ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଏବଂ ବଲାଙ୍ଗୀରର ଅଧିଷ୍ଠାତ୍ରୀ ଦେବୀ ପାଟଣେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ଦେଖାଦେଇଛି ଉତ୍ସବର ମାହୋଲ।

ନୂଆ ବସ୍ତ୍ର ପରିଧାନ କରି ଏବଂ ନୂଆ ଶସ୍ୟରେ ତିଆରି ହୋଇଥିବା ଖିରି, ପିଠାରେ ପୁରପଲ୍ଲୀ ମହମହ ହୋଇ ବାସୁଛି। ବାହାରେ ଥିବା ପରିବାର ସଦସ୍ୟ ଏହି ଗଣପର୍ବରେ ଘରକୁ ଫେରି ମିଳିମିଶି ଏହି ପର୍ବକୁ ପାଳନ କରିଛନ୍ତି। ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼ରେ ଏଥିପାଇଁ ଆୟୋଜନ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

ପ୍ରତିବର୍ଷ ଗଣେଶ ଚତୁର୍ଥୀ ପରଦିନ ପଶ୍ଚିମ ଓଡ଼ିଶାବାସୀ ନୂଆଁଖାଇ ପର୍ବ ପାଳନ କରିଥା’ନ୍ତି। ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଏବଂ ଶନିବାର ପୂର୍ବାହ୍ନ ୯ଟା ୫ରୁ ୯ଟା ୧୫ ମଧ୍ୟରେ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଛୋଟଠାରୁ ବଡ଼ ସମସ୍ତେ ଏକାଠି ହୋଇ ନୂଆ ଖାଇଛନ୍ତି।

ଏହି ଅବସରରେ ମା’ ସମଲେଶ୍ୱରୀଙ୍କୁ ନୂଆ ବସ୍ତ୍ର ଏବଂ ଅଳଙ୍କାରରେ ଆଭୂଷିତ କରାଯାଇଛି। ପରିବାର ମୁଖିଆ ଘରର ଅଧିଷ୍ଠାତ୍ରୀଙ୍କ ଦେବୀ ମା’ ଲକ୍ଷ୍ମୀଙ୍କ ନିକଟରେ ନବାନ୍ନ ଭୋଗ ଲାଗି କରିବା ପରେ ସମସ୍ତ୍ୟ ସଦସ୍ୟଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥାଏ। ଏହାପରେ ସମସ୍ତେ ଏକାଠି ହୋଇ ନୂଆ ଖାଇଥାନ୍ତି ବୋଲି ବଲାଙ୍ଗୀରର ଜଣେ ଅଧିବାସୀ କହିଛନ୍ତି। ଜନ୍ମାଷ୍ଟମୀ ପରଦିନ ଅର୍ଥାତ୍‍ ନନ୍ଦ ଉତ୍ସବ ଦିନ ହିଁ ନୂଆଁଖାଇର ଲଗ୍ନ ନିର୍ଦ୍ଧାରଣ କରାଯାଇଥାଏ।

