ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ୍‍ ୧୩ରେ କେନ୍ଦ୍ରମନ୍ତ୍ରୀ ଭି.କେ ସିଂହ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। କହିଥିଲେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାର କୌଣସି ଆବଶ୍ୟକତା ନାହିଁ। ଏହାକୁ ନେଇ ଓଡ଼ିଶାରେ ପ୍ରବଳ ତୁମ୍ବିତୋଫାନ ହୋଇଥିଲା। ଏହାକୁ ନେଇ ଛାତ୍ର ଓ ଯୁବ ବିଜେଡି ତରଫରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବା ସହ କୁଶପୁତ୍ତଳିକା ଦାହ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ସିଂହ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିନେବାକୁ ବିଜେଡି ଦାବି କରିଥିଲା। ହେଲେ ସିଂହ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରି ନଥିବା ବେଳେ ବିଜେଡି ତା’ର ପ୍ରତିବାଦ ପ୍ରତ୍ୟାହାର କରିନେଇଛି।

ସେହିପରି ୨୦୧୪ ଅକ୍ଟୋବର ୬ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ନ ଦେବା ସମ୍ପର୍କରେ ପରୋକ୍ଷରେ ବିବୃତ୍ତି ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଓ ନେତାମାନେ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗରେ ନକରାତ୍ମକ ଟିପ୍ପଣୀ ଦେଇ ଚାଲିଥିଲେ ମଧ୍ୟ ବିଜେଡି ଉଚିତ୍‍ ଢଙ୍ଗରେ ଜବାବ ଦେଇ ପାରୁ ନ ଥିବା ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି। ଉପା ସରକାର ବେଳେ ବିଜେଡି ଯେଉଁ ଆଭିମୁଖ୍ୟ ପୋଷଣ କରିଥିଲା ଏନଡିଏ ଅମଳରେ ତାହା ଫିକା ପଡ଼ିଯାଇଛି ବୋଲି ଚର୍ଚ୍ଚା ଜୋର୍‍ ଧରିଛି। ସ୍ୱତନ୍ତ୍ର ପାହ୍ୟାକୁ ନେଇ ୨୦୧୩ରେ ବିଜେଡିର କଠୋର ଆଭିମୁଖ୍ୟ ଏବେ ୨୦୧୭ରେ ବଦଳି ଯାଇଥିବା ଆଲୋଚନା ହେଉଛି।

ଓଡ଼ିଶା ପ୍ରତି ମୋଦିଙ୍କର ଆନ୍ତରିକତା ନାହିଁ ବୋଲି ବିଜେଡି ନେତାମାନେ କହୁଛନ୍ତି। କିନ୍ତୁ ଏହି ପ୍ରସଙ୍ଗକୁ ନେଇ ବିଜେଡି କାହିଁକି କଠୋର ଆଭିମୁଖ୍ୟ ପୋଷଣ କରୁନି ତାହା ରାଜନୀତି ପଣ୍ଡିତ ଏବଂ ଓଡ଼ିଶାର ବୁଦ୍ଧିଜୀବୀଙ୍କୁ ଚକିତ କରିଛି। ୨୦୧୩ରେ ଉପା ସରକାର ଅମଳରେ ନବୀନ ସ୍ୱତନ୍ତ୍ର ପାହ୍ୟା ମାନ୍ୟତାକୁ ନେଇ ଯେଉଁ ତାକତ ଦେଖାଇଥିଲେ ତାହା ବିଜେପି ସରକାର ଅମଳରେ କାହିଁକି ହେଉନି ବୋଲି ଅନେକ ପ୍ରଶ୍ନ କରୁଛନ୍ତି। ୨୦୧୪ ନିର୍ବାଚନରେ ବିଜେଡିର ନିର୍ବାଚନୀ ଇସ୍ତାହାରରେ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ରହିଥିଲେ ମଧ୍ୟ ଏହାକୁ ଉଚିତ୍‍ ଢ଼ଙ୍ଗରେ ବିଜେଡି ଉପସ୍ଥାପନ କରୁନି ବୋଲି ଏବେ ଚର୍ଚ୍ଚା ହେଉଛି।

