମାଟି ମା’କୁ ସିକ୍ତ କରିଦେଉଥାଏ… ତା’ର ବିନ୍ଦୁ ବିନ୍ଦୁ ଜଳକଣାରେ ଶାନ୍ତ ହୋଇଯାଏ ପ୍ରକୃତି। ଆଗରୁ ମୁନିଋଷିମାନେ ତ ଏଇ ସଂସ୍କାରକୁ ଧରିକି ଚାଲିଥିଲେ। ଯେଉଁଥିପାଇଁ ଅଧର୍ମ ଗ୍ରାସ କରିପାରୁନଥିଲ। ଫଳସବୁ ପାଚିବାର ଏକ ସୁବର୍ଣ୍ଣ ମୁହୂର୍ତ୍ତ। ଗଛ ପତ୍ର ସବୁ ସତେଜ ହୋଇଉଠେ ଆଷାଢର ପ୍ରଥମ ସ୍ପର୍ଶରେ। ପ୍ରକୃତି ବି ତା’ର ଅଭିମାନିନୀ ବେଶ ଛାଡ଼ି ଅଭିସାରୀକା ବେଶରେ ନିଜକୁ ସଜେଇଥାଏ।

ଶେଷଦିନ ହିଁ ସେ ଅଭିସାରୀକା ବେଶରେ ନିଜକୁ ସଜେଇଥାଏ। ଦେବୀ ମନ୍ଦିର ଚଳଚଞ୍ଚଳ ହୋଇଉଠେ। ବାସୁମତି ସ୍ନାନ ସାରି, ନୂତନ ବସ୍ତ୍ରରେ ପରିବେଶିତ ହୋଇ ସିନ୍ଦୁର, ଅଳତା ନାଇଁ ବସିଥାଆନ୍ତି ଦେବୀ।

କି ସୁନ୍ଦର ଆମର ସଂସ୍କୃତି କି ସୁନ୍ଦର ଆମର ପରମ୍ପରା। ପୂଜା ପଦ୍ଧତି ସହିତ ଆମୋଦ ପ୍ରମୋଦର ଏସବୁ ସୁ-ବନ୍ଦୋବସ୍ତ ହୋଇଥାଏ ।

ବାରମାସରେ ତେର ପର୍ବ ପରି ଆମେମାନେ ବର୍ଷସାରା ନିଜକୁ ହଜେଇ ଦେଇଥାଉ। ମଜ୍ଜି ଯାଇଥାଉ ଆମର ପରମ୍ପରାରେ। ସେଥିରେ, ଜାତି, ଧର୍ମ ଏସବୁର ପ୍ରଶ୍ନ ନଥାଏ। ଖାଲି ଆନନ୍ଦ ହିଁ ଆନନ୍ଦ। ରଜ ପୋଡପିଠା ଖାଇଲାବେଳେ ସମସ୍ତଙ୍କୁ ବାଣ୍ଟିଲା ବେଳେ ମନେ ପଡେନି ଜାତି, ମନେପଡେନି ଧର୍ମ। ଗୋଟିଏ କଥା ମନେପଡେ ଭାବର ଆଦାନ ପ୍ରଦାନ। ଯେଉଁଟା ପ୍ରକୃତ ସତ୍ୟ। ଯାହା ଭାଗବତ କହେ ।

ସର୍ବେ ହୋଇବେ ଏକାକାର | ନଥିବ ଭେଦର ବିଚାର…..

1 COMMENT

Comment