ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆଦିଲ୍ଲୀରେ ରହୁଥିବା ଓଡ଼ିଆ ମଡେଲ୍-ଅଭିନେତ୍ରୀ ସ୍ୱପ୍ନା ପତି ନଜର ଆସିବେ ହିନ୍ଦୀ ସିନେମା ‘ଅନ୍ତର୍ଧ୍ୱନି’ରେ।

ନିକଟରେ ମୁମ୍ବାଇରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଥିଲା। ୨୪ ଏଫପିଏସ୍ ନିବେଦିତ ଏହି ସିନେମାର ପ୍ରଯୋଜନା କରୁଛନ୍ତି ରାଜେଶ କୁମାର ମହାନ୍ତି। ଜାତୀୟ ପୁରସ୍କାର ବିଜେତା ତଥା ଅନ୍ତର୍ଜାତୀୟ ସ୍ତରରେ ‘ଗାନ୍ଧୀ’ ସିନେମାରେ ପ୍ରଥମ ସହକାରୀ ନିର୍ଦ୍ଦେଶକ ଭାବରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଆ ସିନେମାଟୋଗ୍ରାଫର ଅପୂର୍ବ କିଶୋର ବୀର ଏହାର କାହାଣୀ ରଚନା କରିବା ସହିତ ନିର୍ଦ୍ଦେଶନାର ଦାୟିତ୍ୱ ମଧ୍ୟ ବହନ କରିଛନ୍ତି।

ଅନ୍ତର୍ଧ୍ୱନିର ଅର୍ଥ ହେଉଛି ମନ ଭିତରୁ ଆସୁଥିବା ସ୍ୱର। ମଣିଷ ବିଭିନ୍ନ ପରିସ୍ଥିତିରେ ପ୍ରଥମେ ନିଜ ଅବଚେତନ ମନ ସହ ଯୁଝିଥାଏ। ଆଉ ଏହି ଅବଚେତନ ମନ ତାକୁ ବିଭିନ୍ନ ପାପ କାର୍ଯ୍ୟ କରିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥାଏ।

“ଏହି ସିନେମାରେ ମୁଁ ଶାଲିନୀର ଚରିତ୍ରରେ ଅଭିନୟ କରୁଛି। ଯୁବାବସ୍ଥାର ମତୁଆଲାପଣ, ଆଇନ୍‌ବିରୋଧୀ କାର୍ଯ୍ୟ, ପ୍ରେମ ସମ୍ପର୍କର ଝଲକ ଓ ଆଉ କିଛି ମନୋରଞ୍ଜନର ଖୋରାକ ଦର୍ଶକଙ୍କ ପାଇଁ ଆଣିଦେବ ଏହି ସିନେମା’’, ଓଡ଼ିଶାଲାଇଭ୍ ସହ କଥା ହେବା ବେଳେ ସ୍ୱପ୍ନା କହିଛନ୍ତି।

ଏହି ସିନେମାରେ ସ୍ୱପ୍ନାଙ୍କ ବିପକ୍ଷରେ ଅଭିନେତାଙ୍କୁ ଚୟନ କରାଯାଇ ନାହିଁ। ପୂର୍ବରୁ ସ୍ୱପ୍ନା ପ୍ରକୃତ ଜୀବନରେ କ୍ୱାଡ୍ରିପ୍ଲେଜିକ୍‌ ଅଭିନେତା ଜିତେନ୍ଦ୍ର ବିଶ୍ୱାଳଙ୍କ ବିପକ୍ଷରେ ‘ଟୁ ଡିଜାୟାର୍ସ ଆଣ୍ଡ ଏ ଡ୍ରିମ୍’ରେ ଅଭିନୟ କରିଥିଲେ। କେବଳ ସେତିକି ନୁହେଁ ସେ ତେଲୁଗୁ ଓ ବଙ୍ଗାଳୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ଅଭିନୟ ସହିତ ନିଜ ଆୟର ଏକ ଅଂଶ ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ସେ ଖର୍ଚ୍ଚ କରନ୍ତି।

ଅବସର ମିଳିଲେ ନିଜର ବ୍ୟସ୍ତ ଜୀବନରୁ ଡୁମ୍‌ଡୁମାଠାରେ ଥିବା ଆଶ୍ରୟ ଅନାଥ ଆଶ୍ରମ, ପଟିଆଠାରେ ଥିବା କନ୍ୟାଶ୍ରମ ଓ ନହରକଣ୍ଟାରେ ଥିବା ବୃଦ୍ଧାଶ୍ରମରେ ଥିବା ଲୋକମାନଙ୍କ ସହ ସମୟ ବିତାଇବାକୁ ଭଲପାଆନ୍ତି। ସେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ହର୍ବାଲ୍ ହୋଲିର ଆୟୋଜନ କରିଥିଲେ।

Tags: Swapna, Swapna Pati, Pati, Antardhwani, Hindi Movie, Odia Heroein, Shalini, OdishaLIVE, Youth, Prachitara, A K Veer, Rakesh Kumar Mohanty, Gandhi Film, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment