ପ୍ରାଚୀତାରା

ଭାରତର ସମୃଦ୍ଧ ଐତିହ୍ୟ ଓ ପରମ୍ପରାର ସୁରକ୍ଷା ତଥା ବିକାଶରେ ଦେଶର ଲକ୍ଷ ଲକ୍ଷ ବୁଣାକାରଙ୍କ ସାମଗ୍ରିକ ଅବଦାନକୁ ସ୍ୱୀକୃତି ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ମସିହାରେ ଅଗଷ୍ଟ ମାସ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ।

ବୟନ ଓ ହସ୍ତତନ୍ତ ଉଦ୍ୟୋଗକୁ ପ୍ରେରଣା ଯୋଗାଇବା ସହ ଦେଶର ନାଗରିକଙ୍କୁ ହାତବୁଣା ପୋଷାକ ପିନ୍ଧାଇବା ପାଇଁ ପ୍ରବର୍ତ୍ତାଇବା ମଧ୍ୟ ଏହି ଦିବସ ପାଳନର ଅନ୍ୟ ଏକ ଆଭିମୁଖ୍ୟ। ଓଡ଼ିଶାର ହସ୍ତତନ୍ତ କେବଳ ରାଜ୍ୟ ବାହାରେ ନୁହେଁ ବିଦେଶରେ ମଧ୍ୟ ଆଦୃତି ଲାଭ କରିଛି।

ଶହ ଶହ ବର୍ଷର ପୁରାତନ ଏହି ଆଭିଜାତ୍ୟପୂର୍ଣ୍ଣ କୌଳିକ ବୃତ୍ତି ମାଧ୍ୟମରେ ଆମ ରାଜ୍ୟର କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଭାବାବେଗ ପ୍ରକାଶିତ ହୋଇଥାଏ। ବିକାଶର ମୁଖ୍ୟ ସ୍ରୋତରେ ପ୍ରତ୍ୟେକଟି ବୁଣକାରର ପରିବାରକୁ ସାମିଲ୍ କରିବା ସହ ଓଡ଼ିଶା ହସ୍ତତନ୍ତକୁ ଉତ୍କର୍ଷର ଶୀର୍ଷରେ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ ଓ ସଂକଳ୍ପ।

ରାଜ୍ୟର ବୁଣାକାରମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ତଥା କଲ୍ୟାଣମୂଳକ ଯୋଜନାମାନ ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ଏହା ବ୍ୟତୀତ ବର୍ଷର ବିଭିନ୍ନ ଉନ୍ନୟନ ତଥା କଲ୍ୟାଣମୂଳକ ଯୋଜନାମାନ ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ବର୍ଷର ବିଭିନ୍ନ ସମୟରେ ହସ୍ତତନ୍ତ ପ୍ରଦର୍ଶନୀ ମଧ୍ୟ କରାଯାଉଛି।

ସେହିପରି ୨୦୧୬ ମସିହାରୁ ରାଜ୍ୟର ୫୦-୮୦ ବର୍ଷ ବୟସ୍କ ବୁଣାକାରମାନଙ୍କ ନିମନ୍ତେ ‘ବରିଷ୍ଠ ବୁଣାକାର ସହାୟତା ଯୋଜନା’ର ଶୁଭାରମ୍ଭ କରାଯାଇଛି।

ଓଡ଼ିଶାର ହାତବୁଣା ଇକତ, ବୋମକାଇ, ପଶାପାଲି, ଟସର, ସମ୍ବଲପୁରୀ ଖଣ୍ଡୁଆ ଆଦି କପଡ଼ା ଓ ଶାଢ଼ୀର ପ୍ରସାର ପାଇଁ କେବଳ ସରକାର ନୁହେଁ, ସାଧାରଣ ନାଗରିକଙ୍କର ମଧ୍ୟ ଚେଷ୍ଟା ରହିବା ଉଚିତ୍। ଫ୍ୟାସନ୍ ବଦଳିବା ସହ ବଦଳିଛି ଲୋକଙ୍କ ପୋଷାକ ପିନ୍ଧା ଷ୍ଟାଇଲ୍। ହେଲେ ହାତବୁଣା ପୋଷାକର ଚାହିଦା କମିନାହିଁ।

‘‘ଓଡ଼ିଶାର ହାତବୁଣା ଆମ କଳା ଓ ସଂସ୍କୃତିର ପ୍ରତୀକ। ରାଜ୍ୟ ବାହାରେ ଏହାର ପ୍ରଚାର ପ୍ରସାର ତଥା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆମେ ଚିରାଚରିତ ଡିଜାଇନ୍‌ ଛଡ଼ା କିଛି ନୂଆ ପ୍ରକାରର ଡିଜାଇନ୍ ତଥା ନୂଆ ରଙ୍ଗର ଶାଢ଼ୀ ଓ କପଡ଼ା ବୁଣିବା ପାଇଁ ଆମ ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରୁଛୁ। ଯୁବପିଢିଙ୍କୁ ଆକୃଷ୍ଟ କରିବା ପାଇଁ ଇକତ କପଡ଼ାରେ ଜ୍ୟାକେଟ୍, ପ୍ୟାଣ୍ଟ, ଫ୍ରିକ୍, ହ୍ୟାଣ୍ଡବ୍ୟାଗ୍, ଜୋତା- ଏସବୁ ମଧ୍ୟ ଆମେ କରୁଛୁ। ଏହାର ପ୍ରଦର୍ଶନୀ ରାଜ୍ୟ ବାହାରେ ତଥା ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ କରୁଛୁ”, ଓଡ଼ିଶାଲାଇଭ୍‌ ସହ କଥା ହେବା ବେଳେ ‘ରାସ’ ଫ୍ୟାସନ୍‌ ଷ୍ଟୁଡିଓର ପ୍ରତିଷ୍ଠାତା ରଶ୍ମି ମହାପାତ୍ର କହିଛନ୍ତି। ସମ୍ବଲପୁରୀ, ବୋମକାଇ ତଥା ପଶାପାଲି ଶାଢ଼ୀର ମୂଲ୍ୟ ଅଧିକ ହେଉଥିବାରୁ ସାଧାରଣତଃ ମଧ୍ୟବିତ୍ତ ପରିବାରର ଲୋକଙ୍କ ପାଇଁ ଏସବୁ ଶାଢ଼ୀ ବାରମ୍ବାର  କଣିବା ସମ୍ଭବ ହୁଏ ନାହିଁ।

