“ସିନେମାଟିଏ ତିଆରି କରିବା ଆଇଏଏସ୍ ବା ଇଞ୍ଜିନିୟରିଂ ପାଇବା ପରି କଷ୍ଟସାଧ୍ୟ ବ୍ୟାପାର। ଏଥିରେ ମଧ୍ୟ ଅନେକଗୁଡ଼ିଏ ଦିଗ ପ୍ରତି ଧ୍ୟାନଦେବାକୁ ହୁଏ। ଭଲ ସିନେମା ପୁଣି ତିଆରି ହେବ ଯେତେବେଳେ ସିନେନିର୍ମାତାଙ୍କ ସମେତ ଦର୍ଶକ, ସରକାର ଓ ଗଣମାଧ୍ୟମ ସଭିଏଁ ମିଳିତ ଭାବେ ଏହାର ଉନ୍ନତି ପାଇଁ ନିଜ ନିଜ କ୍ଷେତ୍ରରେ ପଦକ୍ଷେପ ନେବାକୁ ଆଗେଇ ଆସିବେ।”

ଏଥର ଆଉ ଜଣେ ଓଡ଼ିଆ ବଲିଉଡରେ ଓଡ଼ିଶା ପାଇଁ ଗୌରବ ଅର୍ଜନ କରିଛନ୍ତି। ନିକଟରେ ରିଲିଜ୍ ହୋଇଥିବା ‘ରାଞ୍ଚି ଡାଇରୀର’ ନିର୍ଦ୍ଦେଶକ ସାତ୍ତ୍ୱିକ ମହାନ୍ତି ଜାତୀୟ ଚଳଚ୍ଚିତ୍ର ଜଗତରେ ଓଡ଼ିଶାର ନାମ ଉଜ୍ଜ୍ୱଳ କରିଛନ୍ତି।

ପିଲାଟିବେଳୁ ପାଠପଢ଼ା ସହିତ ଗପ ଶୁଣିବା, ଗପ କହିବା ଓ ଚିତ୍ର ଆଙ୍କିବାରେ ରୁଚି ରଖୁଥିବା ସାତ୍ତ୍ୱିକ ଯେ ବଡ଼ ହୋଇ ସିନେମା ତିଆରି କରିବେ, ତାହା ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ହାଇଦ୍ରାବାଦରୁ ଆନିମେସନରେ ଡିଗ୍ରୀ ହାସଲ କରିଲା ପରେ ନିଜର ଅନ୍ତର୍ନିହିତ ଇଚ୍ଛାକୁ ପୂରଣ କରିବାକୁ ଯାଇ ଚାକିରି ଛାଡ଼ି ସିନେମାରେ କାମ କରିଲେ। କେବଳ ସେତିକି ନୁହେଁ, ସେହି ସମୟରୁ ହିଁ ସିନେମା ପାଇଁ କାହାଣୀ ଲେଖିବା ଆରମ୍ଭ କରିବାକୁ ଲାଗିଲେ। ନିକଟରେ ସାତ୍ତ୍ୱିକଙ୍କ ଭୁବନେଶ୍ୱର ଗସ୍ତ ସମୟରେ ପ୍ରାଚୀତାରାଙ୍କ ବାର୍ତ୍ତାଳାପର କିଛି ଅଂଶ-

‘ରାଞ୍ଚି ଡାଇରୀ’ ସିନେମା ପାଇଁ ଆପଣଙ୍କୁ କେତେ ସଂଘର୍ଷ କରିବାକୁ ପଡ଼ିଲା?

ମୁଁ ଭିଏଫ୍ଏକ୍ସ କାମ କରିବା ସମୟରେ ଅନେକ ନିର୍ଦ୍ଦେଶକ, ଗାୟକ, ପ୍ରଯୋଜକଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଲି। ମୋ ନିଜ କାମ ଛଡ଼ା ଅନ୍ୟାନ୍ୟ କାମ ଶିଖିବାର ଆଗ୍ରହ ଯୋଗୁଁ ଧୀରେ ଧୀରେ ସିନେମା ସମ୍ପର୍କିତ ଅନ୍ୟାନ୍ୟ କାମ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିଲି। ପିଲାଟି ବେଳୁ ଗପକୁ ଭଲ ଭାବରେ କଳା ସହ ପରିଚିତ ଥିବା ହେତୁ ନିଜେ ସିନେମା କରିବା ପାଇଁ ସ୍ଥିର କଲି। ତା’ ପରେ ଚାକିରି ଛାଡ଼ି କାହାଣୀ ଓ ସଂଳାପ ରଚନା କରିଲି ଓ ଆରମ୍ଭ କଲି ସିନେମା ପାଇଁ ପ୍ରଯୋଜକ ଖୋଜିବାର କାମ। ଯେହେତୁ ପୂର୍ବରୁ ଭଂସାଲି, ଅନୁରାଗ କଶ୍ୟପଙ୍କ ସହ ସିନେମାରେ ସହ–ନିର୍ଦ୍ଦେଶକ ଭାବେ କାମ କରିଥିଲି, ମୋ ସିନେମାକୁ ନିଜେ ନିର୍ଦ୍ଦେଶନା ଦେବା ପାଇଁ ସ୍ଥିର କରିଲି।

