ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ୟୁନିଟ-୨ ମାର୍କେଟ ବିଲ୍ଡିଂ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ହୋଇଛି। ମାର୍କେଟ ବିଲ୍ଡିଂ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ଘୋଷଣା କରିଛି। ମାର୍କେଟ ବିଲ୍ଡିଂରେ ଉଠାଦୋକାନୀ-ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ମଧ୍ୟରେ ବିବାଦକୁ ବିଏମସି ସମାଧାନ କରି ନପାରିବାରୁ ଏବେ ଧାରଣା ଦେବେ ୧୭୫ ସ୍ଥାୟୀ ବ୍ୟବସାୟୀ। ଏନେଇ ରବିବାର ଘୋଷଣା କରାଯାଇଥିଲା।

ମାର୍କେଟ୍‌ ବିଲ୍ଡିଂରେ ପରିସରରେ ଅନେକ ଦିନରୁ ଚାଲିଥିବା ସ୍ଥାୟୀ ଓ ଉଠାଦୋକାନୀଙ୍କ ବିବାଦର ସମାଧାନ ହୋଇପାରିନାହିଁ। ଏଥିପାଇଁ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ବାରମ୍ବାର କୁହାଯାଇଥିଲେ ମଧ୍ୟ ମାମଲା ଆଗକୁ ବଢ଼ିପାରିନଥିଲା। ଉଠାଦୋକାନୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ଗତ ସପ୍ତାହରେ ୩ ଦିନ ସମୟ ଦିଆଯାଇଥିଲେ ମଧ୍ୟ ବିଏମସି ଏହା କରିବାରେ ବିଫଳ ହୋଇଥିଲା।

“ମାର୍କେଟ୍‌ ବିଲ୍ଡିଂରେ ପ୍ରାୟ ୨୦୦ରୁ ଅଧିକ ଉଠାଦୋକାନୀ ବସିଛନ୍ତି। ସେମାନେ କିଛି ଲୋକଙ୍କୁ ଟଙ୍କା ଦେଇ ଏଠାରେ ବ୍ୟବସାୟ କରୁଛନ୍ତି। ଉଠାଦେକାନୀମାନେ ରାସ୍ତାରେ ବିକ୍ରିବଟା କରୁଥିବାରୁ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଉଠାଦୋକାନୀ ଆବର୍ଜନା ଫିଙ୍ଗୁଥିବା ବେଳେ ସ୍ଥାୟୀ ଦୋକାନୀ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛନ୍ତି। ତେଣୁ ସେମାନଙ୍କୁ ହଟାଇବାକୁ ଆମେ ବିଏମସିକୁ ଦାବି କରିଥିଲୁ। ଏବେ ବିଏମସି ଏଥିରେ ବିଫଳ ହୋଇଥିବାରୁ ଆମେ ମାର୍କେଟ୍‌ ବିଲ୍ଡିଂ ବନ୍ଦ କରି ଧାରଣା ଦେବାକୁ ନିଷ୍ପତ୍ତି ନେଉଛୁ”, କହିଛନ୍ତି ସେଣ୍ଟ୍ରାଲ ମାର୍କେଟ୍‌ ସଂଘ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା।

ଅନ୍ୟପଟେ ଏହି ନିଷ୍ପତ୍ତି ଯୋଗୁଁ ଏବେ ମାର୍କେଟ୍‌ ବିଲ୍ଡିଂ ବ୍ୟବସାୟୀଙ୍କ ଛଡ଼ା ଏଠାରେ ଥିବା ବଡ଼ ବଡ଼ ଦୋକାନରେ କାମ କରୁଥିବା କର୍ମଚାରୀମାନେ ମଧ୍ୟ ପ୍ରଭାବିତ ହେବେ। ସେମାନଙ୍କ ଦରମା ଠିକରେ ମିଳିବ ନାହିଁ ବୋଲି ଅନେକ ଆଶଙ୍କା କରୁଛନ୍ତି।

ସେହିପରି ମାର୍କେଟ୍‌ ବିଲ୍ଡିଂରେ ଡ୍ରେସ୍‌, ଶାଢ଼ି, ଚପଲ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ସୁଲଭ ଦରରେ ମିଳୁଥିବାରୁ ପ୍ରତିଦିନ ଏଠାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳେ। ଏବେ ଏହି ମାର୍କେଟ୍‌ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ପର୍ଯ୍ୟନ୍ତ ରହିବା ସେମାନଙ୍କୁ ମଧ୍ୟ ପ୍ରଭାବିତ କରିବ।

ଏହା ପୂର୍ବରୁ ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦ କାରଣରୁ ଚଳିତବର୍ଷ ଜାନୁଆରି ୬ ଓ ୭ ତାରିଖରେ ମାର୍କେଟ୍‌ ବିଲ୍ଡିଂ ଦୁଇ ଦିନ ପାଇଁ ବନ୍ଦ ହୋଇଥିଲା। ସେତେବେଳେ ବିଏମସି ପକ୍ଷରୁ ଉଠାଦୋକାନୀମାନଙ୍କୁ ହଟାଇବା ଆରମ୍ଭ କରିଥିଲେ। ଏହା ବିରୋଧରେ କିଛି ଉଠାଦୋକାନୀ ହାଇକୋର୍ଟରେ ଆବେଦନ କରିବାପରେ କୋର୍ଟ ଏହି ଉଚ୍ଛେଦ ଉପରେ ରୋକ ଲଗାଇଥିଲେ।

Tags: #MarketBuilding #Shutdown #Vendors #BMC

 

Comment