ମଣିଷ ଜୀବନରେ ଭଲପାଇବା ହିଁ ସବୁଠାରୁ ଊର୍ଦ୍ଧ୍ୱରେ, ଏହା ହିଁ ମୋର ଆଗାମୀ ସିନେମା ‘ଜଷ୍ଟ ମୋହବତ’ର ଦର୍ଶକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ବୋଲି କହିଛନ୍ତି ଅଭିନେତା ତଥା ରାଜନେତା ଆକାଶ ଦାସ ନାୟକ। ଓଲିଉଡ ସେନସେସନ ଅର୍ଚ୍ଚିତାଙ୍କ ବିପକ୍ଷରେ ଆକାଶଙ୍କର ଏହା ତୃତୀୟ ସିନେମା। ପୂର୍ବରୁ ଦୁହିଁଙ୍କ ଯୋଡ଼ି ‘ଆ ଲୋ ମୋର କଣ୍ଢେଇ’ ଓ ‘ଶପଥ’ ସିନେମାରେ ଦର୍ଶକଙ୍କ ମନୋରଞ୍ଜନ କରିବାରେ ବେଶ୍ ସମର୍ଥ ହୋଇଥିଲେ। ‘କଳିଙ୍ଗ ପୁତ୍ର’ ସିନେମାରୁ ଅଭିନୟର କ୍ୟାରିୟର ଆରମ୍ଭ କରିଥିବା ଏହି ଷ୍ଟାରଙ୍କ ସହ ଓଡ଼ିଶାଲାଇଭ୍ର ବାର୍ତ୍ତାଳାପର କିଛି ଅଂଶ: (ସାକ୍ଷାତ: ପ୍ରାଚୀତାରା)
‘ଜଷ୍ଟ ମୋହବତ୍’ ସିନେମା ସମ୍ପର୍କରେ କିଛି କୁହନ୍ତୁ?
ଏହା ସମ୍ପୂର୍ଣ୍ଣ ରୂପେ ଏକ ମନୋରଞ୍ଜନଧର୍ମୀ ସିନେମା। ଅର୍ଚ୍ଚିତା ଓ ମୋର ଯୋଡ଼ିକୁ ଦର୍ଶକ ପୂର୍ବରୁ ମଧ୍ୟ ପସନ୍ଦ କରିଛନ୍ତି। ଏକ ମୌଳିକଧର୍ମୀ ସିନେମା ତଥା ବହୁତ ଭଲ ଭାବରେ ତିଆରି ମଧ୍ୟ କରାଯାଇଛି। ଏହି ସିନେମାରେ ଅନୀତା ଦାସ, ସମରେଶ ରାଉତରାୟ ଓ ପପୁ ପମ୍ପମ୍ ମଧ୍ୟ ଅଛନ୍ତି। କାହାଣୀରେ କୌଣସି ଭିଲିଆନ୍ ଚରିତ୍ର ନାହିଁ। କାହାଣୀର ପରିସ୍ଥିତି ହିଁ ଏଥିରେ ଭିଲିଆନ୍। ସବୁଠାରୁ ବଡ଼ କଥା ହେଉଛି ଅଭିଜିତ୍ ମଜୁମ୍ଦାରଙ୍କ ସଙ୍ଗୀତ ଏହି ସିନେମାକୁ ଆହୁରି ମନମତାଣିଆ କରିଛି।
ଆପଣ ପ୍ରାୟ ଏକ ବର୍ଷ ହେବ ବଡ଼ ପରଦାରୁ ଗାଏବ୍ ଥିଲେ, ଏହାର କାରଣ କ’ଣ ?
