ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳିଙ୍ଗ ମାଟିରେ ଉଦ୍‌‍ଯାପିତ ହୋଇଛି ଏସୀୟ କ୍ରୀଡ଼ା ମହାକୁମ୍ଭ। ଏସିଆନ ଆଥ୍‌ଲେଟିକ୍‌ ଚାମ୍ପିଅନସିପ୍‌‍ସର ପତାକା ଏବେ କତାର ହାତରେ। ପରବର୍ତ୍ତୀ ଦେଖା ଦୋହାରେ।

ଅତି ରୋମାଞ୍ଚକ ଭାବେ ଶେଷ ହୋଇଛି ୨୨ତମ ଏସୀୟ କ୍ରୀଡ଼ା ମହାକୁମ୍ଭ। ଆଉ କଳିଙ୍ଗ ଷ୍ଟାଡିୟମ ଭାରତୀୟ କ୍ରୀଡ଼ାବିତଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି। ଅତୀତର ସମସ୍ତ ରେକର୍ଡ ଭଙ୍ଗ କରି ଭାରତୀୟ କ୍ରୀଡ଼ାବିତମାନେ ବିଭିନ୍ନ କ୍ଷେତ୍ରରେ ପଦକ ହାସଲ କରିଛନ୍ତି।

ଚୀନ୍‍ର ଆଧିପତ୍ୟ ଭାଙ୍ଗିଲା ଭାରତ

ପ୍ରତିଯୋଗିତା ଇତିହାସରେ ଭାରତ ପ୍ରଥମ ଥର ପାଇଁ ପଦକ ତାଲିକାର ଶୀର୍ଷରେ ରହିଛି। ୧୨ଟି ସ୍ୱର୍ଣ୍ଣ, ୫ ରୌପ୍ୟ, ୧୨ ବ୍ରୋଞ୍ଜ ସମେତ ମୋଟ ୨୯ଟି ପଦକ ପାଇ ଭାରତୀୟ କ୍ରୀଡ଼ାବିତ୍‍ ଅନ୍ୟ ଦେଶର କ୍ରୀଡ଼ାବିତଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱୀ ଚାଇନା ୮ ସ୍ୱର୍ଣ୍ଣ, ୭ ରୌପ୍ୟ, ଓ ୫ ବ୍ରୋଞ୍ଜ ପାଇଥିବା ବେଳେ କାଜଖିସ୍ତାନ ୪ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୨ ବ୍ରୋଞ୍ଜ ସହ ମୋଟ ୮ଟି ପଦକ ପାଇଛି।

୧୯୮୫ରେ ଜାକର୍ତ୍ତାରେ ହୋଇଥିବା ପ୍ରତିଯୋଗିତାରେ ଭାରତ ୧୦ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୭ ବ୍ରୋଞ୍ଜ ପାଇଥିଲା। ୧୯୭୩ରୁ ୧୯୮୧ ପର୍ଯ୍ୟନ୍ତ ଏସୀୟ କ୍ରୀଡ଼ା ମହାକୁମ୍ଭରେ ଜାପାନର ଆଧିପତ୍ୟ ରହିଥିଲା। ଏହାପରଠୁ ଚାଇନା ଜାପାନକୁ ପଛରେ ପକାଇ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇ ଆସୁଥିଲା। ମାତ୍ର ୨୨ତମ କ୍ରୀଡ଼ା ମହାକୁମ୍ଭରେ ଭାରତ ପୂର୍ବର ରେକର୍ଡ ଭାଙ୍ଗିଛି। ଭରପୁର ଦର୍ଶକଙ୍କ ଉପସ୍ଥିତିରେ ଭାରତୀୟ କ୍ରୀଡ଼ାବିତମାନେ ସଫଳତା ପାଇଛନ୍ତି।

୫ ତାରିଖରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିଲା କ୍ରୀଡ଼ା ମହାକୁମ୍ଭ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବା ପରେ କଳିଙ୍ଗର ସଂସ୍କୃତି, ଐତିହ୍ୟର ଝଲକ ଦେଖିବାକୁ ମିଳିଥିଲା ଏହି ଉଦଘାଟନୀ ସମାରୋହରେ। ୪୨ଟି ଦେଶର କ୍ରୀଡ଼ାବିତ୍‍ ଏହି ପ୍ରତିଯୋଗିତାରେ ସାମିଲ୍‍ ହୋଇଥିଲେ।

ଓଡ଼ିଆଙ୍କ କମାଲ୍‍

ଚାମ୍ପିୟନସିପର ଉଦଯାପନୀ ଦିବସରେ ଓଡ଼ିଶାର ପୂର୍ଣ୍ଣିମା ହେମ୍ବ୍ରମ ବ୍ରୋଞ୍ଜ ପଦକ ପାଇ ଦେଶର ଗୌରବକୁ ଆଉ ଦୁଇପାଦ ଆଗକୁ ନେଇଥିଲେ। ମହିଳା ୧୦୦ ମିଟର ରେସରେ ଦୂତୀ ଚାନ୍ଦ ବ୍ରୋଞ୍ଜ ପଦକ ପାଇଥିବା ବେଳେ ୪°୧୦୦ ମିଟର ରିଲେରେ ଉଭୟ ଦୂତୀ ଏବଂ ଶ୍ରାବଣୀ ବ୍ରୋଞ୍ଜ ପଦକ ଜିତିଥିଲେ। ୨୦୦ ମିଟର ଦୌଡରେ ଉଭୟ ଦୂତୀ ଓ ଶ୍ରାବଣୀ ଫାଇନାଲରେ ପ୍ରବେଶ କରିଥିଲେ ହେଁ ପୋଡିୟମ ମଣ୍ଡନ କରିପାରି ନ ଥିଲେ।

ସେହିପରି ୪୦୦ ମିଟର ହର୍ଡଲ୍ସରେ ଜଉନା ମୁର୍ମୁ ଫାଇନାଲରେ ପ୍ରବେଶ କରିଥିଲେ। ହେଲେ ପଦକଠାରୁ ବହୁ ଦୂରରେ ରହି ଯାଇଥିଲେ। ପୁରୁଷ ବିଭାଗରେ ଅମୀୟ ମଲ୍ଲିକ ୧୦୦ ମିଟରରେ ଅଯୋଗ୍ୟ ବିବେଚିତ ହୋଇଥିଲେ। ହେଲେ ୨୦୦ ମିଟରରେ ଫାଇନାଲରେ ପ୍ରବେଶ କରିଥିଲେ। ତେବେ ଫାଇନାଲରେ ୭ମ ସ୍ଥାନରେ ସେ ସନ୍ତୁଷ୍ଟ ରହିଥିଲେ  ।

ଲକ୍ଷ୍ମଣଙ୍କ ସଫଳତା

ତାମିଲନାଡୁର ପୁଡୁକୋଟାଇ ଜିଲ୍ଲାର ସୋକୁରାଣୀ ଗ୍ରାମର ୧୦ ବର୍ଷ ତଳେ ଖାଲି ପାଦରେ ଦୌଡୁଥିବା ଜି ଗୋବିନ୍ଦନ ଲକ୍ଷ୍ମଣଙ୍କ ପାଇଁ ଏହି କ୍ରୀଡ଼ା ମହାକୁମ୍ଭ ସଫଳ ସାବ୍ୟସ୍ତ ହୋଇଛି। ଶୁକ୍ରବାର ୫ ହଜାର ମିଟରରେ ସ୍ୱର୍ଣ୍ଣ ଜିତିଥିବା ଲକ୍ଷ୍ମଣ ରବିବାର ୧୦ ହଜାର ମିଟରରେ ଏହି ରେକର୍ଡକୁ ପୁଣି ଦୋହରାଇଥିଲେ। ଭାରତୀୟ ସେନାରେ ହାବିଲଦାର ଥିବା ଏହି ୨୭ ବର୍ଷିୟ ଯୁବକ ୨୯ ମିନିଟ୍‍ ୫୫.୮୭ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ଜିତିଥିଲେ। ତାଙ୍କ ସାଥୀ ଗୋପୀ ଥୋନାକଲ୍‍ ୨୯ ମିନିଟ୍‍ ୫୮.୮୯ ସେକେଣ୍ଡ ନେବା ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିର୍ଗିଜସ୍ତାନର ଆଦିଲେଟ୍‍ କିସ୍ତାକୋବେକୋଭ୍‍ ୩୦ ମିନିଟ୍‍ ୬.୬୫ ସମୟ ନେଇ କାଂସ୍ୟ ଜିତିଥିଲେ।

ନୀରଜଙ୍କୁ ଦ୍ୱିତୀୟ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ

କନିଷ୍ଠସ୍ତରୀୟ ଜାଭଲିନରେ ବିଶ୍ୱ କୀର୍ତ୍ତିମାନ ଭାରତୀୟ ଯୁବ ତାରକା ନୀରଜ ଚୋପ୍ରା ବରିଷ୍ଠ ବର୍ଗରେ ମଧ୍ୟ ତାଙ୍କ କମାଲ୍‍ ଦେଖାଇଛନ୍ତି। ୨୨ତମ ଏସୀୟ ଦୌଡକୁଦର ଶେଷ ଦିନରେ ପୁରୁଷ ଜାଭଲିନର ସ୍ୱର୍ଣ୍ଣ ଜିତି ଏସିଆରେ ନିଜ ଶ୍ରେଷ୍ଠତ୍ୱ ଜାହିର କରିଛନ୍ତି। ଗତବର୍ଷ ଗୌହାଟୀ କ୍ରୀଡ଼ା ସାଫ୍‌‍ରେ ସ୍ୱର୍ଣ୍ଣ ଜିତିବା ପରେ ୨୨ତମ ଏସୀୟ କ୍ରୀଡ଼ାରେ ସେ ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି। ହରିଆଣାର ପାନିପତର ଖଣ୍ଡ୍ରା ଗ୍ରାମର ବାସିନ୍ଦା ଭାଲି ଫିଙ୍ଗାଳି ୮୫.୨୩ ମିଟର ଦୂରତାକୁ ଜାଭଲିନ୍‍ ଫିଙ୍ଗି ପ୍ରଥମ ସ୍ଥାନରେ ରହିଥିଲେ।

କଳିଙ୍ଗ ହେବ ବିଶ୍ୱସ୍ତରୀୟ ଷ୍ଟାଡିୟମ୍‍

ଏସୀୟ କ୍ରୀଡ଼ା ମହାକୁମ୍ଭକୁ ଉଦଯାପନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ‘କଳିଙ୍ଗ ଇଣ୍ଟରନ୍ୟାସନାଲ ସ୍ପୋର୍ଟସ ସିଟି’ ନାମକ ଏବ ବୃହତ୍‌ ଓ ବିଶ୍ୱସ୍ତରୀୟ ଷ୍ଟାଡିୟମ୍‍ ସ୍ଥାପନା କରିବାକୁ ଘୋଷଣା କରିଛନ୍ତି। ଏହି ଷ୍ଟାଡିୟମରେ ବହୁ ଦେଶୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା ଲାଗି ସୁବିଧା ସୁଯୋଗ ରହିବ ବୋଲି ଘୋଷଣା କରିଥିଲେ।

ସେହିପରି କଟକ, ସମ୍ବଲପୁର, ରାଉରକେଲା ଏବଂ ବ୍ରହ୍ମପୁରରେ ସାଟେଲାଇଟ୍‍ ଷ୍ଟାଡିୟମ୍‍ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଓଡ଼ିଶା ଆସନ୍ତା ଡିସେମ୍ବରରେ ହକି ବିଶ୍ୱ ଲିଗ୍‍ ଫାଇନାଲ ଏବଂ ୨୦୧୮ରେ ପୁରୁଷ ହକି ବିଶ୍ୱକପ୍‍ ଚାମ୍ପୟନସିପ୍‍ ଆୟୋଜନ କରିବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

1 COMMENT

  1. Thank you Asia. Thank you Odisha. Thank you India. We are proud of all the athletes who participated in the championship. No matter, who got medal or not.

Comment