ଓଡ଼ିଶାଲାଇଭ୍‌ ବ୍ୟୁରୋ

କିରଣ ବେଦୀ। ଦେଶର ପ୍ରଥମ ମହିଳା ଆଇପିଏସ ଅଧିକାରୀ। ମହିଳା ବିକାଶର ପ୍ରତୀକ ଭାବେ ତାଙ୍କୁ ଧରାଯାଏ। ଏକାଧାରରେ ସେ ଜ​‌ଣେ ଲେଖିକା ଏବଂ ସାମାଜିକ ଏବଂ ରାଜନୈତିକ କର୍ମୀ ମଧ୍ୟ। ସଂପ୍ରତି ତାଙ୍କର ପରିଚୟ ହେଉଛି କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀର ଲେଫନାଣ୍ଟ ଗଭର୍ଣ୍ଣର।

ବିଭିନ୍ନ ପ୍ରସଙ୍ଗରେ ତାଙ୍କର ତୀର୍ଯ୍ୟକ ମନ୍ତବ୍ୟ ଗଣମାଧ୍ୟମର ଶିରୋନାମା ପାଲଟିଥାଏ। ହେଲେ ନିକଟରେ ତାଙ୍କର ପୁରୁଣା ପୁଲିସିଆ ଅନ୍ଦାଜ ଯୋଗୁଁ ସେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି।

ନିଜେ ରାଜ୍ୟପାଳ ବେଶ ବଦଳାଇ ରାତିରେ ପଣ୍ଡିଚେରୀ ସହରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଘଟଣାଟି ଏହିପରି..

୧୯ ଅଗଷ୍ଟ, ୨୦୧୭। ରାତି ଗୋଟାଏ ପାଖାପାଖି। ପଣ୍ଡିଚେରୀ ରାଜଭବନରୁ ବାହାରି ଦୁଇଜଣ ମହିଳା ସ୍କୁଟିରେ ରାଜରାସ୍ତା ଉପରକୁ ଆସିଲେ। ସହର ସାରା ଘୁରିବୁଲିଲେ ଏହି ଦୁଇ ମହିଳା। ଉଦ୍ଦେଶ୍ୟ ଥିଲା ଏକୁଟିଆ ମହିଳାଙ୍କୁ ରାତି ଅଧରେ ଦେଖି କିପରି ବ୍ୟବହାର କରୁଛନ୍ତି ଅସାମାଜିକ ବ୍ୟକ୍ତି। ଆଉ ମହିଳାଙ୍କ ସୁରକ୍ଷା ପାଇଁ କିପରି ସଜାଗ ରହିଛି ପୋଲିସ। କିଛି ସମୟ ବୁଲିବା ପରେ ପୁଣି ଥରେ ରାଜଭବନକୁ ସ୍କୁଟିରେ ଫେରିଆସିଥିଲେ ଦୁଇ ଜଣ।

ପରଦିନ ସୋସିଆଲ ମିଡିଆରେ ଏ ନେଇ ପଣ୍ଡିଚେରୀ ଲେଫନାଣ୍ଟ ଗଭର୍ଣ୍ଣର କିରଣ ବେଦୀ ଫଟୋ ପୋଷ୍ଟ କରିବା ପରେ ପୂରା ଘଟଣା ସାମନାକୁ ଆସିଲା। ନିଜେ ରାଜ୍ୟପାଳ ତାଙ୍କ ମହିଳା ସହଯୋଗୀଙ୍କ ସହ ସ୍କୁଟିରେ ବସି ସହରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିବା ଜଣାପଡିଲା। ରାଜଭବନର ମହିଳା କର୍ମଚାରୀ ସ୍କୁଟି ଚଳାଉଥିବାବେଳେ ଏକ ସାଲୱାର ପଂଜାବୀ ପିନ୍ଧି ଓଢ଼ଣୀରେ ମୁଣ୍ଡ ଘୋଡେଇ ପଛରେ ବସିଥିଲେ କିରଣ ବେଦୀ।

ପଣ୍ଡିଚେରୀ ରାସ୍ତାରେ ମହିଳାମାନେ ସୁରକ୍ଷିତ କହିବା ସହ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ରାତିରେ ବୁଲୁଥିବା ସମୟରେ ଜଣେ ହେଲେ ପୋଲିସ କର୍ମଚାରୀ ତାଙ୍କ ନଜରରେ ଆସିନଥିବା କହିଛନ୍ତି କିରଣ ବେଦୀ। ପାଟ୍ରୋଲିଂ ବ୍ୟବସ୍ଥା ସୁଦୃଢ କରିବା ପାଇଁ ପୋଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି।

ସେପଟେ କିରଣ ବେଦୀ ପୋଷ୍ଟ କରିଥିବା ଫଟୋରେ ସେ ଓ ତାଙ୍କ ସହଯୋଗୀ ହେଲମେଟ୍ ପିନ୍ଧିନଥିବାରୁ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଛନ୍ତି।

Tags: Kiran Bedi, Lt. Governor Puducherry, Social Media, Traffic Police, Safety of Women, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment