ଓଡ଼ିଶାଲାଇଭ୍ ବ୍ୟୁରୋ

ଏଚ୍୩ଏନ୍୨ ଭାଇରସକୁ ନେଇ ବର୍ତ୍ତମାନ ଚିନ୍ତା ବଢ଼ିବାକୁ ଲାଗିଛି। ଏଚ୍୩ଏନ୍୨ ଭାଇରସରେ ଆକ୍ରାନ୍ତ ହୋଇ ଦେଶରେ ଦୁଇ ଜଣଙ୍କର ମୃତ୍ୟୁ ହେବା ପରେ ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାରି ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ସିଡିଏମଓ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ସତର୍କ ରହିବା ଲାଗି ଚିଠି ଲେଖିଛି ଜନସ୍ଵାସ୍ଥ୍ୟ ବିଭାଗ।

ଏଚ୍୩ଏନ୍୨ ଭାଇରସ ସଂକ୍ରମଣ ପରେ କୋଭିଡକୁ ନେଇ ପୁଣି ଭୟ ସୃଷ୍ଟି ହୋଇଛି। ଏଚ୍୩ଏନ୍୨ ଭାଇରସରେ ଆକ୍ରାନ୍ତ ରୋଗୀଙ୍କଠାରେ ଥଣ୍ଡା, କାଶ, ଜ୍ଵର, ମୁଣ୍ଡବିନ୍ଧା, ନାକରୁ ପାଣି ବହିବା, ଶରୀରରେ ପୀଡ଼ା ଆଦି ଲକ୍ଷଣ ଦେଖିବାକୁ ମିଳୁଛି।

ଦୀର୍ଘ ଦିନଧରି ଥଣ୍ଡା ଏବଂ କାଶ ହେଲେ କୋଭିଡ ପରୀକ୍ଷା କରିବାକୁ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି। ଲକ୍ଷଣ ଥିଲେ ତୁରନ୍ତ ନିଜକୁ ଆଇସୋଲେଟ କରିବାସ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ସେ କହିଛନ୍ତି। ଏହା ସହ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଏବଂ ଅନ୍ୟମାନଙ୍କଠାରୁ ଦୂରେଇ ରହିବା ଲାଗି ପରାମର୍ଶ ଦେଇଛନ୍ତି ଜ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ।

ଏଚ୍୩ଏନ୍୨ ଭାଇରସ ଛୋଟ ପିଲା ଏବଂ ବୟସ୍କଙ୍କୁ ଶୀଘ୍ର ଆକ୍ରାନ୍ତ କରୁଥିବା ଡାକ୍ତର କହିଛନ୍ତି। ପୂର୍ବରୁ କୌଣସି ରୋଗରେ ଗୁରୁତର ଥିବା ରୋଗୀ ମଧ୍ୟ ଏହାର ଅଧିକ ଶିକାର ହେବାର ସମ୍ଭାବନା ରହିଥିବା ସେ କହିଛନ୍ତି। 

ଏହି ଇନଫ୍ଲୁଏଞ୍ଜାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନଥିବାରୁ ପ୍ରତିରୋଧକ ବ୍ୟବସ୍ଥା କରିବା ଲାଗି ପରାମର୍ଶ ଦେଇଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର। ବର୍ତ୍ତମାନ ପରିସ୍ଥିତିରେ ଭୟଭୀତ ନହୋଇ ସାବଧାନତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଏଚ୍୩ଏନ୍୨ ଭାଇରସରେ ପୀଡ଼ିତ ରୋଗୀଠାରେ କିଛି ଦିନ ଜ୍ୱର ଏବଂ କାଶ ରହିବ। ପରେ ରୋଗୀ ନିମୋନିଆର ଶିକାର ହେବାର ଭୟ ରହିଛି। ଏହା ସହ କିଡନୀ, ହାର୍ଟ ଓ ଶ୍ୱାସ ରୋଗୀଙ୍କ ପାଇଁ ଏହା ଅଧିକ ବିପଦ ଆଣିପାରେ ବୋଲି ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।

Tags: #Virus #H3N2Influenza #Disease #PublicHealthDepartment #DrNiranjanMishra #Covid

Comment