ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଜ ଉପରେ କରୋନା ମାଡ଼। ଏଥର ଫିକା ପଡ଼ିଯିବ ଓଡ଼ିଆ ପର୍ବ ରଜ। ନାଁ ଏଥର ଖେଳିପାରିବେ ଦୋଳି, ନା କରି ହେବ ଭୋଜି ଭାତ। କୋଭିଡ୍‌ ନିୟମକୁ ଆଖି ଆଗରେ ରଖିଲେ ଏଥର ରଜ ବେଳ କୌଣସି ଉତ୍ସବ ପାଳନ କରାଯିବ ନାହିଁ। ସାମାଜିକ ଦୂରତା ଯୋଗୁଁ ଏଥର ଦୋଳି ବି ଖେଳିପାରିବେ ନାହିଁ।

ଅନ୍ୟପକ୍ଷରେ ରାଜ୍ୟରେ କରୋନା ଯୋଗୁଁ ଶନିବାର, ରବିବାର ଦୁଇଦିନ ସଟ୍‌ଡାଉନ୍‌ ରହୁଛି। ଏଥର ରବିବାର ପହିଲି ରଜ ପଡୁଥିବାରୁ ସଟ୍‌ଡାଉନ୍‌ ଯୋଗୁଁ କାହାରିକୁ ବାହାରକୁ ବାହରିବାକୁ ଅନୁମତି ଦିଆଯିବ ନାହିଁ। ସେହିପରି ଅନ୍ୟ ଦୁଇଦିନ ସଟ୍‌ଡାଉନ୍‌ ନଥିଲେ ବି କୋଭିଡ୍‌ ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷା ଓ କୌଣସି ଉତ୍ସବ ପାଳନ କରାଯିବନି ବୋଲି କୁହାଯାଇଛି।

ତେବେ ଏଥର ଓଡ଼ିଆମାନଙ୍କ ପ୍ରମୁଖ ପର୍ବ ରଜ ଏକଦମ ଫିକା ପଡ଼ିଯିବ। ରଜରେ ଏଥର ବୁଲାବୁଲି ମଧ୍ୟ କରିପାରିବେନି ଲୋକେ। ରଜରେ ଅନେକ ଲୋକ ମନ୍ଦିରକୁ ବୁଲିବାକୁ ଯାଆନ୍ତି। ହେଲେ ଧାର୍ମିକ ସ୍ଥଳ ବନ୍ଦ ଥିବାରୁ ମନ୍ଦିରମାନଙ୍କରେ କାହାରିକୁ ପ୍ରବେଶ କରିବାକୁ ଦିଆଯିବନାହିଁ। କହିବାକୁ ଗଲେ ଏଥର ଘରେ ବସି ରଜ ପାଳିବେ ଲୋକେ।

ଅନ୍ୟପକ୍ଷରେ କରୋନାକୁ ନେଇ କେନ୍ଦୁଝରରେ ରଜ ପର୍ବ ପାଳନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ରଜ ଦୋଳି, ମେଳା, ମହୋତ୍ସବ ଏବଂ ପାରମ୍ପରିକ ଖେଳ ଆଦି ବେଳେ ଲୋକେ ବହୁତ ମାତ୍ରାରେ ଏକାଠି ହେବାର ସମ୍ଭାବନା ଥିବାରୁ ଏହା ଉପରେ ରୋକ ଲଗାଇଛି ପ୍ରଶାସନ। ତେଣୁ ଏସବୁ କେହି ଆୟୋଜନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି।

ଅନ୍ୟ କେଉଁଠି ରଜ ପାଇଁ ସ୍ଵତନ୍ତ୍ର କଟକଣା ଜାରି କରାଯାଇ ନାହିଁ। ତେବେ କୋଭିଡ୍‌ ନିୟମକୁ ଦେଖିଲେ ଏଥର ରଜ କଟକଣାରେ ପାଳନ କରାଯିବ। ସେହିପରି ରଜ କିଣାବିକା ପାଇଁ ରାଜ୍ୟ ସରକାର ଶୁକ୍ରବାର ରାତ୍ରୀକାଳୀନ କର୍ଫ୍ୟୁକୁ କୋହଳ କରିଛନ୍ତି।

ପ୍ରତି ବର୍ଷ ରାଜ୍ୟରେ ଧୁମ୍‌ଧାମ୍‌ରେ ରଜ ପର୍ବ ପାଳନ କରାଯାଏ। ରଜରେ ଉତ୍ସବ ମୁଖର ହୋଇଉଠେ ଗାଁଠାରୁ ସହର। ଘରେ ଘରେ ପୋଡ଼ପିଠା ଓ ମିଠାରେ ମହକି ଉଠେ। ଯୁବତୀମାନଙ୍କର ଦୋଳି ଖେଳ ମଧ୍ୟ ଦେଖିବାକୁ ମିଳେ। ସେହିପରି ଭୁବନେଶ୍ଵର ରବିନ୍ଦ୍ର ମଣ୍ଡପରେ ମଧ୍ୟ ପୋଡ଼ି ପିଠା କରାଯାଇ ରଜ ପର୍ବ ପାଳନ କରାଯାଏ।

LEAVE A REPLY

Please enter your comment!
Please enter your name here