ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଂପ୍ରତିକ ଘଟଣା ତଥା ବାଦ-ବିବାଦକୁ ନେଇ ଏକ ନୂଆ ଢଙ୍ଗରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ ହୋଇଥିବା ସିନେମା ‘ସୁନା ପିଲା ଟିକେ ସ୍କୃ ଢିଲା’ ଆଜି ସାରା ଓଡ଼ିଶାରେ ମୁକ୍ତିଲାଭ କରିବ।

ଏହି ସିନେମାରେ ସୁପରଷ୍ଟାର ବାବୁସାନ ଓ ଶୀତଲ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ରାକ୍ଷୀପୂର୍ଣ୍ଣିମା ତଥା ବନ୍ଧୁତା ଦିବସକୁ ଆଖି ଆଗରେ ରଖି ଏହି ସିନେମାର ରିଲିଜ ତାରିଖ ସ୍ଥିର କରାଯାଇଛି।

ପ୍ରକାଶ ଓ ଧୀରଜ ଏଣ୍ଟରଟେନମେଣ୍ଟ ସହିତ ବାବୁସାନ ଫିଲ୍ମସର ମିଳିତ ସହଯୋଗରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ।

“ମୁଁ ଏହି ସିନେମାରେ ଏକ ସାଧାରଣ ଝିଅର ଚରିତ୍ରରେ ଅଭିନୟ କରିଛି। ବାପା-ମା’ଙ୍କ ସମ୍ମାନ ପାଇଁ ମୋର ଭଲପାଇବାକୁ ମଧ୍ୟ ମୁଁ ତ୍ୟାଗ କରିଦିଏ। ମୋ ଚରିତ୍ର ଏଥିରେ ଯଦିଓ ସିରିୟସ୍‌, ସିନେମାର ଘଟଣାବଳୀ ବେଶ୍ ହାସ୍ୟୋଦ୍ଦୀପକ’ କହିଛନ୍ତି ଶୀତଲ।

ବାବୁସାନଙ୍କ ସହିତ ଏହା ତାଙ୍କର ପଞ୍ଚମ ସିନେମା। ପୂର୍ବରୁ ଅଭିନୀତ ‘ଯିଏ ଯାହା କହୁ ମୋର ଢୋ’, ‘ଦିଲ୍ ଦିୱାନା ହେଇଗଲା’, ‘ଭଲପାଏ ତତେ ଶହେରୁ ଶହେ’, ‘ତୁ ଯେ ସେଇ’ ସିନେମାରେ ବାବୁସାନଙ୍କ ସହ ତାଙ୍କ ଯୋଡ଼ିକୁ ଲୋକେ ବେଶ୍‌ ପସନ୍ଦ କରିଛନ୍ତି।

“ବାବୁସାନଙ୍କ ସହ କାମ କରିବା ମୋ ପାଇଁ ଗର୍ବର କଥା। କୌଣସି ସିନ୍‌‍ର ସୁଟିଂ ପୂର୍ବରୁ ସେ ମୋତେ ସାହାଯ୍ୟ ମଧ୍ୟ କରନ୍ତି। ସାଧାରଣତଃ ଯେଉଁ ସିନେମା ସବୁ ତିଆରି ହୋଇଛି, ତା’ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ଚାରି ଜଣ ସାଙ୍ଗଙ୍କର କାହାଣୀ ମଧ୍ୟ ରହିଛି”, ଓଡ଼ିଶାଲାଇଭ ସହ କଥା ହେଲାବେଳେ ଏହା ଶୀତଲ କହିଛନ୍ତି।

କାହାଣୀରେ ଟ୍ୱିଷ୍ଟ ଆସିଲା ପରେ କିପରି ଆମ ମୁଣ୍ଡର ସ୍କୃ ଢିଲା ହୋଇଯାଉଛି ଓ ଆମେ କିପରି ଭାବରେ ସବୁ କଥାର ସମାଧାନର ସୂତ୍ର ଖୋଜିବାରେ ଲାଗୁଛୁ, ତାହା ହିଁ ଦର୍ଶକ ପରଦା ଉପରେ ଦେଖିବେ।

ଶୀତଲ ସିନେମା କରିବା ସହିତ ନିଜର ପାଠପଢ଼ାକୁ ମଧ୍ୟ ସଠିକ୍‌ ଧ୍ୟାନ ଦେବାକୁ ଚାହାନ୍ତି। ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବାକୁ ଚାହୁଁଥିବାରୁ ଆଗକୁ ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପାଠ ପ୍ରତି ଧ୍ୟାନ ଦେବାକୁ ଚାହାନ୍ତି।

‘ସୁନା ପିଲା ଟିକେ ସ୍କୃ ଢିଲା’ ସିନେମାରେ ଦର୍ଶକ ବାବୁସାନଙ୍କ ସହ ତାଙ୍କ ଅଭିନୟ ଓ ନୃତ୍ୟ ଦୁଇଟିଯାକ ପସନ୍ଦ କରିବେ ବୋଲି ତାଙ୍କର ଆଶା। ଏହାବ୍ୟତୀତ ପପୁ ପମ୍ ପମ୍ ଓ ପିଣ୍ଟୁ ନନ୍ଦଙ୍କ ହାସ୍ୟ ରସାତ୍ମକ ଚରିତ୍ର ଦର୍ଶକଙ୍କ ମନୋରଞ୍ଜନ କରିବାରେ ସହାୟକ ହେବ।

ଏହାର ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର ଦେଇଥିବା ବେଳେ ନିର୍ମଳ ନାୟକ ଓ ବାପୁ ଗୋସ୍ୱାମୀ ଏହାର ଗୀତ ରଚନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତାରିକ୍‌ ଅଜିଜ୍, ପ୍ରଜ୍ଞା, ପିଙ୍କି ପ୍ରଧାନ ଓ ଅଭିଜିତ୍ ବିଭିନ୍ନ ଗୀତରେ କଣ୍ଠଦାନ କରିଛନ୍ତି।

Comment