ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳିଙ୍ଗ ଷ୍ଟାଡିୟମରେ ଗତ ରବିବାର ୨୨ତମ ଏସୀୟ ଆଥଲେଟିକ୍‍ ଚାମ୍ପିଅନସିପ୍‍ ଉଦ୍‌‍ଯାପିତ ହେବା ପରେ ଭାରତୀୟ ପଦକ ବିଜେତାମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସମ୍ବର୍ଦ୍ଧିତ କରିଛନ୍ତି।

ଏହି ପ୍ରତିଯୋଗିତାରେ ଭାରତକୁ ମୋଟ ୧୨ ସ୍ୱର୍ଣ୍ଣ, ୫ ରୌପ୍ୟ, ୧୨ କାଂସ୍ୟ ପଦକ ମିଳିଥିଲା। ଏଣୁ ପଦକ ବିଜେତା ୩୧ ଖେଳାଳିଙ୍କୁ ମୋଟ ୨ କୋଟି ୯୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସ୍ୱର୍ଣ୍ଣ ବିଜେତାଙ୍କୁ ୧୦ ଲକ୍ଷ, ରୌପ୍ୟ ପଦକ ବିଜେତାଙ୍କୁ ୭.୫ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ବିଜେତାମାନଙ୍କୁ ୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଥିଲା।

ଜି ଲକ୍ଷ୍ମଣନ୍‍ ଏବଂ ସେରେନା ଲକ୍ଷ୍ମଣନ୍‍ ସ୍ୱର୍ଣ୍ଣ ପଦକ ପାଇଥିବାରୁ ତାଙ୍କୁ ସର୍ବୋଚ୍ଚ ରାଶି ପ୍ରଦାନ କରାଯାଇଥିଲା। ୫ ହଜାର ଓ ୧୦ ହଜାର ମିଟର ଦୌଡ଼ରେ ଜି ଲକ୍ଷ୍ମଣନ୍‍ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଥିଲେ। ସେହିପରି ସେରନ୍‍ ମହିଳା ୪୦୦ ମିଟର ଓ ୪୦୦ ମିଟର ରିଲେ ଦୌଡରେ ବିଜୟୀ ହୋଇଥିଲେ।

ଓଡ଼ିଶାର ୩ ପଦକ ବିଜୟିନୀ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ, ପୂର୍ଣ୍ଣିମା ହେମ୍ବ୍ରମଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଭାରତୀୟ ଆଥଲେଟିକ୍‍ ସଂଘ ସଭାପତି ଆଦିଲ ସୁମରିୱାଲା, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ଅଲମ୍ପିୟାନ ଅନୁରାଧା ବିଶ୍ୱାଳ, ଅଞ୍ଜୁ ବବି ଜର୍ଜ, ସାଇନି ୱିଲସନ୍‍ ଏବଂ କ୍ରୀଡ଼ା ସଚିବ ବିଶାଲ ଦେବ ଉପସ୍ଥିତ ଥିଲେ।

କିଏ ପାଇଲେ ସ୍ୱର୍ଣ୍ଣ :

ଏସୀୟ ପ୍ରତିଯୋଗିତାରେ ଭାରତ ୧୨ଟି ସ୍ୱର୍ଣ୍ଣ ପଦକ ପାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଅଜୟ ସରୋଜ, ଗୋବିନ୍ଦନ ଲକ୍ଷ୍ମଣନ୍‍, କୁଞ୍ଜୁ ମହମ୍ମଦ, ଅମୋଜ ଜ୍ୟାକବ, ରାଜୀବ ଆରୋକିଆ, ମହମ୍ମଦ ଅନାସ, ନୀରଜ ଚୋପ୍ରା, ନିର୍ମଳା ସେରନ୍‍, ପିୟୁ ଚିତ୍ରା, ସୁଧା ସିଂହ, ଦେବଶ୍ରୀ ମଜୁମଦାର, ଏମ୍‍ ଆର୍‍ ପୂଭାମ୍ମା, ଜିସ୍ନା ମାଥ୍ୟୁ, ନିର୍ମଳା ସୋରେନ୍‍, ମନବପ୍ରୀତ କଉର୍‍, ଆରୋକିଆ ରାଜୀବ, ଗୋପୀ ଥୋନାକଲ୍‍, ତେଜିନ୍ଦରପାଲ୍‍ ସିଂହ, ଅନୁ ରାଘବନ୍‍, ନେଲିକଲ୍‍ ଭି ନିନା।

ରୌପ୍ୟ ପଦକ ବିଜେତା

ଭାରତ ୫ଟି ରୌପ୍ୟ ପଦକ ପାଇଛି। ଏହି ପଦକ ବିଜେତାମାନେ ହେଲେ ଆରୋକିଆ ରାଜୀବ, ଗୋପୀ ଥୋନାକଲ୍‍, ତେଜିନ୍ଦର ପାଲ୍‍ ସିଂହ, ଅନୁ ରାଘବନ୍‍, ନେଲିକଲ୍‍ ଭି ନୀନା  ।

କାଂସ୍ୟ ପଦକ ବିଜେତା

୧୨ଟି କାଂସ୍ୟ ପଦକ ବିଜେତା ହେଲେ ଜିନ୍‍ସନ୍‍ ଜନସନ୍‍, ଏମ୍‍ପି ଜବୀର, ବିକାଶ ଗୌଡ଼ା, ଦବିନ୍ଦର ସିଂହ କଙ୍ଗ୍‍, ଦୂତି ଚାନ୍ଦ, ଜିସ୍ନା ମାଥ୍ୟୁ, ସଞ୍ଜିବନୀ ଯାଦବ, ମେର୍ଲିନ୍‍ ଯୋଶେଫ୍‍, ହିମଶ୍ରୀ ରାୟ, ଶ୍ରାବଣୀ ନନ୍ଦ, ନୟନା ଜେମ୍ସ, ଏନଭି ଶୀନା, ଅନୁ ରାଣୀ।

1 COMMENT

Comment