‘‘କୌଣସି ଗୋଟେ ଭଲ ଡିଜାଇନ୍ ତଥା ନୂଆ ରଙ୍ଗ ଦେଇ ଶାଢ଼ୀଟିଏ ବୁଣିବାକୁ ଆମକୁ ପ୍ରାୟ ୧୫ ଦିନ ସମୟ ଲାଗିଯାଏ। ଏପରିକି ଏକ ନିର୍ଦ୍ଦିଷ୍ଟ ଡିଜାଇନ୍‌ର ଶାଢ଼ୀ ବୁଣିବାକୁ କେବେ କେବେ ବର୍ଷ ବର୍ଷ ସମୟ ଲାଗିଯାଏ, ଯେଉଁ ଡିଜାଇନ୍ ଆମେ ପୁନର୍ବାର ଆଉ କରି ମଧ୍ୟ ପାରୁନାହିଁ’’, କହିଛନ୍ତି ସନ୍ଥକବୀର ତଥା ଜାତୀୟ ସମ୍ମାନପ୍ରାପ୍ତ ବୁଣାକାର ସୁରେନ୍ଦ୍ର ମେହେର।

ସାଧାରଣତଃ ବୁଣାକାରଙ୍କ ସମଗ୍ର ପରିବାର ଏହି କାମରେ ନିୟୋଜିତ ଥା’ନ୍ତି। ଓଡ଼ିଶାର ଏହି ରୁଚିସମ୍ପନ୍ନ ପୁରାତନ କଳାକୁ ବଞ୍ଚେଇ ରଖିବାକୁ ହେଲେ ଆସନ୍ତା ପିଢ଼ି ଏହି କୌଳିକ ବୃତ୍ତିରେ ଯୋଡ଼ି ହୋଇ ରହିବା ଆବଶ୍ୟକ। ସମ୍ବଲପୁର, ବରଗଡ଼, ନୂଆପାଟଣା ଓ ସୋନପୁର ଆଦି ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳରେ ୩୦,୦୦୦ରୁ ଊର୍ଦ୍ଧ୍ୱ ବୁଣାକାର ଏହି କାମରେ ନିୟୋଜିତ ଅଛନ୍ତି।

‘‘ବୁଣାକାର ଭାଇ-ଭଉଣୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ତରଫରୁ ଅନେକ ସହାୟତା ଦିଆଯାଉଛି। ତନ୍ତ ସରଞ୍ଜାମ ପାଇଁ ୨୨,୦୦୦ ଟଙ୍କାରୁ ୪୦,୦୦୦ ଟଙ୍କା ଯାଏଁ ଧନରାଶିର ସାହାଯ୍ୟ ଦିଆଯିବା ସହ ମୁଦ୍ରା ଯୋଜନା ଅଧିନରେ ୨୨,୦୦୦ ବୁଣାକାରଙ୍କୁ ଦୁଇ କୋଟି ଟଙ୍କାର ଋଣ ମଧ୍ୟ ଦିଆସରିଲାଣି। ବୟନିକା ସହିତ ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ସୋସାଇଟି ଯୋଡ଼ି ହୋଇରହିଛନ୍ତି। ୨୦୧୬ ମସିହାରେ ୨୧୬ କୋଟି ଟଙ୍କାର ହସ୍ତତନ୍ତ କାରବାର ହୋଇଛି। ଏପରିକି ଗତ ବର୍ଷର ବିକ୍ରି ୭୭ କୋଟିରୁ ୯୭ କୋଟିକୁ ବୃଦ୍ଧି ମଧ୍ୟ ପାଇଛି’’, କହିଛନ୍ତି ବୟନିକାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ମିଶ୍ର।

ଓଡ଼ିଶାର ବୟନ ଓ ହସ୍ତତନ୍ତର ପ୍ରସାର ତଥା ବିକ୍ରି ବଢ଼ାଇବା ପାଇଁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର, ଅହମ୍ମଦାବାଦ, ଇତ୍ୟାଦି ରାଜ୍ୟରେ ବାରମ୍ବାର ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେଉଛି।

Tags: Boyanika, Prachitara, Handloom, Bishnu Prasad Mishra, Raas, Surendra Meher, Rashmi Mohapatra, Odisha Handloom

1 COMMENT

Comment