ଓଡ଼ିଶାଲାଇଭ୍ ବ୍ୟୁରୋ

  • କୋଭିଡ ଲକ୍ଷଣ ଥିଲେ ଆଇସୋଲେଟ ହେବାକୁ ପରାମର୍ଶ
  • ହକି ପାଇଁ ବାହାରୁ ଆସୁଥିବା ଦର୍ଶକଙ୍କ ଯୋଗୁଁ ବଢ଼ିପାରେ ସଂକ୍ରମଣ
  • ସଂକ୍ରମିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ
  • ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ ଆସିବ ଚତୁର୍ଥ ଲହର!
  • କୋଭିଡର ୩ଟି ଡୋଜ ନେଇଥିଲେ ନାଜାଲ ଡୋଜ ମନା
  • ରାଜ୍ୟରେ ପୁଣି ଆରମ୍ଭ ହେବ ଟିକାକରଣ

ଚୀନ, ଜାପାନ, କୋରିଆ, ସିଙ୍ଗାପୁର, ହଂକଂ ଆଦି ପ୍ରାୟ ୭ଟି ଦେଶରେ ଏବେ କୋଭିଡ ସଂକ୍ରମଣ ଚିନ୍ତାଜନକ ରହିଛି। କୋଭିଡ ମୁକାବିଲା ଲାଗି ଉଭୟ କେନ୍ଦ୍ର ସରକାର ଏବଂ ଓଡ଼ିଶା ସରକାର ପ୍ରସ୍ତୁତ ରହିଛନ୍ତି। ସଂକ୍ରମିତ ଦେଶ କିମ୍ବା ସେହି ଦେଶ ଦେଇ ଆସୁଥିବା ଯାତ୍ରୀମାନଙ୍କ ଲାଗି ଆରଟିପିସିଆର ଟେଷ୍ଟିଂକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ଯାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଲେ ସେମାନଙ୍କୁ ଆଇସୋଲେଟେଡ ହେବା ପାଇଁ ପରାମର୍ଶ ଦିଆଯାଇଛି।

କୋଭିଡ ମୁକାବିଲା ଲାଗି ରାଜ୍ୟ ସରକାର ନିୟମାବଳୀ ଜାରି କରିଛନ୍ତି। ଭିଡ ସ୍ଥାନରେ ମାସ୍କ ପିନ୍ଧିବାକୁ ରାଜ୍ୟବାସୀଙ୍କୁ କୁହାଯାଇଛି। କୋଭିଡ ଲକ୍ଷଣ ଥିଲେ ଟେଷ୍ଟିଂ କରିବା ସହ ରିପୋର୍ଟ ନେଗେଟିଭ ଆସିବା ପର୍ଯ୍ୟନ୍ତ ନିଜକୁ ଆଇସୋଲେଟ କରିବାକୁ ମଙ୍ଗଳବାର ଦିନ ପରାମର୍ଶ ଦେଇଛନ୍ତି ସ୍ଵାସ୍ଥ୍ୟ ବିଭାଗ ସ୍ଵତନ୍ତ୍ର ସଚିବ ଡାକ୍ତର ଅଜିତ କୁମାର ମହାନ୍ତି।

ସାରା ବିଶ୍ଵରେ ଜନୁଆରି ୧ ସୁଦ୍ଧା ୩ ଲକ୍ଷ ୬୦ ହଜାର ଉପରେ ନୂଆ କୋଭିଡ ଆକ୍ରାନ୍ତ

ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ପାଇଁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ସଚିବ ଡାକ୍ତର ଅଜିତ କୁମାର ମହାନ୍ତି ସୂଚନା ଦେଇଛନ୍ତି ଯେ, ସମଗ୍ର ବିଶ୍ଵରେ ଜାନୁଆରି ୧ ତାରିଖରେ ୩,୬,୪୫୦ଟି କୋଭିଡର ନୂଆ ମାମଲା ଆସିଛି। ଏଥିରେ ଜାପାନର ସର୍ବାଧିକ ଆକ୍ରାନ୍ତ ରହିଛନ୍ତି। ଏଠାରେ ୮୬,୯୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ରହିଛି ଚୀନ।

ସପ୍ତାହର ରିପୋର୍ଟ ଅନୁସାରେ ବିଶ୍ଵରେ ୫,୧,୦୮୬ ନୂଆ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଭାରତରେ ମାତ୍ର ୧୭୩ଟି ନୂଆ ମାମଲା ରହିଛି ଏବଂ ଓଡ଼ିଶାରୁ ଦୁଇ ଜଣ ରହିଛନ୍ତି। ଜଣେ କୋରାପୁଟର ଓ ଜଣେ ଖୋର୍ଦ୍ଧାରୁ ରହିଛନ୍ତି।

ଲକ୍ଷଣ ଥିବା ବ୍ୟକ୍ତି ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପର୍ଯ୍ୟନ୍ତ ନିଜକୁ ଆସୋଲେଟ କରନ୍ତୁ – ଡାକ୍ତର ଅଜିତ କୁମାର ମହାନ୍ତି

