ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜ ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିବା ପାଇଁ ଯେଉଁ ଜ୍ଞାନକୌଶଳ ଦରକାର ପଡ଼ିବ ତାହା ଏବେ ସୁବିଧାରେ ମିଳିବ ଉତ୍କଳ ବିଶ୍ୱବିଦ୍ୟାଳୟରେ। ଏହା ନିଶ୍ଚିତ ଭାବେ ଯୁବ ଶିଳ୍ପୋଦ୍ୟୋଗୀମାନଙ୍କ ପାଇଁ ସ୍ୱାଗତଯୋଗ୍ୟ ହେବା ଭଳି ଖବର।

ନାଲକୋ ଏହି କୌଶଳ ବିକାଶ ଓ ଇନକ୍ୟୁବେସନ କେନ୍ଦ୍ର ପ୍ରତିଷ୍ଠା କରିବ। ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନାଲକୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ।

ଯୁବକମାନଙ୍କୁ ଏଠାରେ ତାଲିମ ଦିଆଯିବ ଓ ଷ୍ଟାର୍ଟ-ଅପ୍ ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯିବ। ନିଜର ସାମର୍ଥ୍ୟ ଓ ସାମାଜିକ ଆବଶ୍ୟକତାକୁ ପୂରଣ କରିବା ଭଳି ଉଦ୍ୟୋଗ ପାଇଁ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେବାକୁ ନାଲକୋ ଉଦ୍ୟମ କରିବ। ପ୍ରଥମ ପର୍ଯ୍ୟାୟରେ ୧୦ ଜଣ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ।

ଆସନ୍ତା ମାର୍ଚ୍ଚ ମାସରେ ଏହା ଶେଷ ହେବ ବୋଲି କହିଛନ୍ତି ବିଶ୍ଵବିଦ୍ୟାଳୟ ଭାଇସ୍‌ ଚାନ୍‌ସେଲର ଅଶୋକ ଦାସ। ନାଲକୋ ଏଥିପାଇଁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରିବ। ୧୫ ହଜାର ବର୍ଗ ଫୁଟ ଜାଗାରେ ଏହି କୌଶଳ ବିକାଶ କେନ୍ଦ୍ର ଗଢିଉଠିବ ବୋଲି କହିଛନ୍ତି ନାଲକୋ ଅଧ୍ୟକ୍ଷ ଡକ୍ଟର ଚାନ୍ଦ।

“ଉପଯୁକ୍ତ କୌଶଳ ବିକାଶ ହୋଇପାରିଲେ ଓ ଏଥିପାଇଁ ସଠିକ ଅଭିପ୍ରାୟ ରହିଲେ ଆମ ଯୁବକମାନେ ଭବିଷ୍ୟତରେ ଜଣେ ଜଣେ ସଫଳ ଉଦ୍ୟୋଗୀ ହୋଇ ବାହାରି ପାରିବେ। ଅଣ-ବୈଷୟିକ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀ ମଧ୍ୟ ନିଜକୁ ଉଦ୍ୟୋଗୀ ରୂପେ ପ୍ରସ୍ତୁତ କରିପାରିବେ”, ଚୁକ୍ତି ସ୍ଵାକ୍ଷର ଅବସରରେ ଏହା କହିଛନ୍ତି ଡକ୍ଟର ଚାନ୍ଦ।

ଚଳିତ ବର୍ଷ ଆରମ୍ଭରେ ନାଲକୋ ପ୍ରତିଷ୍ଠା ଦିବସ ଅବସରରେ ନାଲକୋ ଓ ଉତ୍କଳ ବିଶ୍ଵବିଦ୍ୟାଳୟ ମଧ୍ୟରେ ଏନେଇ ଏକ ପ୍ରାରମ୍ଭିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଶିଳ୍ପ-ଶିକ୍ଷାନୁଷ୍ଠାନ ସହଯୋଗ ଜରିଆରେ କିଭଳି ଦେଶର ଯୁବକମାନେ ନିଜ ନିଜ ଘରେ ରହି ଓ ଚାକିରି ପଛରେ ନ ଦୌଡ଼ି ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ ତାହାରି ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।

ବାଣୀବିହାରରୁ ଯେଉଁ ଛାତ୍ରଛାତ୍ରୀ ବିଭିନ୍ନ ବୈଷୟିକ ଶିକ୍ଷା ଲାଭ କରିଛନ୍ତି, ସେମାନଙ୍କ ପାଇଁ ଏହି ଇନକୁବେସନ ସେଣ୍ଟର କାମରେ ଆସିବ।

ହାଇଦ୍ରାବାଦର ‘ଇନକ୍ୟୁବେସନ ବିଜନେସ ହବ୍‌’ ଏଥି‍ରେ ଆବଶ୍ୟକ ଥିବା ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ରାଜି ହୋଇଛି। ପ୍ରଥମେ ୩ରୁ ୬ ମାସିଆ ପାଠ୍ୟକ୍ରମ ସ୍ଥିର କରିଛନ୍ତି ନାଲକୋ ଓ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ। ୭ଟି ଅଲଗା ଅଲଗା ଟ୍ରେଡରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କହିଛନ୍ତି ସେଣ୍ଟର କୋ-ଅର୍ଡ଼ିନେଟର ଜୟନ୍ତ ପରିଡା।

LEAVE A REPLY

Please enter your comment!
Please enter your name here