ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାୟ ୩୦ ହଜାର ଶିକ୍ଷକ ୬ ଦିନ ହେଲା ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍‍ଜିରେ ଧାରଣାରେ ବସି ସରକାରଙ୍କ ହୋସ ଉଡ଼ାଇ ଦେଇଛନ୍ତି। ଶାସକ ଦଳର ୨ ବିଧାୟକ ଆସି ଶିକ୍ଷକ ସଂଘ ସହ ଆଲୋଚନା କରିଥିଲେ ମଧ୍ୟ କିଛି ଫଳପ୍ରଦ ହୋଇନାହିଁ। ମୁଖ୍ୟମନ୍ତ୍ରୀ ନିଜେ ଆସି ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଶିକ୍ଷକ ସଂଘ ନିଜ ଜିଦରେ ଅଟଳ ରହିଛି। ବ୍ଲକ୍‍ ଗ୍ରାଣ୍ଟ ଶିକ୍ଷକଙ୍କ ଏହି  ବ୍ୟାପକ ଆନ୍ଦୋଳନ ଫଳରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଏକପ୍ରକାରର ଅଚଳ ହୋଇଯାଇଛି।

ବ୍ଲକ ଗ୍ରାଣ୍ଟ ଉଚ୍ଛେଦ କର, ନଚେତ୍‍ ସମ୍ଭାଳ। ଏହି ଜିଦ୍‌ରେ ଅଟଳ ଅଛନ୍ତି ବ୍ଲକ ଗ୍ରାଣ୍ଟ ଶିକ୍ଷକ ଏବଂ ଅଧ୍ୟାପକ। ପାଖାପାଖି ୪ ହଜାର ହାଇସ୍କୁଲ ଏବଂ ୧୫୦୦ କଲେଜରେ ଶିକ୍ଷାଦାନ ଠପ୍‍ ହୋଇଯାଇଛି  ।

୨୦୧୫ରେ ବ୍ଲକଗ୍ରାଣ୍ଟ ଉଚ୍ଛେଦ ଦାବିରେ ଆନ୍ଦୋଳନ କରିଥିଲେ ଶିକ୍ଷକ। ରାଜ୍ୟର ୨,୨୦୯ ବ୍ଲକଗ୍ରାଣ୍ଟ ହାଇସ୍କୁଲରେ ତାଲା ପକାଇ ଶିକ୍ଷକ ରାଜରାସ୍ତାରେ ବସିଥିଲେ। ପ୍ରାୟ ୪୦ ଦିନ ଧରି ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଖାଲି ସେତିକି ନୁହେଁ, ଶିକ୍ଷକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ପଦଯାତ୍ରା କରିବାକୁ ପଛାଇ ନଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଶିକ୍ଷକମାନେ ଆନ୍ଦୋଳନରୁ ଓହରିଥିଲେ। ହେଲେ ଏହି ଆଲୋଚନା ଅନୁଯାୟୀ ବ୍ଳକଗ୍ରାଣ୍ଟ ଉଚ୍ଛେଦ ହୋଇ ନଥିବାରୁ ଏବଂ ସେମାନଙ୍କୁ ପୂର୍ଣ୍ଣ ଅନୁଦାନ ମିଳି ନ ଥିବାରୁ ପୁଣିଥରେ ଶିକ୍ଷକ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି। ଗତ ୧୭ ତାରିଖରୁ ଶିକ୍ଷକ ରାଜରାସ୍ତାକୁ ଚାଲି ଆସିଛନ୍ତି।

