ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏସିଆନ ଆଥଲେଟିକ୍ସ ଚାମ୍ପୟନସିପର ସଫଳ ଆୟୋଜନ ପରେ ପୁଣି ଓଡିଶାର କ୍ରୀଡ଼ାପ୍ରେମୀମାନେ ଏହି ଷ୍ଟାଡିୟମରେ ଦେଖିବେ ଆଉ ଦୁଇଟି ମେଗା ହକି ଇଭେଣ୍ଟ।

ଆସନ୍ତା ଡିସେମ୍ବରରେ ହକି ବିଶ୍ୱ ଲିଗ୍‍ ଫାଇନାଲ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୦୧୮ରେ ଆୟୋଜିତ ହେବ ବିଶ୍ୱକପ୍‍ ହକି ଚାମ୍ପିଅନସିପ୍‍। ଏନେଇ ଗୁରୁବାର ଫେଡେରେସନ୍‍ ଅଫ୍‍ ଇଣ୍ଟରନ୍ୟାସନାଲ ହକି ସଭାପତି ନରିନ୍ଦର ବାତ୍ରା ଏବଂ ହକି ଇଣ୍ଡିଆ ସଇଓ ଏଲିନା ନର୍ମାନ ଭିତ୍ତିଭୂମି ବୁଲି ଦେଖିବା ପରେ ରାଜ୍ୟ କ୍ରୀଡ଼ା ସଚିବଙ୍କ ସହ ଆଲୋଚନା କରିଛନ୍ତି।

୨୦୧୪ ଚାମ୍ପିଅନ୍ସ ଟ୍ରଫିର ସଫଳତା ପରେ ପୁଣି ଭୁବନେଶ୍ୱରରେ ଏହି ପ୍ରତିଯୋଗିତା ଆୟୋଜନ ହେବାକୁ ଯାଉଛି। ବିଶ୍ୱଲିଗ୍‍ ଫାଇନାଲରେ ଆୟୋଜକ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ବେଲଜିୟମ୍‍, ନେଦରଲ୍ୟାଣ୍ଡ, ଜର୍ମାନୀ, ସ୍ପେନ୍‍ ଓ ଆର୍ଜେଣ୍ଟିନା ଖେଳିବ। ଏଥିପାଇଁ ଏହି ଗ୍ରାଉଣ୍ଡକୁ ସଫା କରାଯିବା ସହ କିଛି ମରାମତି କାର୍ଯ୍ୟ କରାଯିବ। ୨୦୧୮ରେ ହେବାକୁ ଥିବା ବିଶ୍ୱକପ୍‍ ହକି ଚାମ୍ପୟନସିପ୍‌ ପାଇଁ ଦର୍ଶକ ଗ୍ୟାଲେରୀ କ୍ଷମତା ବଢ଼ାଯିବା ସହ ନୂଆ ଟର୍ଫ ପଡିବ।

୨୦୧୦ରେ ନିର୍ମିତ ହୋଇଥିବା ମଲ୍ଟି-ପର୍ପୋଜ କଳିଙ୍ଗ ଷ୍ଟାଡିୟମ୍‌ରେ ଆଥଲେଟିକ୍ସ, ଫୁଟବଲ୍‍, ବାସ୍କେଟବଲ୍‍, ଟେନିସ୍‍, ଟେବୁଲ୍‍-ଟେନିସ୍‍ ଏବଂ ସନ୍ତରଣ ଭଳି କ୍ରୀଡା ଆୟୋଜନ କରିବା ପାଇଁ ଯୋଜନା ରହିଥିଲା। ଏସବୁ ପ୍ରତିଯୋଗିତା ବାଦ୍‍ ଏହି ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରୀଡା ମଧ୍ୟ ସଫଳତାର ସହ ଆୟୋଜନ କରିଛି।

ହକି ବିଶ୍ୱ ଲିଗ୍‍ ଡିସେମ୍ବର ୧-୧୦ ମଧ୍ୟରେ ଆୟୋଜନ ହେବାକୁ ଥିବା ବେଳେ ୨୦୧୮ରେ ହେବାକୁ ଥିବା ହକି ବିଶ୍ୱକପ୍‍ ମଧ୍ୟ ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମାର୍ଦ୍ଧରେ ଆୟୋଜନ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୫ଟି ଟିମ୍‍ ଭାଗ ନେବେ। ଏହାକୁ ନେଇ ଓଡ଼ିଶା କ୍ରୀଡ଼ାପ୍ରେମୀ ବେଶ୍‍ ଉତ୍ସାହିତ ଥିବା ବେଳେ କଳିଙ୍ଗ ଷ୍ଟାଡିୟମକୁ ଆଉ ଟିକେ ନୂଆ ରୂପରେ ସଜାଯାଉଛି। ଏହି ଦୁଇ ମେଗା-ଇଭେଣ୍ଟକୁ ସଫଳତାର ସହ ଆୟୋଜନ କରିବା ପାଇଁ ଓଡ଼ିଶା ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତି ଆରମ୍ଭ କରିଛି।

(ପ୍ରସ୍ତୁତି: ସରୋଜ)

Comment