ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ଶକ୍ତିଶାଳୀ ଶିକ୍ଷାନୁଷ୍ଠାନ ଆଇଆଇଟି ପକ୍ଷରୁ ଏବେ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀ ପଢ଼ାରେ ଦୁର୍ବଳ ରହୁଛନ୍ତି ସେମାନେ ତିନି ବର୍ଷ ପରେ ବିଏସସି (ଇଞ୍ଜିନିୟରିଂ) ଡିଗ୍ରୀ ସହିତ ପଢ଼ା ଶେଷ କରି ଘରକୁ ଯାଇପାରିବେ।

ଆସନ୍ତାକାଲି ଆଇଆଇଟି କାଉନ୍ସିଲ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି  ବୈଠକ ବସିବ। ପରିଷଦର ନିଷ୍ପତ୍ତି ସମସ୍ତ ୧୮ଟି ଆଇଆଇଟି ପାଇଁ ଲାଗୁ ହେବ।

ବର୍ତ୍ତମାନ ଯେଉଁମାନେ ଆଇଆଇଟିରେ ନାମ ଲେଖୁଛନ୍ତି ସେମାନେ ୪ ବର୍ଷ ପଢ଼ିବା ପରେ ବିଟେକ ଡିଗ୍ରୀ ସହିତ ଶିକ୍ଷା ଶେଷ କରିଥାନ୍ତି। ତେବେ ଦୁର୍ବଳ ପିଲା ଅଧାରୁ ଅନୁଷ୍ଠାନ ଛାଡ଼ିବା ଲକ୍ଷ୍ୟ କରାଯାଉଛି। ଏଥିପାଇଁ ଆଇଆଇଟି ପରିଷଦ ଏହି ପଦକ୍ଷେପ କଥା ଚିନ୍ତା କରିଛି।

ମାନବ ସମ୍ବଳ ବିକାଶ ବିଭାଗ ମନ୍ତ୍ରୀ ନିକଟରେ ସଂସଦରେ ଏକ ତଥ୍ୟ ଉପସ୍ଥାପନ କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ, ଗତ ଦୁଇ ବର୍ଷ ମଧ୍ୟରେ ବିଟେକ ଓ ଏମଟେକ କରୁଥିବା ୨୪୬୧ ଛାତ୍ରଛାତ୍ରୀ ଅଧାରୁ ବିଦାୟ ନେଇଥିଲେ।

ଖରାପ ପ୍ରଦର୍ଶନ ପାଇଁ ଆଇଆଇଟିଗୁଡ଼ିକ ଏମାନଙ୍କୁ ବିଦାୟ କରିଦେଇଥିଲେ। ଏହିପରି ପିଲାମାନଙ୍କ ପାଇଁ ହିଁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରସ୍ତାବରେ କୁହାଯାଇଛି ଯେ, ଦ୍ୱିତୀୟ ସେମିଷ୍ଟର ପରେ ଦୁର୍ବଳ ଛାତ୍ରଙ୍କୁ ବିଏସସି ଇଞ୍ଜିନିୟରିଂକୁ ଯିବା ପାଇଁ କୁହାଯିବ ଯାହାଫଳରେ କି ତୃତୀୟ ବର୍ଷ ଶେଷରେ ସେମାନେ ଇଞ୍ଜିନିୟରିଂ ଡିଗ୍ରୀ ନେଇ ଆଇଆଇଟିରୁ ବାହାରି ଯାଇପାରିବେ। ଯଦି ଏହି ପ୍ରସ୍ତାବ ଗୃହୀତ ହୁଏ, ଚଳିତ ବର୍ଷରୁ ହିଁ ଏହା ଲାଗୁ ହେବ। ଉଲ୍ଲେଖ କରାଯାଇପାରେ ଯେ ପ୍ରତିବର୍ଷ ପ୍ରାୟ ୯ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ମେନ ଦେଇଥାନ୍ତି। କିନ୍ତୁ ପ୍ରାୟ ୧୩ ହଜାର ପିଲା ହିଁ ଆଇଆଇଟିରେ ନାମ ଲେଖାଇବାର ସୁଯୋଗ ପାଇଥାନ୍ତି।

ଅନ୍ୟ ଏକ ପ୍ରସ୍ତାବ ଆସନ୍ତାକାଲିର ବୈଠକରେ ବିଚାର ପାଇଁ ରହିଛି। ତାହା ହେଉଛି ଆସନ୍ତାବର୍ଷଠାରୁ ବାର୍ଷିକ ୭ ଲକ୍ଷ ଟଙ୍କା ଟ୍ୟୁସନ ଫି ସିଧାସଳଖ ପିଲାମାନଙ୍କଠାରୁ ନିଆଯିବ। ସରକାର ଛାତ୍ରଛାତ୍ରୀଙ୍କୁ ବୃତ୍ତି କିମ୍ବା ଅନ୍ୟ ଯେ କୌଣସି ମାଧ୍ୟମରରେ ଏହି ବଳକା ୫ ଲକ୍ଷ ଟଙ୍କା ଭରଣା କରିବେ। ବିଭିନ୍ନ ଆଇଆଇଟିରେ ବର୍ତ୍ତମାନର ଫି ଷ୍ଟ୍ରକଚର ଅନୁସାରେ ଅସଂରକ୍ଷିତ ଶ୍ରେଣୀର ପିଲାମାନେ ବାର୍ଷିକ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏସସି ଓ ଏସଟି ପିଲାମାନଙ୍କୁ ଆଦୌ ଟ୍ୟୁସନ ଫି ଦେବାକୁ ପଡ଼େ ନାହିଁ।

Comment