ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରେଗାମାପା ଲିଟିଲି ଚାମ୍ପସ୍‌‌ରେ ନିଜର ପ୍ରତିଭା ଦ୍ୱାରା ଜୁରିମାନଙ୍କର ପ୍ରିୟ ଗାୟକ ସାଜିଥିବା ସତ୍ୟଜିତ୍ ଜେନା ପ୍ରଥମ ଥର ପାଇଁ ଓଡ଼ିଆ ସିନେମା ପାଇଁ କଣ୍ଠଦାନ କରିଛନ୍ତି। ନୂଆ ଓଡ଼ିଆ ସିନେମା ‘ପ୍ରେମ ନା ଆଉ କିଛି’ ପାଇଁ ସେ ଗାଇଥିବା ଗୀତ ‘ବାୱରା ହେଲିରେ ଯେବେଠୁଁ ତତେ ମନ ଦେଲିରେ…’ ଗତ ଦୁଇ ଦିନ ମଧ୍ୟରେ ଏକ ଲକ୍ଷ ତେଷଠି ହଜାର ଲୋକ ଦେଖିସାରିଲେଣି। ଏହି ଗୀତକୁ ସଂଯୋଜନା କରିଛନ୍ତି ଜଣାଶୁଣା ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଟି. ସୌରୀ ଓ ଏହି ଗୀତକୁ ରଚନା କରିଛନ୍ତି ସତ୍ୟରଞ୍ଜନ ବଳ।
ଏହି ସିନେମାଟି ସାଇ ସୁହାନା ଏଣ୍ଟରଟେନମେଣ୍ଟ୍ ବ୍ୟାନର ଦ୍ୱାରା ପ୍ରସ୍ତୁତ ହେଉଛି। ଜି ଟିଭିରେ ପ୍ରସାରିତ ମ୍ୟୁଜିକ୍ ରିଅଲିଟି ସୋ ‘ସାରେଗାମାପା ଲିଟିଲ୍ ଚାମ୍ପସ୍ ୨୦୧୭’ର ଅଡିସନ ସମୟରେ ‘ମିଲେ ହୋ ତୁମ ହମ୍‌କୋ’ ଗୀତକୁ ନିଖୁଣ ଭାବରେ ଗାଇ ସାରା ଦେଶରେ ଅନେକ ସଙ୍ଗୀତପ୍ରେମୀଙ୍କର ସେ ପ୍ରିୟଭାଜନ ହୋଇପାରିଥିଲେ। ପରେ ପରେ ପ୍ରତିଟି ଏପିସୋଡ୍‌ରେ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ସେ ଉପସ୍ଥିତ ଜୁରି ଓ ସାରା ଦେଶରେ ସଭିଙ୍କୁ ଆଚମ୍ବିତ କରିଥିଲେ।
ଏହି ରିଅଲିଟି ସୋ’ରେ ଟପ୍ ଆଠ ଜଣଙ୍କ ମଧ୍ୟରେ ପହଞ୍ଚିବା ପରେ ସତ୍ୟଜିତଙ୍କ ବାପା ଜୁରୀମାନଙ୍କୁ ଅନୁରୋଧ କରିଥିଲେ ସୋ’ରୁ ତାଙ୍କୁ ଓହରେଇ ନେବାକୁ। ବୟସଜନିତ ଗଳାର ସମସ୍ୟା ତଥା ଅତ୍ୟଧିକ ଚାପ ଯୋଗୁଁ ଭବିଷ୍ୟତରେ ତାଙ୍କ ଗଳା ଖରାପ ହୋଇଯିବା ଆଶଙ୍କାରେ ସେ ଏପରି ନିଷ୍ପତ୍ତି ଦେଇଥିଲେ, ଯାହାକୁ ଜୁରୀ ମଧ୍ୟ ସ୍ୱୀକାର କରିଥିଲେ।
ସୋ’ ଛାଡ଼ିବା ପରେ ସତ୍ୟଜିତ୍ ବଲିଉଡ୍‌ ପପ୍ କ୍ୱିନ୍ ସିୁନିଧି ଚୌହାନଙ୍କ ସହ ଏକ ହିନ୍ଦୀ ଗୀତ ରେକର୍ଡିଂ କରିଥିଲେ। ଏହାର ସଙ୍ଗୀତ ସଂଯୋଜନା କରିଥିଲେ ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଶଙ୍କର ମହାଦେବନ।ସୋ’ ଛାଡ଼ିବାର ପ୍ରାୟ ତିନି ମାସ ପରେ ସତ୍ୟଜିତ ଓଡ଼ିଆ ସିନେମା ପାଇଁ ପ୍ରଥମ ଥର କଣ୍ଠଦାନ କରିଛନ୍ତି।
‘‘ସଙ୍ଗୀତ ନିର୍ଦ୍ଦେଶକ ଟି. ସୌରୀ ଫୋନ୍ କରି ଏହି ଗୀତଟି ଗାଇବା ପାଇଁ ଅଫର୍ ଦେଇଥିଲେ। ପାଠପଢ଼ା ସହିତ ସତ୍ୟଜିତ୍ କିଛି କିଛି ଷ୍ଟେଜ୍ ପ୍ରୋଗ୍ରାମ ମଧ୍ୟ କରୁଛନ୍ତି। ଯେହେତୁ ଜି ଟିଭି ସହି ୩ ବର୍ଷ କଣ୍ଟ୍ରାକ୍ଟ ଅଛି, କୌଣସି ପ୍ରୋଗ୍ରାମ୍ କରିବା ପୂର୍ବରୁ ସେମାନଙ୍କ ଅନୁମତି ଦେବାକୁ ପଡ଼ୁଛି। ଏହା ବ୍ୟତୀତ ଜିଟିଭିର ପ୍ରୋଗ୍ରାମ୍‌ରେ ମଧ୍ୟ ସତ୍ୟଜିତ ଗାଉଛନ୍ତି। ତାଙ୍କର ଲୋକପ୍ରିୟତାକୁ ଆଖି ଆଗରେ ଚ୍ୟାନେଲରୁ ପୁଣିଥରେ ଏହି ରିଅଲିଟି ସୋ’ରେ ଭାଗ ନେବାକୁ ବାରମ୍ବାର ନିମନ୍ତ୍ରଣ ଆସୁଛି’,’ କହିଛନ୍ତି ସତ୍ୟଜିତଙ୍କ ବାପା ଗୁମାଙ୍ଗ ଚରଣ ଜେନା।

Tags: Satyajeet Jena, SaReGaMaPa Little Champs, Zee TV, Reality Show, Bawara Helire, Prema Na Aau Kichi, Odia Movie, Odia Song, Odia Cine Song, Social Media, Ollywood, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment