ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶ ବଦଳୁଛି। ଏହା ଯେ କୌଣସି ରାଜନୈତିକ ଦଳର ସ୍ଲୋଗାନ ହୋଇପାରେ। କିନ୍ତୁ ବାସ୍ତବ କ୍ଷେତ୍ରରେ ଏବେର ସମାଜରେ ଏକ ନୂଆ କଥା ଦେଖିବାକୁ ମିଳୁଛି। ସେହି ନୂଆ ଓ ପରିବର୍ତ୍ତନର ସ୍ୱର ହେଉଛି ଅତି ଗରିବ ପରିବାରର ପିଲାମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପ୍ରଦର୍ଶନ କରି ନିଜ ପାଇଁ ଓ ସମାଜ ପାଇଁ ଦୃଷ୍ଟାନ୍ତ ପାଲଟିଛନ୍ତି। ଯାହା ଦିନେ ସେମାନଙ୍କ ପାଇଁ ଅପହଞ୍ଚ ଇଲାକା ଥିଲା, ତାହା ଆଜି ହାତ ପାହାନ୍ତାରେ। ଏଭଳି କୌଣସି ଗୁରୁତ୍ୱପୂର୍ଣ୍ଣ ଚାକିରୀ ନାହିଁ ଯେଉଁଥିରେ ନିଃସ୍ୱ ପରିବାରରୁ ଆସୁଥିବା ଛାତ୍ରଛାତ୍ରୀ ପ୍ରବେଶ କରୁନାହାନ୍ତି।

ସେହିଭଳି ଏକ ଦୃଷ୍ଟାନ୍ତ ହେଉଛନ୍ତି ବିକାଶ ଦାସ। ବିକାଶ ନିକଟରେ ଆଇଆଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ପରୀକ୍ଷା ବର୍ତ୍ତମାନ ଦେଶର ସବୁଠାରୁ ଅଧିକ କଷ୍ଟକର ପରୀକ୍ଷା ଓ ଏହାକୁ କ୍ରାକ୍ କରିବା ପାଇଁ ପିଲା ଯେ କେତେ ପରିଶ୍ରମ କରୁଛନ୍ତି ତାହାର ଉଲ୍ଲେଖ ଅନାବଶ୍ୟକ।

ତେବେ ବିକାଶଙ୍କ ପରିଚୟ ହେଉଛି ସେ ଜଣେ ଦିନ ମଜୁରିଆଙ୍କ ପୁଅ। ଘର ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ବ୍ଲକର ମାନପୁର ଗ୍ରାମରେ। ତଥାକଥିତ ଗରିବ ସୀମାରେଖା ତଳେ ତାଙ୍କ ପରିବାରଟି ଆସିଲେ କଣ ହେଲା ପୁଅ କିନ୍ତୁ ନିଜ କରିସ୍ମା ଦେଖାଇ ପାରିଛନ୍ତି। ସମଗ୍ର ଦେଶରେ ୫୮୨ ରାଙ୍କ ରଖି ଜେଇ ଆଡଭାନ୍ସଡ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ବିକାଶଙ୍କ ବାପା ବିଜୟ ଦାସ ପୁଅ ପାଇଁ ଗର୍ବ ଅନୁଭବ କରିବା ସ୍ୱାଭାବିକ।

ବିକାଶଙ୍କ ବାପା କହିଛନ୍ତି, “ମୁଁ ଜଣେ ଦିନ ମଜୁରିଆ। ଆର୍ଥିକ ଅନଟନ ସତ୍ତ୍ୱେ ମୁଁ ମୋ ପୁଅର ପାଠ ପଢ଼ା ପାଇଁ ସବୁବେଳେ ଉଦ୍ୟମ ଜାରି ରଖି ଆସିଥିଲି। ୟୁପି ସ୍କୁଲରେ ପଢ଼ୁଥିବା ସମୟରେ ହିଁ ତା’ର ଆଗ୍ରହ ଦେଖି ମୁଁ ଟଙ୍କା ସଞ୍ଚୟ କରିବା ଆରମ୍ଭ କଲି। ମୁଁ ଖୁସି ଯେ ପୁଅ ମୋର ଆଇଆଇଟିରେ ପଢିବ”।

ବିକାଶ ବି ଖୁସି ଯେ ସେ ତାଙ୍କ ବାପାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେ ସମର୍ଥ ହୋଇଛନ୍ତି। ସ୍ଵୀକାର କରନ୍ତି ବିକାଶ,”ମୋ ପାଇଁ ପ୍ରେରଣା ମୋ ବାପା। ମୋ ପାଠପଢା ପାଇଁ ସେ କେତେ ଝାଳ ବୁହାଇଛନ୍ତି। ସେ ମୋତେ କେବେ ବି ଅଭାବ ଭିତରେ ବଢ଼ିବାକୁ ଦେଇନାହାନ୍ତି।”

ବିକାଶଙ୍କ ଭଳି ଅନେକ ପିଲା ଆଜି ସମାଜର ଶୀର୍ଷ ସ୍ଥାନରେ ପହଞ୍ଚି ପାରୁଛନ୍ତି। ଏବେ ଆଉ ସେହି ପୁରୁଣା ବ୍ୟବସ୍ଥା ନାହିଁ ଯେଉଁଠି କେବଳ ଧନୀ ଓ ଥିଲାବାଲା ଲୋକଟିର ପୁଅ ହିଁ ସବୁ ପ୍ରକାର ସଫଳତାର ଅଧିକାରୀ ହେବ।

ସାମାଜିକ ନ୍ୟାୟ ପାଇବା ପାଇଁ ବିକାଶ ଭଳି ପିଲାଙ୍କ ସକାଶେ ଏକମାତ୍ର ମାନଦଣ୍ଡ ହେଉଛି ପରିଶ୍ରମ ଓ ଆଗକୁ ବଢ଼ିବା ପାଇଁ ଆବଶ୍ୟକ ହେଉଥିବା ଅଙ୍ଗୀକାରବଦ୍ଧ ମାନସିକତା।

LEAVE A REPLY

Please enter your comment!
Please enter your name here