ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିଶୁ କଳାକାରରୁ ଓଡ଼ିଆ ସିନେତାରକା ହେବା ମଧ୍ୟରେ ଅଭିନେତା ସ୍ୱରାଜ ବାରିକ୍‌ଙ୍କ ଅନେକ ସଂଘର୍ଷ ତଥା ନିଷ୍ଠାର ପ୍ରମାଣ ଦେଇସାରିଛନ୍ତି। ତାଙ୍କ ଅଭିନୀତ ପ୍ରଥମ ସନେମା ‘ତୁ ମୋ ଲଭ୍‌ ଷ୍ଟୋରି’ର ସଫଳତା ପରେ ପ୍ରଯୋଜକମାନେ ତାଙ୍କ ସିନେମାର ଲିଡ୍ ରୋଲ୍‌ରେ ତାଙ୍କୁ ନେବା ପାଇଁ ଆଗେଇ ଆସୁଛନ୍ତି।
ସାର୍ଥକ ମ୍ୟୁଜିକ୍‌ର ୨୨ତମ ସିନେମା ‘ଲୈଲା ଓ ଲୈଲା’ରେ ସେ ନବାଗତା ସନ୍‌ମୀରାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି। ସୁଶାନ୍ତ ମଣି ନିର୍ଦ୍ଦେଶିତ ଏହି ସିନେମାର ସଙ୍ଗୀତ ସଂଯୋଜନା କରିଛନ୍ତି ବୈଦ୍ୟନାଥ ଦାଶ ଓ ଗୀତ ଲେଖିଛନ୍ତି ନିର୍ମଳ ନାୟକ।
ଏହି ସିନେମା ସମ୍ପକର୍ରେ ସ୍ୱରାଜ କୁହନ୍ତି,“ ଏହା ଏକ ବାସ୍ତବଧର୍ମୀ ଚଳଚ୍ଚିତ୍ର। ଏଥିରେ ମୁଁ ଏକ ଗରିବ ଘରର ପିଲାର ଚରିତ୍ରରେ ଅଭିନୟ କରୁଥିବା ବେଳେ ଧନୀଘର ଝିଅ ସନ୍‌ମୀରାଙ୍କ ପ୍ରେମରେ ପଡ଼ିଯାଉଛି। ତା’ ପରେ କାହାଣୀ କିପରି ଗତିଶୀଳ ହେଉଛି ତାହା ଦର୍ଶକଙ୍କୁ ମନୋରଞ୍ଜନ କରିବ ବୋଲି ମୋର ବିଶ୍ୱାସ।”
ଏହା ଏକ ଆକ୍ସନ ସିନେମା ହେଲେ ମଧ୍ୟ ଏଥିରେ ଭରପୁର କମେଡ଼ି, ରୋମାନ୍ସ ଓ ଡ୍ରାମା ମଧ୍ୟ ରହିଛି ବୋଲି ସ୍ୱରାଜ କହିଛନ୍ତି। ପ୍ରଥମ ସିନେମାରେ ଭୂମିକାଙ୍କ ସହ ତାଙ୍କ ଅନ୍-ସ୍କ୍ରିନ୍ ଯୋଡ଼ି ଯେପରି ଲୋକଙ୍କ ମନକୁ ପାଇଥିଲା, ଠିକ୍‌ ସେହିପରି ସନ୍‌ମୀରାଙ୍କ ସହ ତାଙ୍କ ଯୋଡ଼ି ମଧ୍ୟ ସିନେଇଣ୍ଡଷ୍ଟ୍ରିରେ କମାଲ୍ ଦେଖାଇବ ବୋଲି ତାଙ୍କ ବିଶ୍ୱାସ।
“ସୁଶାନ୍ତ ମଣିଙ୍କ ସିନେମା ସାଧାରଣତଃ ଭିନ୍ନ ଧରଣର ହୋଇଥାଏ। ଏହା ଲୋକଙ୍କୁ ପରେ ବଲିଉଡ୍‌ ସିନେମା ଦେଖିବା ପରି ଲାଗିବ। ମୋର ପ୍ରଥମ  ସିନେମାରେ ଦର୍ଶକ ମୋର ନାଚକୁ ବହୁତ ପସନ୍ଦ କରିଥିଲେ। ଏହି ସିନେମାରେ ମଧ୍ୟ ବହୁତ ଦମ୍‌ଦାର ନାଚ ଅଛି”, କହିଛନ୍ତି ସ୍ୱରାଜ।
ପିଲାଟି ବେଳରୁ ଅଭିନୟ ପ୍ରତି ତାଙ୍କର ଥିଲା ଆଗ୍ରହ। କେବଳ ସେତିକି ନୁହେଁ, ପାଠ ପ୍ରତି ମଧ୍ୟ ସେ କେବେହେଲେ ଅବହେଳା କରିନାହାନ୍ତି। ପ୍ରାୟ ୨୨ଟି ଚଳଚ୍ଚିତ୍ର ଓ ଅନେକ ମେଗା ସିରିଅଲ୍‌ରେ ସେ ଶିଶୁ କଳାକାର ଭାବେ ଅଭିନୟ କରିଛନ୍ତି। ତେଣୁ ଏହି ଇଣ୍ଡଷ୍ଟ୍ରିରେ ସମସ୍ତଙ୍କ ସହ କାମ କରିବାରେ ସେ ବେଶ୍ ସହଜ ଅନୁଭବ କରୁଛନ୍ତି।
“ମୋର ପରିବାରରେ ବାପା-ମା’ଙ୍କ ପ୍ରେରଣା ଯୋଗୁଁ ମୁଁ ଆଜି ଅଭିନୟ ଜଗତରେ ନିଜକୁ ପ୍ରତିଷ୍ଠା କରିପାରିଛି। ଏହା ମୋର ଖୁସି, ହେଲେ ବର୍ତ୍ତମାନ ଭଲ ଅଭିନୟ କରିବା ମୋର ଦାୟିତ୍ୱ। ତା’ ସତ୍ତ୍ୱେ ମୁଁ ଶିକ୍ଷାରେ କୌଣସି ଅବହେଳା କରିବାକୁ ଚାହୁଁନାହିଁ। ମୋ ମତରେ, ଭଲ ଅଭିନେତା ହେବା ପାଇଁ ଉଚ୍ଚଶିକ୍ଷିତ ହେବା ଆବଶ୍ୟକ”, କହିଛନ୍ତି ସ୍ୱରାଜ।
’ଲୈଲା ଓ ଲୈଲା’ର ସୁଟିଂ ମଧ୍ୟ ଶେଷ ହୋଇଯାଇଛି। ଏହାର ପୋଷ୍ଟ ପ୍ରଡକ୍ସନ୍ସ କାମ ଚାଲୁ ରହିଛି। ପ୍ରାୟ ୨୫ ଦିନରେ ସିନେମାର ସୁଟିଂ ସରିସାରିଛି। ତେବେ ଏହାର ରିଲିଜ୍ ତାରିଖ ନେଇ କୌଣସି ଘୋଷଣା କରାଯାଇନାହିଁ।
Tags: Swaraj, Tu Mo Lovestory, Laila o Laila, Sanmeera, Swaraj Barik, Sushanta Mani, Nirmala Nayak, Baidyanatha Dash, Ollywood, Odia Cinema, Odia Cine Industry, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment