ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସନ୍ତରଣକାରୀଙ୍କ ପାଇଁ ନୂଆ ଠିକଣା ପାଲଟିଛି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ୍ ସେଣ୍ଟର। ଏଠାରେ ସନ୍ତରଣ ପ୍ରଶିକ୍ଷଣ ପାଇଁ ସବୁ ପ୍ରକାର ସୁବିଧା ରହିଛି। ଏହା ଜାତୀୟସ୍ତରର ସନ୍ତରଣ ପ୍ରଶିକ୍ଷଣ ଲାଗି ଏକ ଅଧିକ ଉପଯୋଗୀ ହେବ। ଭାରତୀୟ ସନ୍ତରଣ ମହାସଂଘର ସାଧାରଣ ସମ୍ପାଦକ ମୋନାଲ୍ ଚୋକସୀ ଏଭଳି ଭାବେ କଳିଙ୍ଗ ଷ୍ଟାଡିୟମ ଆକ୍ୱାଟିକ୍ ସେଣ୍ଟର ଓ ସନ୍ତରଣ ପ୍ରଶିକ୍ଷଣର ଉପଯୁକ୍ତ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ପ୍ରଶଂସା କରିଛନ୍ତି।

“କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ୍ ସେଣ୍ଟର ଭାରତୀୟ ସନ୍ତରଣକାରୀଙ୍କ ପ୍ରଶିକ୍ଷଣ ପାଇଁ ଶ୍ରେଷ୍ଠ ସ୍ଥାନ। ସନ୍ତରଣ ପାଇଁ ଅନ୍ତର୍ଜାତୀୟମାନର ସବୁ ସୁବିଧା ଏଠି ଉପଲବ୍ଧ ରହିଛି। ଦେଶରେ ସନ୍ତରଣର ଏହା ଏକ ଆଦର୍ଶ କେନ୍ଦ୍ର ପାଲଟିଛି”, କହିଛନ୍ତି ମୋନାଲ୍ ଚୋକସୀ।

ସେ ଆହୁରି ମଧ୍ୟ କହିଛନ୍ତି, “ସନ୍ତରଣରେ ଅଲିମ୍ପିକ ପଦକ ହାସଲ କରିବାକୁ ହେଲେ ବର୍ତ୍ତମାନରୁ ଖେଳାଳିଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ। ଏହିପାଇଁ ଆମେ ଜୁନିୟର ଖେଳାଳିଙ୍କୁ ଉପରେ ଅଧିକ ଗୁରୁତ୍ଵ ଦେଉଛୁ। ସେମାନଙ୍କୁ ବିଦେଶୀ କୋଚଙ୍କ ଦ୍ଵାରା ପ୍ରଶିକ୍ଷଣ ସହ ଅଧିକ ସଂଖ୍ୟାରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ଦିଆଯାଉଛି। ଭୁବନେଶ୍ଵରର ଏହି ଆକ୍ୱାଟିକ୍ ସେଣ୍ଟର ସେମାନଙ୍କ ଉତ୍ତମ ପ୍ରଶିକ୍ଷଣରେ ବହୁତ ଉପଯୋଗୀ ହେବ।”

କଳିଙ୍ଗ ଷ୍ଟାଡିୟମ ଆକ୍ୱାଟିକ୍ ସେଣ୍ଟରେ ଅଗଷ୍ଟ ୧୬ରୁ ୨୦ ତାରିଖ ଯାଏଁ ଅନୁଷ୍ଠିତ ହୋଇଥିଲା ୩୯ତମ ଜାତୀୟ ଉପକନିଷ୍ଠ ଏବଂ ୪୯ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତି‌ଯୋଗିତା। ଭୁବନେଶ୍ଵରରେ ଏହି ସନ୍ତରଣ ପ୍ରତିଯୋଗିତା ଅବସରରେ ମୋନାଲ୍ ଚୋକସୀ ଏଠାରେ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଜାତୀୟ ସ୍ତରର ଜୁନିୟର ଏବଂ ସବ ଜୁନିୟର ସନ୍ତରଣ ଟୁର୍ଣ୍ଣାମେଣ୍ଟର ଭାରତର ବିଭିନ୍ନ ରାଜ୍ୟରୁ ୯୬୧ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ୧୯ଟି ନୂଆ ଜାତୀୟ ରେକର୍ଡ ସୃଷ୍ଟି ହୋଇଛି।

ଏହି ସନ୍ତରଣ ପ୍ରତିଯୋଗିତାରେ କର୍ଣ୍ଣାଟକର ପ୍ରତିଯୋଗୀମା‌ନେ ଭଲ ପ୍ରଦର୍ଶନ କରି ଦଳଗତ ବିଜେତା ଟ୍ରଫି ହାସଲ କରିଥିଲେ। ୫୦ଟି ସ୍ୱର୍ଣ୍ଣ ପଦକ ସହ ମୋଟ ୧୧୯ଟି ପଦକ ଜିତିଛି କର୍ଣ୍ଣାଟକ। ସେହିପରି ୧୧ଟି ସ୍ୱର୍ଣ୍ଣ ସହ ମୋଟ ୫୪ଟି ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲା ମହାରାଷ୍ଟ୍ର। ଏହାପରେ ୧୦ଟି ସ୍ୱର୍ଣ୍ଣ ପଦକ ସହ ୩୭ଟି ପଦକ ଜିତି ତୃତୀୟ ସ୍ଥାନ ହାସଲ କରିଥିଲା ତାମିଲନାଡୁ।

ଜାତୀୟ ସନ୍ତରଣ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ସେହିପରି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଏବଂ ଉନ୍ନୟନ କମିଶନର ଅନୁ ଗର୍ଗ ମଧ୍ୟ ଅତିଥି ଭାବେ ଉତ୍ସବରେ ସାମିଲ ହୋଇଥିଲେ।

Tags: #NationalAquaticChampionship #AquaticCenterBhubaneswar #SwimmingTraining #Sports #KalingaStadium #Odisha

Comment