ଓଡ଼ିଶାଲାଇଭ୍‍ ବ୍ୟୁରୋ

ଜଷ୍ଟିସ ଦୀପକ କୁମାର ମିଶ୍ର ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବା ସବୁ ଓଡ଼ିଆଙ୍କ ପାଇଁ ନିଶ୍ଚିତ ଭାବରେ ଖୁସିର ବିଷୟ। ବର୍ତ୍ତମାନ ସେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଭାବରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି।

ଆସନ୍ତା ମାସ ୨୭ ତାରିଖରେ ଜଷ୍ଟିସ କେହରଙ୍କ କାର୍ଯ୍ୟକାଳ ପୂରିବା ପରେ ସେ ଦାୟିତ୍ୱ ନେବେ। ଜଷ୍ଟିସ ମିଶ୍ର ସୁପ୍ରିମକୋର୍ଟର ୪୫ତମ ପ୍ରଧାନ ବିଚାରପତି ହେବାର ଗୌରବ ଅର୍ଜନ କରିବେ।

ସେ ୧୯୭୭ ମସିହାରେ କଟକ ହାଇକୋର୍ଟରେ ଓକିଲ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପାଖାପାଖି ୨୦ ବର୍ଷ ପ୍ରାକ୍ଟିସ୍ କରିବା ପରେ ୧୯୯୬ରେ ତାଙ୍କୁ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା।

୧୯୯୭ରେ ଜଷ୍ଟିସ ମିଶ୍ରଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟକୁ ବଦଳି କରାଯାଇଥିଲା। ସେହି ବର୍ଷ ହିଁ ତାଙ୍କୁ ସ୍ଥାୟୀ ଜର୍ଜ ରୂପେ ନିଯୁକ୍ତ କରାଯାଇଥିଲା। ୨୦୦୯ରେ ଜଷ୍ଟିସ ମିଶ୍ର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ। ତା’ ପର ବର୍ଷ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ୨୦୧୧ ମସିହାରେ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ମିଶ୍ର ଅକ୍ଟୋବର ୨୦୧୮ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।

ତୃତୀୟ ଓଡ଼ିଆ ଭାବେ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ହେବେ। ତାଙ୍କ ପୂର୍ବରୁ ରଙ୍ଗନାଥ ମିଶ୍ର ଓ ଗୋପାଳ ବଲ୍ଲଭ ପଟ୍ଟନାୟକ ଏହି ପଦବୀରେ ରହିସାରିଛନ୍ତି।

ଜଷ୍ଟିସ ମିଶ୍ର କେତୋଟି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଯାହା ଦେଶର ନ୍ୟାୟ ବ୍ୟବସ୍ଥାରେ ଏକ ଏକ ମାଇଲଖୁଣ୍ଟ। ମୁମ୍ବାଇ ସିରିୟଲ ବ୍ଲାଷ୍ଟରେ ଅଭିଯୁକ୍ତ ଯାକୁବ ମେନନର ଫାଶୀଦଣ୍ଡ କାଏମ ରଖିବାଠାରୁ ଆରମ୍ଭକରି ନିର୍ଭୟା ମାମଲାରେ ଅଭିଯୁକ୍ତମାନଙ୍କ ଫାଶୀଦଣ୍ଡ ପର୍ଯ୍ୟନ୍ତ ସେ ନ୍ୟାୟପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି।

ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବାବେଳେ ୨୪ ଘଣ୍ଟା ମଧ୍ୟରେ ସବୁ ପୋଲିସ ଥାନାରେ ରୁଜୁ ହୋଇଥିବା ଏତଲା ୱେବସାଇଟରେ ଅପଲୋଡ ହେବା ବାଧ୍ୟତାମୂଳକ ବୋଲି ଜଷ୍ଟିସ ମିଶ୍ର ହିଁ ନିର୍ଦ୍ଦେଶ ଦେଇଥିଲେ।

ଛୋଟଛୋଟ କଥାକୁ ନେଇ କୋର୍ଟରେ ଆବେଦନ କରିବା ଘଟଣାକୁ ସେ ନାପସନ୍ଦ କରୁଥିଲେ। ‘ଧୋବି ଘାଟ’ ଚଳଚ୍ଚିତ୍ରକୁ ନେଇ ଦାଏର ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ଖାରଜ କରିବା ସହିତ ଏହିଭଳି ମିଛ ପିଆଇଏଲ କର୍ତ୍ତାଙ୍କୁ ଜୋରିମାନା ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟବାହୀ ଅଧ୍ୟକ୍ଷ ଭାବେ ଜଷ୍ଟିସ ମିଶ୍ର ରାଜ୍ୟ ସରକାରମାନେ ଗରିବ ଲୋକମାନଙ୍କ ପାଇଁ ମାଗଣା ଆଇନ ସହାୟତା ସକାଶେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

1 COMMENT

Comment