ଓଡ଼ିଶାଲାଇଭ୍‍ ବ୍ୟୁରୋ

ହାତୀ ଆମର ବନ୍ଧୁ, ଶତ୍ରୁ ନୁହେଁ। ଏକଥା ଲୋକଙ୍କୁ ଜଣାଇବା ପାଇଁ ହସ୍ତୀଦିବସ ପାଳନ କରାଯାଉଛି।

ବିଶ୍ୱ ହସ୍ତୀ ଦିବସ ଅବସରରେ ହସ୍ତୀମାନଙ୍କର ସୁରକ୍ଷା ଏବଂ ସଂଖ୍ୟା ବୃଦ୍ଧି ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନେଇ ପ୍ରାଣୀ ଉଦ୍ୟାନ ନନ୍ଦନକାନନଠାରେ  ହାତୀମାନଙ୍କୁ ସଜ୍ଜିତ କରାଯାଇଥିଲା। ଏଠାରେ ଥିବା ୭ଟି ହାତୀଙ୍କୁ ସୁସ୍ୱାଦୁ ଖାଦ୍ୟ ଦିଆଯାଇଥିଲା। ଚନ୍ଦକା-ଡମପଡା ଅଭୟାରଣ୍ୟରେ ମଧ୍ୟ ହସ୍ତୀଦିବସ ପାଳନ କରାଯାଇଥିଲା।

ସାରା ବିଶ୍ୱରେ ହାତୀ ବଂଶ ବୃଦ୍ଧି ଓ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ପାଳିତ ହେଉଛି ହସ୍ତୀଦିବସ। ଏହି ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ଗୌରୀ ଓ କମଳା ସମେତ ସମସ୍ତ ୭ ହାତୀଙ୍କୁ ସୁନ୍ଦର ଭାବେ ସଜା ଯାଇ ସେମାନଙ୍କୁ ସେଓ, କମଳା, ନଡ଼ିଆ, ତରଭୁଜ, କଦଳୀ ଓ ମକା ଆଦି ଖାଇବାକୁ ଦିଆଯାଇଥିଲା।

ନନ୍ଦନକାନନର ନିର୍ଦ୍ଦେଶକ ଶିଶିର କୁମାର ଆଚାର୍ଯ୍ୟ କହିଛନ୍ତି,“ଏଠାରେ ୭ଟି ହାତୀ ଅଛନ୍ତି।  ସେମାନଙ୍କୁ ଆଜି ଗାଧୋଇ ପାଧୋଇ ସୁସଜ୍ଜିତ କରାଯାଇଛି। ସେମାନଙ୍କୁ ଖାଇବାକୁ ଦିଆଯାଇଛି। ଏହା ସହ ହାତୀମାନଙ୍କୁ ନନ୍ଦନକାନନ ତରଫରୁ  ଉପହାର  ମଧ୍ୟ ଦିଆଯାଇଛି। ସ୍କୁଲ ପିଲାଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।”

ନନ୍ଦନକାନନର ସହ ନିର୍ଦ୍ଦେଶ କୋମଳ ଲୋଚନ ପୁରୋହିତ କହିଛନ୍ତି ଯେ ନନ୍ଦନକାନନରେ ସବୁ ବର୍ଷ ବିଶ୍ୱ ହସ୍ତୀଦିବସ ପାଳନ କରାଯାଉଛି। ନନ୍ଦନକାନନରେ ଏହା ଏକ ଉତ୍ସବ।  ଏହି ଅବସରରେ ଲୋକେ ହାତୀ ବିଷୟରେ କିଛି ଜାଣନ୍ତି ଓ ହାତୀକୁ ନିଜେ ଖାଇବାକୁ ଦିଅନ୍ତି।  ଅନ୍ୟ ଦିନଗୁଡ଼ିକରେ ସାଧାରଣ ଲୋକେ ନନ୍ଦନକାନନରେ ଥିବା ହାତୀମାନଙ୍କୁ ଖାଇବାକୁ ଦେଇପାରନ୍ତି ନାହିଁ। କାରଣ ଏଥିପାଇଁ କଟକଣା ରହିଛି।

Tags: Elephant, Elephant Day, Nandankanan, World Elephant Day

Comment