ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗଷ୍ଟ ୨୧, ୨୦୧୬ରେ ପାରଳା ରାଜଉଆସରେ ଘଟିଥିଲା ଲୋମ ଟାଙ୍କୁରା ଘଟଣା। ମହାରାଜ ଗୋପୀନାଥ ଗଜପତିଙ୍କୁ ମ୍ୟାନେଜର ଅନଙ୍ଗ ମଞ୍ଜରୀ ନଜରବନ୍ଦୀ କରି ରଖିଥିବା ଅଭିଯୋଗ ଆସିବା ପରେ ସମ୍ପତ୍ତି ବିବାଦ କଥା ପଦାକୁ ଆସିଥିଲା। ଏହାକୁ ନେଇ ଗଣମାଧ୍ୟମରେ ଖୋଳତାଡ ହେବା ପରେ ଅନଙ୍ଗ ମଞ୍ଜରୀଙ୍କ ସମେତ ପରିବାରର ବିଜୟଲକ୍ଷ୍ମୀ, ସଞ୍ଜୟ, ସନ୍ତୋଷ ପାତ୍ର ଆଖି ବୁଜିଥିଲେ। ଫଳରେ ସମଗ୍ର ରାଜ୍ୟରେ ଏକ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଘଟଣାର ତଦନ୍ତ ପାଇଁ ୧୨ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ ପରିବାର ଲୋକେ। କ୍ରାଇମବ୍ରାଞ୍ଚ ମଧ୍ୟ ଏନେଇ ତଦନ୍ତ କରୁଥିଲା। ହେଲେ ତିଥି ଅନୁଯାୟୀ ଗତ ୧୦ ତାରିଖରେ ଘଟଣାକୁ ବର୍ଷେ ପୂରିଯାଇଥିଲେ ହେଁ ଏପର୍ଯ୍ୟନ୍ତ ତଦନ୍ତ ଶେଷ ହୋଇନାହିଁ କି ମୃତକଙ୍କ ପରିବାରକୁ ନ୍ୟାୟ ମିଳିନି। ଫଳରେ ପାରଳା ରାଜଉଆସ ଘଟଣା ସସପେନ୍ସ ହୋଇ ରହିଯାଇଛି।

ପାରଳାର ଲୋକେ ଗୋପୀନାଥ ଗଜପତିଙ୍କୁ ବହୁ ସମ୍ମାନ ଦିଅନ୍ତି। ତାଙ୍କୁ ସମସ୍ତେ ମହାରାଜା ଭାବେ ସମ୍ବୋଧନ କରନ୍ତି। କିନ୍ତୁ ଆଇନ୍‍ ଆଗରେ ସେ ଜଣେ ସାଧାରଣ ଲୋକ ଥିଲେ। ହେଲେ ସମ୍ପତ୍ତି ପାଇଁ ପାରଳା ରାଜଉଆସରେ ୨୦୧୬ରେ ଅଭାବନୀୟ ଘଟଣା ଘଟିଛି। ହେଲେ ଏହା ଉପରୁ ଏପର୍ଯ୍ୟନ୍ତ ପରଦା ହଟିପାରୁନି ।

ପରଦା ପଛର କାହାଣୀ

୧୮୩୫ ମସିହାରେ ୨୪ ଲକ୍ଷ ୨୦ହଜାର ଟଙ୍କା ବ୍ୟୟରେ ତିଆରି ହୋଇଥିବା ପାରଳାଖେମୁଣ୍ଡିର ରାଜଉଆସ ସାରା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ଗାଥା ବହନ କରୁଛି। ଏହାକୁ ଇତିହାସର ମୁକସାକ୍ଷୀ କହିଲେ କିଛି ଭୁଲ ହେବ ନାହିଁ। ୧୭୧ ବର୍ଷର ଏହି ପ୍ରାସାଦ ରାଜପରିବାରର ଅନେକ ଉତ୍‌ଥାନ ପତନ ଦେଖିଛି। ଲୋକଙ୍କ ଦୁଃଖ ବୁଝିବା ସହ ଅସୁବିଧା ବେଳେ ପ୍ରଜାଙ୍କ ପାଖରେ ଛିଡ଼ା ହୋଇଛି। ରାଜପ୍ରାସାଦର ଭିତରକୁ ପ୍ରବେଶ ପଥରେ ଉଲ୍ଲେଖ ରହିଛି ‘ଷ୍ଟ୍ରଙ୍ଗ’ ଆଣ୍ଡ ‘ଫେଥ୍‍ଫୁଲ’। ଏହାର ଅର୍ଥ ହେଉଛି ଏହି ରାଜପରିବାର ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଶକ୍ତି ହୋଇ ଠିଆ ହୋଇଛି।

ଆଉ ବିଶ୍ୱାସର ସହ ରାଜ୍ୟର ମର୍ଯ୍ୟାଦା ରକ୍ଷା ପାଇଁ ଚେଷ୍ଟା କରୁଛି। ୨୨ ଫୁଟ ଉଚ୍ଚ ଗେଟ୍‍ ଦେଇ ଭିତରକୁ ପ୍ରବେଶ କଲେ ଏକ ରାଜକୀୟ ବିଚାରଧାରା ମନକୁ ଆସିଥାଏ। ରାଜପ୍ରାସାଦର ପ୍ରତିଟି କାନ୍ଥ ସହ ଇତିହାସ ଯୋଡ଼ି ହୋଇରହିଛି। ଦରବାର ହଲରେ ରାଜପରିବାରର ବୀରତ୍ୱ ଓ ବିଚାର ବ୍ୟବସ୍ଥାର ସୁରାକ ମିଳିଥାଏ। ଦରବାର ବାହାରେ ସେତେବେଳେ ରାଜପରିବାର ଦ୍ୱାରା ପରିଚାଳିତ ଗଜପତି ପ୍ରେସ୍‍, ଗଜପତି ଚକୋଲେଟ୍‍ ଓ ଗଜପତି ସିମେଣ୍ଟ ଇଣ୍ଡଷ୍ଟ୍ରି ସମ୍ପର୍କରେ ସୂଚନା ମିଳେ। ଏସବୁ ସେତେବେଳେ ରାଜାଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ଏଥିରୁ ବିପୁଳ ରାଜସ୍ୱ ଆଦାୟ ହେଉଥିଲା।

ଏହାସହ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମୟରେ ଅନେକ କମ୍ପାନୀରେ ରାଜାଙ୍କ ଅଂଶଧନ ରହିଥିଲା। ଯାହାକୁ ତାଙ୍କ ପୁତ୍ର ଓ ନାତିମାନେ ଅଧିକାର କରି ରଖିଥିବାର ନଜିର ରହିଛି। କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ପରେ ଏହି ପ୍ରାସାଦ ଗୋପୀନାଥଙ୍କ ପାଖକୁ ଆସିଥିଲା। ସେ ଦାୟାଦ ଭାବେ ରାଜପ୍ରାସାଦର ଦାୟିତ୍ୱ ସମ୍ଭାଳିଥିଲେ। ସେତେବେଳେ ସାନ ଭାଇ ଜଗନ୍ନାଥ ଗଜପତିଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ସାନ ଭାଇକୁ ସେତେବେଳେ ଚେନ୍ନାଇ କୋଠି ବ୍ୟତୀତ ଆଉ କିଛି ଭାଗ ମିଳିନଥିଲା। ରାଜପ୍ରାସାଦରୁ ଭାଇଭାଗ ନେବା ପାଇଁ ଜଗନ୍ନାଥ ଦାବି କରି ଆସୁଥିଲେ ବି ଗୋପୀନାଥ ଗଜପତି ତାଙ୍କୁ କିଛି ବି ଦେବାକୁ ଚାହିଁ ନ ଥିଲେ। ଫଳରେ ଅସନ୍ତୁଷ୍ଟ ହୋଇ ଜଗନ୍ନାଥ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଅଦାଲତ ଲଢ଼େଇରେ ସେ ବିଜୟ ହାସଲ କରିପାରି ନ ଥିଲେ।

ସମ୍ପତ୍ତି ପାଇଁ ଦୁଇ ଭାଇଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧରେ ଅନଙ୍ଗ ମଞ୍ଜରୀ, ସଞ୍ଜୟ, ବିଜୟଲକ୍ଷ୍ମୀ ଓ ସନ୍ତୋଷ ବଳି ପଡ଼ିଯାଇଥିଲେ। ସେମାନଙ୍କ ଭିତରୁ ଅନଙ୍ଗମଞ୍ଜରୀ, ସଞ୍ଜୟ, ବିଜୟଲକ୍ଷ୍ମୀଙ୍କ ମୃତଦେହ ୨୦୧୬, ଅଗଷ୍ଟ ୨୧ ତାରିଖରେ ମିଳିଥିବା ବେଳେ ସନ୍ତୋଷ  ୨୨ ତାରିଖରେ ବ୍ରହ୍ମପୁର ଏମ୍‍କେସିଜି ମେଡିକାଲ କଲେଜରେ ଆଖି ବୁଜିଥିଲେ। ତେବେ ଏମାନଙ୍କ ମୃତ୍ୟୁ ଏବେ ବି ରହସ୍ୟଘେରରେ। ଏହି ଚାରିଜଣ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ହେଁ କ’ଣ ପାଇଁ ଏମାନେ ହଠାତ୍‍ ଏଭଳି କଠୋର ନିଷ୍ପତ୍ତି ନେଲେ ତା’ ଉପରୁ ପରଦା ହଟୁନି ।

ଘଟଣାସ୍ଥଳରୁ ଜବତ ହୋଇଥିବା ସୁଇସାଇଡାଲ ନୋଟରେ ସ୍ଥାନୀୟ ବିଧାୟକଙ୍କ ସମେତ କଂଗ୍ରେସ, ବିଜେଡି ଓ ବିଜେପି ନେତାଙ୍କ ନାମ ରହିଛି। ବଦନାମ, ଅପଦସ୍ଥ ଓ ମାନସିକ ଅତ୍ୟାଚାର ୪ ଜଣଙ୍କ ମୃତ୍ୟୁର କାରଣ ବୋଲି କୁହାଯାଇଥିଲେ ହେଁ ଏହା ପଛରେ ଅନ୍ୟ କିଛି କାରଣ ଥାଇପାରେ ବୋଲି କୁହାଯାଉଛି।

(ପ୍ରସ୍ତୁତି: ସରୋଜ)

Tags: Ananga Manjari, Gopinath Gajapati, Saroj, Suicide case, Parala Suicide case

Comment