ବଲିଉଡରେ ଜଣେ ନୂଆ ନିର୍ଦ୍ଦେଶକଙ୍କ ପାଇଁ ପ୍ରତିଷ୍ଠିତ କଳାକାରଙ୍କ ସହ କାମ କରିବା ଭାଗ୍ୟର କଥା। ଆପଣ ଅନୁପମ ଖେରଙ୍କୁ କିପରି ରାଜି କରାଇଲେ?

ଏହି ସିନେମା ସହ ଅନୁପମ ଖେରଙ୍କ ନାମ ଯୋଡ଼ି ହେବା ମୋ ପାଇଁ ଭାଗ୍ୟର କଥା। ଏହି ସିନେମାରେ ଗୁଡ଼ିଆ ଚରିତ୍ରରେ ଅଭିନୟ କରିଥିବା ସୌନ୍ଦର୍ଯ୍ୟାଙ୍କ ସହିତ କଥା ହେବା ବେଳେ ସେ ଅନୁପମ ଖେରଙ୍କୁ ନେବା ପାଇଁ କହିଥିଲେ। ସିନେମାର କାହାଣୀ ଶୁଣିବା ପରେ ସେ ଏହି ଚରିତ୍ରରେ ଅଭିନୟ କରିବା ପାଇଁ ସମ୍ମତି ଜଣାଇଥିଲେ। କିଛି ମାସ ଚେଷ୍ଟା କରିବା ପରେ ମଧ୍ୟ ମୋ ସିନେମା ପାଇଁ ପ୍ରଯୋଜକ ନ ପାଇବାରୁ ଖେର ସାର୍ ନିଜେ ହିଁ ଏହାକୁ ପ୍ରଯୋଜନା କରିବେ ବୋଲି କହିଥିଲେ। ତାହା ହିଁ ଥିଲା ମୋ ପାଇଁ ବିଶେଷ ସୌଭାଗ୍ୟର କଥା। ସିନେମା କରିବା ପାଇଁ କେବଳ କାହାଣୀ ନୁହେଁ, ପ୍ରତ୍ୟେକଟି ସିନ୍ ପାଇଁ ବଜେଟ୍ ଓ ପୋଷ୍ଟ ପ୍ରଡକ୍ସନସର ବଜେଟ୍ ମଧ୍ୟ ମୁଁ ପ୍ରସ୍ତୁତ କରିରଖିଥିଲି। ତାହା ଖେର୍ ସାରଙ୍କୁ ବହୁତ ପ୍ରଭାବିତ କରିଥିଲା।

ଏହି ସିନେମାର ନାମ ରାଞ୍ଚି ସହିତ କାହିଁକି ଯୋଡାଯାଇଛି?

ଏହି ସିନେମା ଛୋଟ ସହରରେ ରହୁଥିବା ପିଲାଙ୍କର କିଛି ବଡ଼ ସାଧ୍ୟ ହାସଲ କରିବାକୁ ଥିବା ସ୍ୱପ୍ନ ଉପରେ ପର୍ଯ୍ୟବେସିତ। ଯେହେତୁ ଝାଡ଼ଖଣ୍ଡ ସରକାର ଏହି ସିନେମା ପାଇଁ ସବସିଡି ଦେବାକୁ ପ୍ରସ୍ତୁତ ହେଲେ, ସେଥିପାଇଁ ଏହା ରାଞ୍ଚିରେ ସୁଟିଂ କରାଯାଇଛି। ଏପରି କାହାଣୀ ଭାରତର କୌଣସି ସହରରେ ଥିବା ଯୁବପିଢ଼ିଙ୍କ କାହାଣୀ ବୋଲି ମୁଁ ମନେକରେ। ଏହି ସିନେମା ଭୁବନେଶ୍ୱରରେ ମଧ୍ୟ ସୁଟିଂ କରାଯାଇ ପାରିଥାନ୍ତା। ଏହାଦ୍ୱାରା ଆମ ରାଜ୍ୟର ପ୍ରମୋସନ ହୋଇପାରିଥା’ନ୍ତା।