୨୦୧୩ ଜୁନ୍‍ ୧୨ରେ ନବୀନ ପଟ୍ଟନାୟକ ଦିଲ୍ଲୀରେ ଦେଖାଇଥିଲେ ତାକତ୍‍। ୧୫ ହଜାର କର୍ମୀଙ୍କୁ ରାମଲୀଳା ମଇଦାନରେ ଠୁଳ କରି ମନମୋହନ ସିଂହ ସରକାରର ହୋସ ଉଡ଼ାଇ ଦେଇଥିଲେ। ହେଲେ ୪ ବର୍ଷ ପରେ ନବୀନ ତାଙ୍କ ତାକତ ହରାଇଥିବା ଜଣାପଡ଼ିଛି।

୪ ବର୍ଷ ମଧ୍ୟରେ ନବୀନ ଅନେକ ଥର ଦିଲ୍ଲୀ ଯାଇଥିଲେ ମଧ୍ୟ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗକୁ ଯେଉଁ ଢଙ୍ଗରେ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପିତ କରିବା କଥା ତାହା କରିନାହାନ୍ତି। ୨୦୧୩ରେ ଓଡ଼ିଶା ବାହାରେ ପ୍ରଥମ ଥର ପାଇଁ ରାଲି ଆୟୋଜନ କରିବାର ଏକମାତ୍ର ଉଦ୍ଦେଶ୍ୟ ଥିଲା ୨୦୧୪ ସାଧାରଣ ନିର୍ବାଚନରୁ ଫାଇଦା ଉଠାଇବା। ନବୀନଙ୍କ ଟାର୍ଗେଟ ମଧ୍ୟ ଗତ ନିର୍ବାଚନରେ ସଫଳ ହୋଇଛି। କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନାରେ ଏହି ପ୍ରସଙ୍ଗ ଅଟକି ରହିଛି।

ଦିଲ୍ଲୀ ରାଲିରେ ବିଜେଡି ନେତାମାନେ ଓଡ଼ିଶାରେ ମଧ୍ୟ ସ୍ୱତନ୍ତ୍ର ପାହ୍ୟା ଦାବିକୁ ନେଇ ରାଜଭବନ ସମ୍ମୁଖରେ ଧାରଣାରେ ବସିଥିଲେ। ହେଲେ ମୋଦି ସରକାର ଆସିବା ପରେ ଏହି ଦାବି ଚୁଲିରେ ପଶିଛି। ସ୍ୱତନ୍ତ୍ର ପାହ୍ୟା ଦାବି  ନବୀନଙ୍କ ପାଇଁ କିଛି ନୂଆ ନୁହେଁ। ୧୯୭୯ ମସିହାରୁ ଏହି ଦାବି ଉଠି ଆସିଛି। ହେଲେ କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି। ପୁଣି ୧୯୯୯ ମସିହାରେ ବିଜେଡି ରାଜନୈତିକ ବ୍ୟାପାର କମିଟିର ଅଧ୍ୟକ୍ଷ ଥିବା ବିଜୟ ମହାପାତ୍ର ଯେତେବେଳେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦିଆଯାଉ ବୋଲି ଅଟଳ ବିହାରୀ ବାଜପେୟୀ ସରକାରଙ୍କ ନିକଟରେ ଦାବି କରିବାକୁ ପ୍ରସ୍ତାବ ଦେଲେ ସେତେବେଳେ ନବୀନ ବିଜୟଙ୍କ ଉପରେ ଖପ୍ପା ହୋଇଥିଲେ। ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ସେହି ନବୀନ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗକୁ ନିଜ ଦଳର ନିର୍ବାଚନୀ ଏଜେଣ୍ଡା କରିଥିଲେ। ଏଥିରେ ନବୀନ ଅଶେଷ ସଫଳତା ପାଇଛନ୍ତି।

ବିଧାନସଭା ନିର୍ବାଚନରେ ୧୧୭ ବିଧାୟକ ଏବଂ ଲୋକସଭାକୁ ୨୦ଟି ସାଂସଦ ପଠାଇଥିଲେ ହେଁ ଏହି ଦାବି ଏବେ ଶୀତଳଭଣ୍ଡାରରେ ପଡ଼ିରହିଛି। ମୋଦି ସରକାରକୁ ୩ ବର୍ଷ ପୁରିଥିଲେ ହେଁ ନବୀନ ଏହି ଦାବିକୁ ଜୋରଦାର ଉଠାଇ ନାହାନ୍ତି। ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ସରକାର ସବୁକିଛି କରିବାକୁ ପ୍ରସ୍ତୁତ ଅଛି ବୋଲି ଏହାର ନେତାମାନେ କହୁଥିବା ବେଳେ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗକୁ କେମିତି ଭୁଲିଗଲେ ତାକୁ ନେଇ  ପ୍ରଶ୍ନବାଚୀ ଉଠିଛି  ।