ମୋର ଶେଷ ସିନେମା ‘ଅଗସ୍ତ୍ୟ’ ୨୦୧୬ ମସିହା ରଜ ଅବସରରେ ମୁକ୍ତିଲାଭ କରିଥିଲା। ଯଦିଓ ‘ଜଷ୍ଟ ମୋହବତ’ର ସୁଟିଂ ପୂର୍ବରୁ ଆରମ୍ଭ ହୋଇ ସାରିଥିଲା, ଏହା ଶେଷ ହେବାକୁ ସମୟ ଲାଗିଥିଲା। ଅନ୍ୟାନ୍ୟ କାମ ରହୁଥିବାରୁ ଗୋଟେ ବର୍ଷରେ ଅଧିକ ସିନେମା କରିବା ସମ୍ଭବ ହେଉନାହିଁ। ଭଲ ଚରିତ୍ର ମିଳିଲେ ମୁଁ ବର୍ଷକୁ ଦୁଇଟି ସିନେମା କରିବାକୁ ଚେଷ୍ଟା କରିବି।
ଅଭିନେତା ପୁଣି ରାଜନେତା, ଦୁଇଟି କାମ ସହ ଆପଣ କିପରି ସନ୍ତୁଳନ ରକ୍ଷା କରିପାରୁଛନ୍ତି ?
ରାଜନୀତି ମୋର କର୍ତ୍ତବ୍ୟ। ଲୋକମାନେ ମୋତେ ନେତା ଭାବେ ଚୟନ କରିଥିବାରୁ ମୋର ତାଙ୍କ ପ୍ରତି କର୍ତ୍ତବ୍ୟ ରହିଛି। ସେଥିରେ ମୁଁ କୌଣସି ଅବହେଳା କରିବାକୁ ଚାହୁଁନାହିଁ। କିନ୍ତୁ ଅଭିନୟ କେବଳ ମୋର ପେସା ନୁହେଁ, ଏହା ମୋର ପ୍ୟାସନ୍। ରିଲ୍ ଲାଇଫ୍ରେ ମୋର ଚରିତ୍ର ଓ ପ୍ରକୃତ ଜୀବନ ସମ୍ପୂର୍ଣ୍ଣ ଭିନ୍ନ।
‘ଅଗସ୍ତ୍ୟ’ରେ ଆପଣଙ୍କର ଚରିତ୍ରଠାରୁ ‘ଜଷ୍ଟ ମୋହବତ’ କିପରି ଭିନ୍ନ?
‘ଅଗସ୍ତ୍ୟ’ରେ ମୁଁ ଏକ ଗ୍ୟାଙ୍ଗ୍ଷ୍ଟାର୍ ଚରିତ୍ରରେ ଅଭିନୟ କରିଥିଲି। ସେଥିରେ ମୋର ଗାମ୍ଭୀର୍ଯ୍ୟପୂର୍ଣ୍ଣ ଚରିତ୍ର ରହିଥିଲା। ‘ଜଷ୍ଟ ମୋହବତ’ ସିନେମାରେ ମୋର ଓ ଅର୍ଚ୍ଚିତାଙ୍କର ରୋମାଣ୍ଟିକ୍ ଯୋଡ଼ିକୁ ମଧ୍ୟ ଦର୍ଶକ ପସନ୍ଦ କରିବେ ବୋଲି ମୋର ବିଶ୍ୱାସ।
ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ଗତ ଏକ ବର୍ଷ ମଧ୍ୟରେ ଅନେକ ନୂଆ ଚେହେରା ଦେଖିବାକୁ ମିଳୁଛି। ଏ ବିଷୟରେ ଆପଣ କ’ଣ କହିବେ?
ମୋ ମତରେ ଆମ ସିନେମା ଇଣ୍ଡଷ୍ଟ୍ରିର ଭବିଷ୍ୟତ ଉଜ୍ଜ୍ୱଳ। ନୂଆ ନୂଆ ପିଲା ଭଲ କାମ ମଧ୍ୟ କରୁଛନ୍ତି। ଆହୁରି ବହୁତ ଭଲ ତଥା ମୌଳିକ ସିନେମା ତିଆରି ହେଲେ ଉଚ୍ଚମାନର ଦର୍ଶକ ମଧ୍ୟ ଓଡ଼ିଆ ସିନେମା ଦେଖିବା ପାଇଁ ମନ ବଳାଇବେ।
Tags: Akash Das Nayak, Ollywood, Odia Movie, Just Mohabbat, Odia Cine Industry, Agastya, Politics