ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜି ଟିଭିରେ ପ୍ରସାରିତ ହେଉଥିବା ମ୍ୟୁଜିକ୍‌ ରିଅଲିଟି ସୋ’ ‘ସା ରେ ଗା ମା ପା ଲିଟିଲ୍‌ ଚାମ୍ପସ୍‌’ରୁ ଓଡ଼ିଆ ବାଳକ ସତ୍ୟଜିତ ଜେନା ଓହରିଯିବା ସାରା ଦେଶରେ ତାଙ୍କ ଫ୍ୟାନ୍‌ମାନଙ୍କୁ ନିରାଶ କରିଛି।

ସମଗ୍ର ଦେଶରୁ ହଜାର ହଜାର ପିଲାଙ୍କ ମଧ୍ୟରେ ନିଜର ପ୍ରତିଭା ପ୍ରତିପାଦନ କରି ଶ୍ରେଷ୍ଠ ଆଠ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ସତ୍ୟଜିତ ଖାଲି ଉପସ୍ଥିତ ଜଜ୍‌ମାନଙ୍କର ନୁହେଁ, ସମସ୍ତ ସଙ୍ଗୀତପ୍ରେମୀଙ୍କ ପ୍ରିୟଭାଜନ ହୋ‌ଇପାରିଥିଲେ।

ପ୍ରତିଯୋଗିତାର ଯେଉଁ ସୋପାନରେ ସତ୍ୟଜିତ୍‌ ଭୋଟିଙ୍ଗ୍‌ ଲିଷ୍ଟରେ ସବୁଠାରୁ ଊର୍ଦ୍ଧ୍ୱରେ ଥିଲେ, ସେହି ସମୟରେ ଏପରି ଏକ ନିଷ୍ପତ୍ତି ନେବା ସତ୍ୟଜିତଙ୍କ ବାପାଙ୍କ ପକ୍ଷେ ସହଜ ହୋ‌ଇନଥିଲା। ତେବେ ସତ୍ୟଜିତଙ୍କ ବୟସଯୁକ୍ତ ଗଳାର ସମସ୍ୟା ତଥା କଣ୍ଠ ଉପରେ ଅତ୍ୟଧିକ ଚାପ ଯୋଗୁଁ ଡାକ୍ତରଙ୍କ ପରାମର୍ଶକ୍ରମେ ଶ୍ରୀଯୁକ୍ତ ଜେନା ଏପରି ନିଷ୍ପତ୍ତି ନେଇଥିଲେ।

“ଏହି ପ୍ରତିଯୋଗିତାର ଆରମ୍ଭରୁ ଗ୍ରାଣ୍ଡ ଫିନାଲେ ମେ’ ମାସ ୩୧ ତାରିଖରେ ହେବା ପାଇଁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପରେ ପରେ ଏହି ସୋ’ର ଲୋକପ୍ରିୟତା ବୃଦ୍ଧି ପାଇବାରୁ ଗ୍ରାଣ୍ଡ ଫିନାଲେ ଜୁନ୍‌ ୨୩ ଓ ପୁଣି ଥରେ ଜୁଲାଇ ୫କୁ ଘୁଞ୍ଚାଇ ଦିଆଯାଇଥିଲା। ଯଦି ଏହି ନିଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରତିଯୋଗିତା ଶେଷ କରାଯାଇପାରିଥା’ନ୍ତା, ତା’ହେଲେ ମୁଁ ସତ୍ୟଜିତ୍‌ଙ୍କୁ ଓହରେଇ ଆଣିବାକୁ କହିନଥା’ନ୍ତି। ହେଲେ, ପୁଣିଥରେ ଏହି ସୋ’ ଆଉ ତିନି ମାସ ପାଇଁ ବଢେଇ ଦେବାକୁ ପ୍ରଯୋଜନା ସଂସ୍ଥା ଘୋଷଣା କରିବାରୁ ମୁଁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି”, କହିଛନ୍ତି ସତ୍ୟଜିତଙ୍କ ବାପା ଗୁମନ ଚରଣ ଜେନା, ଯିଏକି ମ୍ୟୁକିଜ୍‌ ଅର୍କେଷ୍ଟ୍ରା ଗଠନ କରି ସଙ୍ଗୀତର ବିଭିନ୍ନ କାର୍ଯ୍ୟକ୍ରମ କରନ୍ତି।

ଜାତୀୟ ସ୍ତରର ଏପରି ଏକ ଲୋକପ୍ରିୟ ପ୍ରତିଯୋଗିତା କ୍ରମାଗତ ଭାବରେ ସଙ୍ଗୀତ ପରିବେଷଣ କରି ଗଳାକୁ କ୍ଷତିସାଧନ କରିବା ଅପେକ୍ଷା ଭବିଷ୍ୟତରେ ଭଲ ଗାୟକ ହେବା ପାଇଁ ପ୍ରତିଯୋଗିତାରୁ ଓହରିଯିବା ଶ୍ରେୟସ୍କର ହେବ ବୋଲି ସେ ମନେ କରିଥିଲେ।

“ଏପରି ନିଷତ୍ତି ଦ୍ୱାରା ସତ୍ୟଜିତ୍‌ ମର୍ମାହତ ହୋ‌ଇଥିଲେ ମଧ୍ୟ ସେ ଏହା ତାଙ୍କ ଭବିଷ୍ୟତକୁ ସୁରକ୍ଷିତ କରି ରଖିବ ବୋଲି ବୁଝାଇ ଦେଇଥିଲେ”, ଓଡ଼ିଶାଲାଇଭ୍‌‍ ସହ କଥା ହେବା ବେଳେ ଶ୍ରୀ ଜେନା କହିଛନ୍ତି।

ଏହି ସୋ’ରୁ ଓହରିଯିବାର ନିଷ୍ପତ୍ତି ପରେ ଜଜ୍‌ମାନଙ୍କ ଅନୁରୋଧ ରକ୍ଷାକରି ସତ୍ୟଜିତ୍‌ ଅଡିସନ୍‌ ସମୟରେ ଗାଇଥିବା ଗୀତ ‘ମିଲେ ହୋ ତୁମ୍‌ ହମ୍‌କୋ…’ ଗାଇଥିଲେ ଯାହା ପରିବେଶକୁ ଶୋକକୁଳ କରିଥିଲା।

Comment