କୋଭିଡ ମୁକାବିଲା ଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ରାଜ୍ୟରେ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ, ଟିକାକରଣକୁ ଗୁରୁତ୍ଵ ଦିଆଯାଉଛି। କୋଭିଡ ଲକ୍ଷଣ ଥିଲେ ପରୀକ୍ଷା କରିବା ସହ ରିପୋର୍ଟ ନେଗେଟିଭ ଆସିବା ପର୍ଯ୍ୟନ୍ତ ନିଜକୁ ଆଇକୋଲେଟ କରିବାକୁ କରାମର୍ଶ ଦେଇଛନ୍ତି ଡାକ୍ତର ଅଜିତ କୁମାର ମହାନ୍ତି। ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିବାର ଅଧିକ ସମ୍ଭାବନା ନଥିଲେ ମଧ୍ୟ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ବାହାରୁ ଆସୁଥିବା ଦର୍ଶକଙ୍କଠାରୁ ସଂକ୍ରମଣ ବଢ଼ିବା ଭୟ ରହିଛି

ଆଗକୁ ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି ହକି ବଶ୍ଵକପ। ଭୁବନେଶ୍ଵର, କଟକ, ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା ଆଦି ସହରରେ ଲୋକଙ୍କ ସମାଗମ ହେବ। ଖାସ କରି ଏଠାରେ ବାହାରୁ ଦର୍ଶକଙ୍କ ଭିଡ଼ି ଲାଗିବ। ଏଠାକୁ ରାଜ୍ୟ ବାହାରୁ ଆସିବାକୁଥିବା ଦର୍ଶକଙ୍କଠାରୁ ସଂକ୍ରମଣ ବ୍ୟାପିବାର ଭୟ ରହିଛି। ତେଣୁ ଏହି ସମୟରେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷା କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରାଯାଇଛି।

ସ୍ଵାସ୍ଥ୍ୟ ବିଭାଗ ସ୍ଵତନ୍ତ୍ର ସଚିବଙ୍କ ସୂଚନା ଅନୁସାରେ ସଂକ୍ରମିତ ଦେଶଗୁଡ଼ିକରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ସ୍ଵତନ୍ତ୍ର ନଜର ରଖାଯାଇଛି। ଚୀନରେ କୋଭିଡ ସଂକ୍ରମଣ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଚୀନରେ କୋଭିଡ ସ୍ଥିତି ଚିନ୍ତାଜନକ ରହିଛି। ଲୋକଙ୍କ ଦାବି ପରେ ଗତ ୨୦୨୨ ଡିସେମ୍ବର ୮ ତାରିଖରେ ଚୀନରେ କୋଭିଡ କଟକଣା ସମ୍ପୂର୍ଣ୍ଣ ହଟାଯିବା ପରେ ସଂକ୍ରମର ହାର ଅଣାୟତ୍ତ ହୋଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଚୀନରେ ପିକ୍ ପିରିୟଡ ଆସିନାହିଁ। ଆସନ୍ତା ୧୩ରୁ ୧୫ ତାରିଖ ସୁଦ୍ଧା ଚୀନରେ ସଂକ୍ରମଣ ସଂଖ୍ୟା ବଢ଼ିବା ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହା ପରେ ଚୀନରେ ଦୈନିକ ସଂକ୍ରମଣ ସଂଖ୍ୟା ୭ ଲକ୍ଷ ଟପିବ ଏବଂ ମୃତ୍ୟୁ ସଂଖ୍ୟା ଦୈନିକ ୨୫ ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। କିନ୍ତୁ ଭାରତ ପାଇଁ କୋଭିଡ ସ୍ଥିତିକୁ ନେଇ କୌଣସି ଆକଳନ କରାଯାଇ ନାହିଁ ବୋଲି ଡାକ୍ତର ଅଜିତ କୁମାର ମହାନ୍ତି କହିଛନ୍ତି। କିନ୍ତୁ ଭାରତରେ ମାର୍ଚ୍ଚ ଦ୍ଵିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ଚତୁର୍ଥ ଲହର ଆସିବାର ସମ୍ଭାବନା ରହିଛି।

ଭାରତରେ ପ୍ରାୟ ୯୦ ପ୍ରତିଶତ ଟିକାକରଣ ହୋଇଥିବାବେଳେ ଓଡ଼ିଶାରେ ୪୦ ପ୍ରତିଶତ ଟିକାକରଣ ହୋଇଛି। କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ପୁନର୍ବାର ରାଜ୍ୟରେ ଟିକାକରଣ ଆରମ୍ଭ କରାଯିବ। ଭାରତରେ ଟିକାକରଣ ଯୋଗୁଁ ଲୋକଙ୍କଠାରେ ରୋକ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଛି। କୋଭିଡକୁ ନେଇ ଭୟଭୀତ ନ ହୋଇ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

Tags: #Covid19 #CoronaVirus #Testing #CovidGuidelines #Odisha

LEAVE A REPLY

Please enter your comment!
Please enter your name here