ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ଗଣେଶ ପୂଜା ଅବସରରେ ରିଲିଜ ହେବାକୁ ଯାଉଛି ସୁଶାନ୍ତ ମଣିଙ୍କ ଦ୍ୱାରା ନିର୍ଦ୍ଦେଶିତ ସିନେମା ‘ସପନର ପଥେ ପଥେ’।

ଏହି ସିନେମାର ସୁଟିଂ ଓ ପୋଷ୍ଟ ପ୍ରଡକ୍ସନସ୍‌‌ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି‍ସାରିଛି। ଏଥିରେ ଅମ୍ଳାନଙ୍କ ବିପକ୍ଷରେ ନବାଗତା ନାୟିକା ସନମୀରା ନାଗେଶ ପରଦା ଉପରେ ନଜର ଆସିବେ। ଏକ ସତ ପ୍ରେମ କାହାଣୀ ଉପରେ ଏହି ଚଳଚ୍ଚିତ୍ର ଆଧାରିତ ବୋଲି କହିଛନ୍ତି ସୁଶାନ୍ତ ମଣି।

ସାର୍ଥକ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାର ସଂଳାପ ରଚନା କରିଛନ୍ତି ନିର୍ମଳ ନାୟକ ଓ ଏହାର ସଙ୍ଗୀତ ସଂଯୋଜନା କରିଛନ୍ତି ଅସଦ ନିଜାମ।

ସନମୀରା ପୂର୍ବରୁ ଶିଶୁ କଳାକାର ଭାବେ କାମ କରିଥିଲେ ମଧ୍ୟ ହିରୋଇନ ଭାବେ ବଡ଼ ପରଦାରେ ଏହା ତାଙ୍କର ପ୍ରଥମ ସିନେମା।

“ସନମୀରା ଓ ଅମ୍ଳାନଙ୍କ ଅନ୍-ସ୍କ୍ରିନ୍ କେମେଷ୍ଟ୍ରି ଦର୍ଶକଙ୍କୁ ନିଶ୍ଚିତ ଭଲ ଲାଗିବ ବୋଲି ମୋର ଆଶା। ସନମୀରା ଏହି ଇଣ୍ଡଷ୍ଟ୍ରିରେ ନବାଗତା ହେଲେ ମଧ୍ୟ ଏଥିରେ ବହୁତ ଭଲ କାମ କରିଛନ୍ତି। ଆଜିର ଯୁବପିଢ଼ିଙ୍କୁ ନଜରରେ ରଖି ସିନେମାର କାହାଣୀ ଓ କାଷ୍ଟ ଚୟନ କରାଯାଇଛି”, ଓଡ଼ିଶାଲାଇଭ ସହ କଥା ହେବାବେଳେ ଏହା କହିଛନ୍ତି ସୁଶାନ୍ତ।

ଆମେ ସମସ୍ତେ ବହୁତ ଭଲ କାମ କରିଛୁ ଏବଂ ଏହି ସିନେମାରୁ ମୋତେ ବହୁତ କିଛି ଶିଖିବାକୁ ମଧ୍ୟ ମିଳିଛି ବୋଲି ପ୍ରକାଶ କରିଛନ୍ତି ସନମୀରା। ତେବେ ସିନେମା ପରଦା ଉପରେ ଆସିବା ପରେ ଦର୍ଶକଙ୍କୁ କେତେ ଆକୃଷ୍ଟ କରିପାରୁଛି, ତାହା ସିନେମା ରିଲିଜ ପରେ ହିଁ ଜଣାପଡ଼ିବ।

ସାର୍ଥକ ସିନେମାର ପରବର୍ତ୍ତୀ ‘ଲୈଲା ଓ ଲୈଲା’ରେ ମଧ୍ୟ ସନମୀରା ଲିଡ୍‌‍ ରୋଲ୍‌‌ରେ ନଜର ଆସିବେ।

ଟେଲିଭିଜନ ଦୁନିଆର ରହସ୍ୟଜନକ ‘ରାଜା ମୃତ୍ୟୁ ଘଟଣା’ ଉପରେ ଆଧାରିତ ‘ଲଭ୍ ୟୁ ଜେସିକା’ର ପୋଷ୍ଟ ପ୍ରଡକସନ୍ସ କାମ ସରିଯାଇଥିଲେ ମଧ୍ୟ ଏହା ଏ ପର୍ଯ୍ୟନ୍ତ ପରଦା ଉପରକୁ ଆସିପାରିନାହିଁ। ସୁଶାନ୍ତ ମଣିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସିନେମାରେ ଜେସି ଓରଫ୍‌ ପ୍ରଲିପ୍ତା ପ୍ରିୟଦର୍ଶିନୀ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଏହାର ପ୍ରଯୋଜକ ହେଉଛନ୍ତି ଦୁବାଇସ୍ଥିତ ସିନେ ନିର୍ମାତା ଅକ୍ଷୟ ପରିଜା।

Comment