ଓଡ଼ିଆ ସିନେମାକୁ ନେଇ ଅନେକ ଆଲୋଚନା, ସମାଲୋଚନା ଲାଗି ରହିଛି। ଓଡ଼ିଆ ସିନେମା ତା’ର ପୂର୍ବ ଗୌରବ ହରେଇ ବସିଛି ବୋଲି ଅନେକ ମତ ଦେଉଛନ୍ତି। ଆପଣ କ’ଣ କହିବେ?

ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ ୧୯୩୬ ମସିହାରେ ମୁକ୍ତିଲାଭ କରିଥିଲା। ଆମେ ହିନ୍ଦୀ ସିନେମା ଜଗତରୁ ବହୁତ ପଛରେ କେବେ ହେଁ ନଥିଲୁ। ଦିନ ଥିଲା, ବର୍ଷକୁ ଗୋଟିଏ କି ଦୁଇଟି ସିନେମା ତିଆରି ହେଲେ ମଧ୍ୟ ତାହା ଜାତୀୟ କ୍ଷେତ୍ରରେ ସମ୍ବର୍ଦ୍ଧନା ପାଇପାରୁଥିଲା। ଏବେ କାହିଁକି ଭଲ ସିନେମା ତିଆରି ହେଉ ନାହିଁ, ସେନେଇ ବିଶେଷ ସମାଲୋଚନା ନ କରି ଏଥିପାଇଁ ସଭିଏଁ ନିଜ ନିଜ କ୍ଷେତ୍ରରେ ସହଯୋଗ କରିବା ଆବଶ୍ୟକ। ସିନେମାଟିଏ ତିଆରି କରିବା ଆଇଏଏସ୍ ବା ଇଞ୍ଜିନିୟରିଂ ପାଇବା ପରି କଷ୍ଟସାଧ୍ୟ ବ୍ୟାପାର। ଏଥିରେ ମଧ୍ୟ ଅନେକଗୁଡ଼ିଏ ଦିଗ ପ୍ରତି ଧ୍ୟାନଦେବାକୁ ହୁଏ। ମୋ ମତରେ ଭଲ ସିନେମା ପୁଣି ତିଆରି ହେବ ଯେତେବେଳେ ସିନେନିର୍ମାତାଙ୍କ ସମେତ ଦର୍ଶକ, ସରକାର ଓ ଗଣମାଧ୍ୟମ ସଭିଏଁ ମିଳିତ ଭାବେ ଏହାର ଉନ୍ନତି ପାଇଁ ନିଜ ନିଜ କ୍ଷେତ୍ରରେ ପଦକ୍ଷେପ ନେବାକୁ ଆଗେଇ ଆସିବେ।

ଭବିଷ୍ୟତର ଯୋଜନା କ’ଣ? ଓଡ଼ିଆ ସିନେମା ତିଆରି କରିବା ପାଇଁ ଚାହିଁବେ କି?

‘ରାଞ୍ଚି ଡାଇରୀ’ ପରେ ମୁଁ ଆଉ ଏକ ପ୍ରୋଜେକ୍ଟ ପାଇଁ ଲାଗିଛି। ମୁଁ ଏବେ ୱେବ୍‍ ସିରିଜ୍ ତିଆରି କରିବା ପାଇଁ ସ୍କ୍ରିପ୍ଟ ପ୍ରସ୍ତୁତ କରୁଛି। ଓଡ଼ିଶା ମୋର ଜନ୍ମମାଟି। ନିଶ୍ଚିତ ଭାବେ ଓଡ଼ିଆ ସିନେମା କାମ କରିବାକୁ ଚାହିଁବି। ହିନ୍ଦୀ ଚଳଚ୍ଚିତ୍ରରେ ଓଡ଼ିଶାକୁ ପ୍ରଦର୍ଶନ କରାଇବାରେ ମଧ୍ୟ ମୁଁ ଆଗ୍ରହୀ।

Comment