୨୦୧୩ରେ ନବୀନ ଜାତୀୟ ରାଜନୀତିରେ ଚର୍ଚ୍ଚାରେ ରହିବା ପାଇଁ ଏହି ପ୍ରସଙ୍ଗକୁ ଉଠାଇଥିଲେ। ଏନ୍‍ଟିପିସି ପ୍ରସଙ୍ଗ ଏବଂ ୨୦୧୨ର ରାଷ୍ଟ୍ରପତି ନିର୍ବାଚନ ବେଳେ ନବୀନ ଜାତୀୟ ରାଜନୀତିରେ ପ୍ରଧାନ୍ୟ ବିସ୍ତାର କରିଥିଲେ। ହେଲେ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗକୁ ନେଇ ପ୍ରଥମେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିଲ୍ଲୀରେ ରଣହୁଙ୍କାର ଦେବା ପରେ କାଳେ ନବୀନ ପଛରେ ରହିଯିବେ ସେଥିପାଇଁ ‘ଦିଲ୍ଲୀ ଚଲୋ’ ଅଭିଯାନ ଡାକରା ଦେଇଥିଲେ।

ନିକଟରେ କେନ୍ଦ୍ର ମନ୍ତ୍ରୀ ଭି.କେ ସିଂହ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗରେ କହୁକହୁ ଏକ ବଡ କଥାଟିଏ କହିଦେଇଛନ୍ତି। ହେଲେ ନବୀନ ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି। ସବୁଠୁ ବଡ଼ କଥା ହେଉଛି ଅକ୍ଟୋବର ୬ରେ ନବୀନ ମୋଦିଙ୍କୁ ସାକ୍ଷାତ କରି ସ୍ୱତନ୍ତ୍ର ପାହ୍ୟା କଥା ଉଠାଇବାର ଠିକ୍‍ ତିନି ମାସ ପରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏକ ବିବୃତ୍ତି ଦେଇଥିଲେ। କହିଥିଲେ ଓଡ଼ିଶା ଭଳି କିଛି ରାଜ୍ୟ ସ୍ୱତନ୍ତ୍ର ପାହ୍ୟା ପାଇଁ ଦାବି କରୁଛନ୍ତି। ତେଣୁ ଖଣିଜ ସମ୍ପଦଭରା ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ନ ଦେଇ ଏଠାରେ ଥିବା କୋଇଲା ଓ ଲୁହା ଖଣିକୁ ଅକ୍ସନ ଜରିଆରେ ନିଲାମ କରାଯିବ। ନିଲାମରୁ ସଂଗୃହିତ ଅର୍ଥକୁ ସମ୍ପୃକ୍ତ ରାଜ୍ୟରେ ଖର୍ଚ୍ଚ କରାଯିବ।

ଶାହାଙ୍କ ଏଭଳି ବିବୃତ୍ତି ସେତେବେଳେ ବିଜେଡି ଶିବିରରେ ଆଲୋଡ଼ନ ଖେଳାଇଥିଲା। ଏହାକୁ ବିଜେଡି ନେତାମାନେ ଗ୍ରହଣ କରି ପାରିନଥିଲେ। କିନ୍ତୁ ପ୍ରତିବାଦ କରିବାକୁ ସାହସ କରି ପାରି ନଥିଲେ। ଗତ କିଛିଦିନ ତଳେ ଉତ୍ତରପ୍ରଦେଶର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶାକୁ ଗରିବ ରାଜ୍ୟ ବୋଲି କହିବାକୁ ଭୁଲିନାହାନ୍ତି। ଏହି ବିବୃତ୍ତିକୁ ବିଜେଡି ନେତାମାନେ ଗଣ୍ଠି କରି ଧରିଥିଲେ। ଗତ ଜାତୀୟ କାର୍ଯ୍ୟକାରିଣୀରେ ମୋଦି ଏବଂ ବିଜେପି ନେତାମାନେ ଏହି ପ୍ରସଙ୍ଗ ଉଠାଇବେ ବୋଲି ଓଡ଼ିଶାବାସୀ ଆଶା କରିଥିଲେ। ହେଲେ ସେମିତି କିଛି ଘଟି ନ ଥିବାରୁ ଏହି ପ୍ରସଙ୍ଗ ଘୁଞ୍ଚି ଘୁଞ୍ଚି ଯିବା ପରି ମନେହେଉଛି।

(ପ୍ରସ୍ତୁତି: ସରୋଜ)

Comment