ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଅନାବରଣ ହୋଇଛି। ଶିଳ୍ପୀଙ୍କ ୭୪ତମ ଜନ୍ମତିଥି ଅବସରରେ ଏହା ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ଓ ପୂଜ୍ୟପୂଜା ପରମ୍ପରାରେ ସଂସ୍କୃତି ବିଭାଗ ତା’ର କର୍ତ୍ତବ୍ୟ ସଂପାଦନ କରିଛି ବୋଲି କହିଛନ୍ତ  ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ସଂଯୁକ୍ତା ପାଣିଗ୍ରାହୀ (୧୯୪୪-୧୯୯୭) ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷାରେ ଆଗ୍ରହୀ ହୋଇ କଥକ, ଭାରତ ନାଟ୍ୟମରେ ଶିକ୍ଷା ଗ୍ରହଣ କରିଥିଲେ। ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଭାବରେ ସେ ତାଙ୍କର ପ୍ରତିଭା ଯାତ୍ରା ଅବ୍ୟାହତ ରଖି ବିପୁଳ ସୁନାମ ଅର୍ଜନ କରିଥିଲେ। ଗଞ୍ଜାମ ଜିଲ୍ଲାରେ ଜନ୍ମିତ ଏହି ନୃତ୍ୟଶିଳ୍ପୀ ୪ ବର୍ଷ ବୟସରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ସେ ଆମେରିକା, ଫିଲିଫାଇନ୍ସ, ବ୍ରିଟେନ୍, ଇସ୍ରାଏଲ୍, ଗ୍ରୀସ୍ ଓ ଫ୍ରାନ୍ସ ଇତ୍ୟାଦି ଦେଶରେ ନୃତ୍ୟ ପରିବେଷଣ କରି ପ୍ରଚୁର ଯଶର ଅଧିକାରିଣୀ ହୋଇଥିଲେ।

ତାଙ୍କୁ ୧୯୭୫ ମସିହାରେ ପଦ୍ମଶ୍ରୀ ଓ ୧୯୭୬ରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିଲେ। ସେ ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ନିକଟରୁ ଓଡ଼ିଶୀ ଶିକ୍ଷା ଗ୍ରହଣ କରିଥିଲେ। କଳାକ୍ଷେତ୍ରରେ ଅଧ୍ୟୟନ ସମୟରେ ବିଶିଷ୍ଟ ଗାୟକ ରଘୁନାଥ ପାଣିଗ୍ରାହୀଙ୍କ ସହିତ ତାଙ୍କର ପ୍ରଥମ ସାକ୍ଷାତ ଘଟିଥିଲା। ପରେ ଉଭୟ ବିବାହ କରିଥିଲେ। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ପଦ୍ମଶ୍ରୀ ସଂଯୁକ୍ତା କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଭାବରେ ସ୍ମରଣୀୟ ରହିଛନ୍ତି।

ଅନାବରଣ କାର୍ଯ୍ୟକ୍ରମରେ ଭୁବନେଶ୍ୱର (ଉତ୍ତର) ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର(ମଧ୍ୟ) ବିଧାୟକ ବିଜୟ କୁମାର ମହାନ୍ତି, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Tags: Sanjukta Panigrahi, Ananta Narayan Jena, Priyadarshi Mishra, Odissi Dancer, Odissi Reseach Center, Latest News, Breaking News

Comment