ଘରୋଇ ସ୍କୁଲକୁ ସହାୟତା ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୨୦୦୪ରେ ବ୍ଲକ ଗ୍ରାଣ୍ଟ ବ୍ୟବସ୍ଥା ଶୁଭାରମ୍ଭ କରିଥିଲେ। ପୂର୍ଣ୍ଣ ଅନୁଦାନ ପାଇବା ପାଇଁ ଯୋଗ୍ୟତା ଅର୍ଜନ କରିବା ପର୍ଯ୍ୟନ୍ତ ବ୍ଲକ ଗ୍ରାଣ୍ଟ ବ୍ୟବସ୍ଥାରେ ସେମାନଙ୍କୁ କିଛି ପ୍ରତିଶତ ଅର୍ଥ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହି ବ୍ୟବସ୍ଥାରେ ଥିବା ଅନ୍ୟ ନିୟମ କାର୍ଯ୍ୟକାରୀ ହେଉ ନ ଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଫଳରେ ବାଧ୍ୟ ହୋଇ ବାରମ୍ବାର ଶିକ୍ଷକ ରାଜରାସ୍ତାକୁ ଓହ୍ଲାଉଛନ୍ତି। ଶିକ୍ଷକ ଆନ୍ଦୋଳନକୁ ଆସିବା ପରେ ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ଉଠିଛି। ବାରମ୍ବାର ଆନ୍ଦୋଳନ ଯୋଗୁ ଛାତ୍ରଛାତ୍ରୀଙ୍କର ଯେଉଁ କ୍ଷତି ହେଉଛି ସେଥିପାଇଁ ସରକାର ନା ଶିକ୍ଷକ ସଂଘ ଦାୟୀ ରହିବେ, ତାହା ଏବେ ଆଲୋଚନାର ବିଷୟ ହୋଇଛି।

ବ୍ଲକ ଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ କରିବା, ସମାନ କାମକୁ ସମାନ ଦରମା ଦେବା, ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ପ୍ରଦାନ କରିବା, ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା ଏବଂ ସମସ୍ତ ଅନୁଦାନପ୍ରାପ୍ତ ସ୍କୁଲକୁ ସରକାର ହାତକୁ ନେବା ଆଦି ଦାବି ନେଇ ବର୍ତ୍ତମାନ ଆନ୍ଦୋଳନ ଚାଲିଛି। ଆନ୍ଦୋଳନର ଦ୍ୱିତୀୟ ଦିନରେ ବିଧାୟକ ସଞ୍ଜୟ ଦାସବର୍ମା ଏବଂ ପ୍ରଣବ ପ୍ରକାଶ ଦାସ ଆନ୍ଦୋଳନସ୍ଥଳକୁ ଆସି ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ହେଲେ ଶିକ୍ଷକ ତାଙ୍କ ଜିଦରୁ ଟଳି ନ ଥିଲେ।

ଶେଷରେ ଗତ ୨୦ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପିଏମଜିରେ ଆନ୍ଦୋଳନରତ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି। ଶିକ୍ଷକଙ୍କ ସମସ୍ୟା ସମାଧାନ କରି ଶିକ୍ଷା ବ୍ୟବସ୍ଥାକୁ ସ୍ୱାଭାବିକ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ଏହି ଦାବି ପୂରଣ ହୋଇପାରି ନ ଥିବାରୁ ପିଲାଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ଯାଉଛି।

ବ୍ଲକଗ୍ରାଣ୍ଟ ଶିକ୍ଷକ ସଂଘ ସଭାପତି ପବିତ୍ର ମହଲା କହିଛନ୍ତି ଯେ ପୂର୍ବରୁ ବ୍ଳକଗ୍ରାଣ୍ଟ ସ୍କୁଲ ଓ କଲେଜ ଶିକ୍ଷକମାନେ ପୃଥକ୍‍ ପୃଥକ୍‍ ଆନ୍ଦୋଳନ କରୁଥିଲୁ। ମାତ୍ର ସରକାର ଆମକୁ ପ୍ରତିଶ୍ରୁତି ଦେଇ ପଛରେ ପ୍ରତାରଣା କରୁଥିଲେ। ହେଲେ ଏବେ ଆମେ ଏକାଠି ଆନ୍ଦୋଳନକୁ ଓହ୍ଲାଇଛୁ। ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନରୁ ହଟିବୁ ନାହିଁ।

(ପ୍ରସ୍ତୁତି: ସରୋଜ)

Tags: Sikhya Sahayaka Rally, Naveen Patnaik, Block Grant Teachers, Block Grant High schools, Odisha Education, Block Grant Colleges, Teachers Strikes, Dharmendra Pradhan, Odisha CM, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

 

Comment