ଓରାମ ସମ୍ପ୍ରଦାୟ ଭିନ୍ନ ଢଙ୍ଗରେ ପାଳିଲେ

ସୁନ୍ଦରଗଡ଼ର ଓରାମ ଆଦିବାସୀ ସମ୍ପ୍ରଦାୟ ଭିନ୍ନ ଢଙ୍ଗରେ ନୂଆଁଖାଇ ପାଳନ କରିଛନ୍ତି। ଏହି ସମ୍ପ୍ରଦାୟ ଲୋକେ କୁରେଇ ପତ୍ର ଏବଂ ପୂଜା ସାମଗ୍ରୀରେ ନିଜ ପିତୃପୁରୁଷଙ୍କୁ ଡ଼ୂଆ ଧାନ ଓ ପିଠାପଣା ଲାଗି କରିବା ପରେ ହାଣ୍ଡିଆ ଲାଗି କରିଥା’ନ୍ତି। ନିୟମ ଅନୁଯାୟୀ, ପୂର୍ବପୁରୁଷଙ୍କୁ ହାଣ୍ଡିଆ ଲାଗି କଲେ ସାତ ଜନ୍ମର ପାପରୁ ନିସ୍ତାର ମିଳିଥାଏ ବୋଲି ଏହି ସମ୍ପ୍ରଦାୟ ଲୋକଙ୍କର ବିଶ୍ୱାସ ରହିଛି। ପରେ ଘରର ମୁରବୀ ସମସ୍ତ ସଦସ୍ୟଙ୍କୁ ନବାନ୍ନ ପ୍ରଦାନ କରିବା ପରେ ସମସ୍ତେ ନୂଆ ଖାଇଥା’ନ୍ତି।

୩୧ରେ କଳାହାଣ୍ଡିରେ ନୂଆଁଖାଇ

ଗଣପର୍ବ ନୂଆଁଖାଇ ପାଇଁ ଗଡ଼ଜାତ ଅଞ୍ଚଳ କଳାହାଣ୍ଡିରେ ଆସନ୍ତା ୩୧ରେ ପାଳନ ହେବାକୁ ଯାଉଛି। ସକାଳ ୮ଟା ୧୫ରେ ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ସମସ୍ତେ ନୂଆ ଖାଇବେ ବୋଲି ଲଗ୍ନ ଧାର୍ଯ୍ୟ ହୋଇଛି ବୋଲି ମାଣିକେଶ୍ୱରୀଙ୍କ ପୂଜକ ବିଶିକେସନ ତ୍ରିପାଠୀ କହିଛନ୍ତି। ୯ଟା ୧୫ରୁ ୧୧ଟା ୪୫ ମଧ୍ୟରେ ଘରେ ସମସ୍ତେ ନୂଆ ଖାଇବାର ଶୁଭ ବେଳା ରହିଛି ବୋଲି ତ୍ରିପାଠୀ କହିଛନ୍ତି। ଏହାକୁ ନେଇ ଭବାନୀପାଟଣା, ଲାଞ୍ଜିଗଡ, ଜୟପାଟଣା, ମଦନପୁର, ଥୂଆମୂଳ ରାମପୁର ଚଳଚଞ୍ଚଳ ହୋଇ ଉଠିଛି।

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଜୁହାର

ନୂଆଁଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟ୍ୱିଟରରେ ନୂଆଁଖାଇ ଜୁହାର ଲେଖି ଶୁଭମନାସୀଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରୀ ଭାଷାରେ ଟ୍ୱିଟ୍‍ କରି ଅଭିନନ୍ଦନ ଜଣାଇଛନ୍ତି।

ଏହାସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ମଧ୍ୟ ପଶ୍ଚିମ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିଷ୍ଠିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ କଳାକୃତି ମାଧ୍ୟମରେ ନୂଆଁଖାଇ ଜୁହାର କରିଛନ୍ତି।

ଅନ୍ୟ ରାଜ୍ୟରେ ନୂଆଁଖାଇ

ଦିଲ୍ଲୀରେ ବାସ କରୁଥିବା ପଶ୍ଚିମ ଓଡ଼ିଶା ଅଧିବାସୀ ଏହି ଗଣପର୍ବ ପାଳନ କରୁଥିବା ବେଳେ ଝାଡଖଣ୍ଡ, ବାଙ୍ଗଲୋର, ଭୋପାଳ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ, ସୁରଟ, ବିଶାଖାପାଟଣାରେ ମଧ୍ୟ କିଛିବର୍ଷ ହେଲା ଏହି ପର୍ବ ବଡ଼ ଜାକଜମକରେ ପାଳନ କରାଯାଉଛି।

(ପ୍ରସ୍ତୁତି: ସରୋଜ)

Tags: Nuakhai, Narendra Modi, Naveen Patnaik, Western Odisha people, Western Odisha, Odisha News, Saroj, Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment