ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁଲାଇ ୫ରୁ କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହେଉଥିବା ୨୨ଶ ଏସୀୟ ଖେଳକୁଦ ପ୍ରତିଯୋଗିତା ପାଇଁ ୪୫ଟି ଦେଶର ଖେଳାଳିଙ୍କ ଆସିବା ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ସଫଳ କରିବା ପାଇଁ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଲାଗି ପଡିଥିବା ବେଳେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ବେଶ୍ କିଛି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଖେଳର ଆରମ୍ଭରେ ଯେଉଁ ପରେଡ ହେବ ସେହି ଶୋଭାଯାତ୍ରାରେ ଦେଖିବାକୁ ମିଳିବ ଓଡ଼ିଶୀ ଶାଢ଼ିର ସମ୍ଭାର। ବିଭିନ୍ନ ଦେଶରୁ ଆସିଥିବା ମହିଳା ଆଥ୍‌‍ଲେଟ୍ ବିଶ୍ୱ ପ୍ରସିଦ୍ଧ ଓଡ଼ିଶୀ ଶାଢ଼ି ପିନ୍ଧିବେ। ସମ୍ବଲପୁରୀ, ବିଚିତ୍ରପୁରୀ, ପଶାପାଲି, ବମକେଇ, ନୂଆପାଟଣା ଆଦି ସ୍ଥାନର ବିଭିନ୍ନ  ଡିଜାଇନର ଶାଢ଼ି ପିନ୍ଧି ମହିଳାମାନେ ମାର୍ଚ୍ଚ ପାଷ୍ଟ୍‌‍ରେ ବାହାରିବେ। ବୟନ ଶିଳ୍ପ ବିଭାଗର ଅଧିକାରୀ ଏହି କାମରେ ଲାଗିପଡିଛନ୍ତି। କେଉଁ ନକ୍‌ସା ବିଦେଶୀ ଖେଳାଳିଙ୍କ ପାଇଁ ପସନ୍ଦଯୋଗ୍ୟ ହେବ ତାହା ସ୍ଥିର ହୋଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଆମ ରାଜ୍ୟର ସୂତା ଶାଢ଼ିକୁ ଏହି ଶୋଭାଯାତ୍ରାରେ ପ୍ରସାର ପାଇଁ ଉଦ୍ୟମ ହେବ।

ଏସୀୟ ଖେଳକୁଦ ଜରିଆରେ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ବାହାର ଦେଶରେ ପରିଚିତ କରାଇବା ପାଇଁ ଏକ ଚମତ୍କାର ସୁଯୋଗ ଆସିଛି ବୋଲି ଅନୁଭବ କରାଯାଉଛି। ଏଥିପାଇଁ ଉତ୍କଳିକା ଓ ବୟନିକାକୁ ଦାୟିତ୍ୱ ଦିଆଯାଇଛି ବୋଲି କହିଛନ୍ତି ଜଣେ ଅଧିକାରୀ।

ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଷ୍ଟାଡିଅମରେ ଦୁଇଟି ବଡ଼ ଷ୍ଟଲ ଖୋଲାଯିବ। ବିଭାଗୀୟ ସଚିବ ଚିତ୍ରା ଅରୁମୁଗମଙ୍କ କହିବା ଅନୁଯାୟୀ ଗୋପାଳପୁର ଓ କୋଟପାଡ଼ର ଟସର ତଥା ସୂତାର ଅରଗାନିକ ଡ଼ିଜାଇନ୍‌ର କିଛି ସାମଗ୍ରୀ ଖେଳାଳିମାନଙ୍କୁ ଉପହାର ସଦୃଶ ଦିଆଯିବ। ଦେଶୀ ରଙ୍ଗର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।

ଢେର ଆଗରୁ ଏହି ଶାଢ଼ି ଓ ଅନ୍ୟାନ୍ୟ ଉପକରଣର ବ୍ୟବସ୍ଥା ସରିଛି ଓ ଏଗୁଡ଼ିକ ପ୍ରାୟ ପ୍ରସ୍ତୁତ ହୋଇସାରିଲାଣି। ଗୁଣ ଉପରେ ମଧ୍ୟ ଜୋର ଦିଆଯାଇଛି ବୋଲି ସେ କହିଛନ୍ତି। ଜିଆଇ ଟ୍ୟାଗ ମିଳିଥିବା ହସ୍ତତନ୍ତ ସାମଗ୍ରୀ ହିଁ ମୁଖ୍ୟତଃ ଏହି ଇଭେଣ୍ଟରେ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ଅତିଥି ଓ ପ୍ରାକ୍ତନ୍ ଖେଳାଳିଙ୍କୁ ତାଳପତ୍ରରେ ସଜ୍ଜିତ ହୋଇଥିବା ଫିଲିଗ୍ରି କାମ ଓ ସଲ ପ୍ରଦାନ କରାଯିବ।

ଏହି ଏସୀୟ ଆଥ୍‌‍ଲେଟିକ୍ସ ସମାରୋହକୁ ନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରିବା ଲାଗି ନିଷ୍ପତ୍ତି ହୋଇଛି। ବିଶ୍ୱ ଦରବାରରେ ଓଡ଼ିଶାର ପର୍ଯ୍ୟଟନର ପ୍ରଚାର ଓ ପ୍ରସାର କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ନିଗମ ପକ୍ଷରୁ ପ୍ରାକୃତିକ ସ୍ଥାନ ଭ୍ରମଣ ସକାଶେ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜଣେ ଅଧିକାରୀ। ଜୁଲାଇ ୧୪ରେ କ୍ରୀଡ଼ା ପରିଷଦର ୧୪୦ ଜଣ ବିଦେଶୀ ସଦସ୍ୟଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here